Unknown

 

 

 

 

 

 

 

 

 

 

ଦସ୍ୟୁ ବଳିଆର ସିଂ

ଶ୍ରୀ ଅଦ୍ୱୈତ ପ୍ରସାଦ ଦାଶ

 

ସି.ଆଇ.ଡି, ସତ୍ୟବ୍ରତ ବାବୁ ସେଦିନ ପ୍ରାତରୁ କ’ଣ ଗୋଟିଏ କାମରେ ବାହାରିଥାନ୍ତି । ହଠାତ୍‍ ତାଙ୍କ ଜିପ୍‍ ଖଣ୍ଡି ଯାଇ ଗୋଟିଏ ବିରାଟ ଅଟ୍ଟାଳିକାର ଦ୍ୱାରଦେଶରେ ଠିଆ ହେଲା । ସତ୍ୟବ୍ରତ ବାବୁ ଜିପ୍‌ରୁ ଓହ୍ଲାଇ ଦେଖିଲେ ଜିପ୍‍ ଯିବାପାଇଁ ଆଗକୁ ଆହୁରି ପ୍ରସସ୍ଥ ରାସ୍ତା ଲମ୍ବି ଯାଇଛି । ପୁଣି ସେ ଜିପ୍‍ ଉପରକୁ ଉଠିପଡ଼ି ଷ୍ଟିଅରିଂ ଧରି ଗାଡ଼ି ଷ୍ଟାଷ୍ଟ କଲେ–

 

ଆଉ ପଥନାହିଁ ଗାଡ଼ିରୁ ଓହ୍ଲାଇପଡ଼ି କ୍ଷଣକାଳ ସେଠାରେ ଠିଆ ହେଲେ କ’ଣ ଗୁଡ଼ାଏ ମନେମନେ ଭାବି ଆଗକୁ ଆଗକୁ ପାଦ ବଢ଼ାଇଲେ । କିଛି ଦୂର ଯିବାପରେ ତାଙ୍କ ଆଖି ଆଗକୁ ଆସିଲା ଗୋଟିଏ ଛୋଟ ଦରଜା । ସେ ସେହି ଦରଜା ନିକଟକୁ ଗଲେ ଓ ଦରଜା ଠେଲି ଭିତରକୁ ପ୍ରବେଶ କଲେ ।

 

କିନ୍ତୁ ଏ କ’ଣ ? ସେ ଯେଉଁ ରାସ୍ତା ଦେଇ ସେ ସ୍ଥାନକୁ ଆସିଥିଲେ ସେ ରାସ୍ତା କାହିଁ-?? ଏତ ଗୋଟିଏ ଅନ୍ଧାରି ଗୃହ ।

 

ଏହି ଭାବନା ଆଉ ତାଙ୍କର ବେଶୀ ସମୟ ସ୍ଥାୟୀତ୍ୱ ଲାଭ କଲାନି ଦେଖୁ ଦେଖୁ ଦୁଇଟା ହାତ ଦୁଇଦିଗରୁ ବାହାରି ଧୀରେ ଧୀରେ ଉପରକୁ ଉଠିଲା । ଠିକ୍‍ ଶିକାରଟିଏ ପାଇଲେ କୁମ୍ଭୀର ଯେପରି ତା’ର ପାଟିଟାକୁ ଦୁଇ ଭାଗରେ ବିଭକ୍ତ କରି ମାଡ଼ି ଆସେ ଠିକ୍‍ ସେହିପରି ।

 

ତା’ପରେ ଅଦୃଶ୍ୟ । ପୁନଶ୍ଚ ଦେଖିଲେ ଉକ୍ତ ହାତ ଦୁଇଟା ଠିକ୍‍ ତାଙ୍କରି ଆଡ଼କୁ ପ୍ରସାରିତ ହୋଇ ଆସୁଛି । ଆଉ ତା’ର ଶବ୍ଦଟା ଏକ ପ୍ରକାର ଭୟଙ୍କର ।

 

ଏହା ଦେଖି ସତ୍ୟବ୍ରତ ବାବୁଙ୍କ ଚକ୍ଷୁ ଯୋଡ଼ାକ ନିଜକୁ ନିଜେ ବନ୍ଦ ହୋଇ ଯାଉଥାଏ । ସେତେବେଳେ ସେ ଭାବୁଥାଆନ୍ତି ଏ ହାତ ଯୋଡ଼ାକ ଯଦି ତାଙ୍କୁ ଧରିପକାଏ ତାହାହେଲେ ସେ ସେହି ଅଘାତରେ ହୁଏତ ଧୂଳି ସାଙ୍ଗରେ ଧୂଳି ହୋଇ ଯିବେ । ରକ୍ତ ତାଙ୍କର ଶିଥିଳ ହୋଇଗଲା । ମନେହେଉଥିଲା, ଶରୀରଟା ଯେପରି, ତାଙ୍କର ରକ୍ତହୀନ ।

 

ସେ ଯାହା ଶପଥ ନେଇଥିଲେ ତାଙ୍କରି ଜୀବନର ଶେଷ ଜ୍ୟୋତିଥିବା ପର୍ଯ୍ୟନ୍ତ ଦସ୍ୟୁ ସାଙ୍ଗରେ ଲଢ଼ିବେ ନିଜକୁ ଉତ୍ସର୍ଗ କରି । କିନ୍ତୁ ସେସବୁ ପୂର୍ବ ପ୍ରତିଶ୍ରୁତି ନିମିଷକ ମଧ୍ୟରେ କୁଆଡ଼େ ଉଭେଇଗଲା । ଖାଲି ମୁଖ ମଧ୍ୟରୁ ବାହାରି ଆସିଲା । ହେ ନାରାୟଣ ! ହେ ନାରାୟଣ !! ଏହାକି ତୁମର ମୋ ପ୍ରତି ସୁବିଚାର । ଏହା ବ୍ୟତୀତ କ’ଣ ତୁମ ନିକଟରେ ମୋ’ପାଇଁ ଅନ୍ୟ କୌଣସି ବିଚାର ନଥିଲା ।

 

ଭାବୁ ଭାବୁ ହାତ ଦୁଇଟା ଆସି ତାଙ୍କୁ ଖୁବ୍‍ ଜୋରରେ ଚାପି ଧରିଲା । ସେତେବେଳେ ସେ ଖୁବ୍‍ କଷ୍ଟ ଅନୁଭବ କରୁଥିଲେ ଓ ପିଲାଙ୍କ ପରି କାନ୍ଦିବାକୁ ଲଗିଲେ । ହାତ ଦୁଇଟା ସ୍ଥାଣୁ ପାଲଟିଗଲା । ଏପରି ଅବସ୍ଥାରେ ଯେ ସତ୍ୟବ୍ରତ ବାବୁଙ୍କ ଅବସ୍ଥା କ’ଣ ହୋଇ ଯାଇଥିବ, ଏକା ସେ ଜାଣନ୍ତି ଓ ସୃଷ୍ଟିକର୍ତ୍ତା ସ୍ରଷ୍ଟା ଜାଣନ୍ତି ।

 

ସେହି ଭୟପ୍ରଦ ଲୁହାର ହାତ ଦୁଇଟି ଯାଇଁ ସତ୍ୟବ୍ରତ ବାବୁଙ୍କ ଅଣ୍ଟାକୁ ଏପରି ସଜୋରେ ଜାବୁଡ଼ି ଧରିଥିଲା ଯେ ପଙ୍କରୁ ମାଛ ଚିପି ଧରିଲା ପରି ନୁହେଁ । ଧରିଥିଲା ଦୟାର ପରାଣ ହୋଇ । ଏପରିକି ସତ୍ୟବ୍ରତ ବାବୁଙ୍କୁ କୌଣସି ଆଉ କଷ୍ଟ ହେଉ ନଥିଲା । ଜଳରେ ଡୁବି ଯାଉଥିବାବେଳେ ଯେପରି କୁମ୍ଭୀରକୁ କାଠଗଡ଼ ଭାବି ତାରି ଉପରେ ଆଶ୍ରୟ ନେବାପରି ସତ୍ୟବ୍ରତ ବାବୁ ଦଉଡ଼ି ମଧ୍ୟରୁ ହାତ ଖସାଇ ସେହି ଲୁହାର ହାତ ମୁଠା ମଧ୍ୟରେ ଆଶ୍ରୟ ନେଲେ । ତା’ପରେ ସେ ଦ୍ରୁମକାୟ ହାତ ଦୁଇଟି ସତ୍ୟବ୍ରତ ବାବୁଙ୍କୁ ଧରି ଧୀରେ ଧୀରେ ତଳକୁ ଖସିଗଲା । ସେ ଗୋଟାଏ ଖଣି । ସେହି ଖଣି ମଧ୍ୟରେ ପଡ଼ିଥିବା ଗୋଟିଏ ମଖମଲ କନାଯୁକ୍ତ ସ୍ପ୍ରିଙ୍ଗ ଗଦି ଉପରେ ବସାଇ ଦେଇ ତାକୁ ହସ୍ତ ବନ୍ଧନରୁ ମୁକ୍ତକରି ପୂର୍ବବତ୍‍ ସେହି ଗର୍ଜନ କରି ସେହି ଅନ୍ଧକାରରେ କେଉଁଆଡ଼େ ଅନ୍ତର୍ହିତ ହୋଇଗଲା । ମନେହୁଏ ସେ ତା’ର ନିର୍ଦ୍ଦିଷ୍ଟ ସ୍ଥାନକୁ ଚାଲି ଯାଇଛି । ସେ ସେହି ଆବାଜକୁ କାନ ଡେରି ଶୁଣିଲେ ହେଲେ ଆଉ ସେ ଶବ୍ଦ ତାଙ୍କ କାନକୁ ଆସିଲା ନାହିଁ । ତାଙ୍କର ଇଚ୍ଛାଥିଲା ସେ ହାତର ଶବ୍ଦ ଶୁଣି ତା’ର ଗତିପଥକୁ ଲକ୍ଷ କରିବେ । କିନ୍ତୁ ସେ ଆଶା ତାଙ୍କର ନିଷ୍ଫଳ ହେଲା । ଶବ୍ଦ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଦୁଇ ତିନି ମିନିଟ୍‍ ଘରଟି ଅନ୍ଧକାରରେ ବୁଡ଼ି ରହିଥିଲା ଓ ନିସ୍ତବ୍ଧତା ରାଜ୍ୱତି କରୁଥିଲା । ସେହି ଅନ୍ଧକାରକୁ ଦୂରକରି ଆଖି ଝଲସାଇ ଜଳି ଉଠିଲା ଗୋଟିଏ ବଡ଼ ଇଲେକ୍‌ଟ୍ରିକ୍‌ ବଲବ । ଆଉ ସେହି ନିସ୍ତବ୍ଧତାକୁ ଭଙ୍ଗକରିଥିଲା ଇଲେକ୍‍ଟ୍ରିକ୍‍ ଚାଳିତ ଦୁଇଟି ପଙ୍ଖାର ସାଇଁ ସାଇଁ ଗର୍ଜନ । ବଲବଟି ଉଜ୍ଜ୍ୱଳତା ପ୍ରକାଶ କରି ସ୍ଥାନଟିକୁ ସୁମନୋହର କରିବାକୁ ଲାଗିଲା । ପଙ୍ଖା ଦୁଇଟି କିଣା ଚାକର ପରି ପବନ ଯୋଗାଇଲେ । କାହିଁକି-? କେବଳ ମାତ୍ର କ୍ଷଣକ ପୂର୍ବରୁ ସତ୍ୟବ୍ରତ ବାବୁ ଯେଉଁ ଯନ୍ତ୍ରଣା ଅନୁଭବ କରିଥିଲେ ସେତକ ଦୂରେଇ ଦେବାପାଇଁ ।

 

ସି.ଆଇ.ଡି ସତ୍ୟବ୍ରତ ବାବୁ ଏହାସବୁ ଦେଖି ଆଶ୍ଚର୍ଯ୍ୟ ହେଉ ଥାଆନ୍ତି । ଯେତିକି କୌତୂହଳୀ ହେଉଥାନ୍ତି ସେତିକି ମନେମନେ ଭାବୁ ଥାଆନ୍ତି ଏ କ’ଣ ସ୍ୱପ୍ନ ନା, ସତ୍ୟ !! ନା, ସତ୍ୟପରି ଉଦ୍‍-ବେଧ ହୁଏନା । ଏହା ନିଶ୍ଚୟ ସ୍ୱପ୍ନ । ତା’ ନ ହେଲେ କ୍ଷଣକ ପୂର୍ବରୁ ଯେଉଁ ଗୃହଟି ଅନ୍ଧକାର ପୂର୍ଣ୍ଣ ବିକଟ ରୂପରେ ଜିହ୍ୱା ଲହ ଲହ କରି ଖାଁ, ଖାଁ; ଗୋଡ଼ାଉଥିଲା । ସେ ବର୍ତ୍ତମାନ କାହିଁ-! ତା’ ପରିବର୍ତ୍ତେ ଏ ସୁସର୍ଜିତ କାରୁକାର୍ଯ୍ୟ ପରିବେଷ୍ଟିତ ସୁମନୋହର ପ୍ରକୋଷ୍ଠଟି ଆସିଲା କେଉଁଠୁ-?? କ୍ଷଣକ ପୂର୍ବେ ଥିଲା ଯମ ରାଜାର ଡାକରା, ଆଉ କ୍ଷଣକ ପରେ ରାଜଭୋଗ । ରାଜ ସିଂହାସନ-। ବାଃ ଚମତ୍କାର । ଠିକ୍‍ ବାଇସ୍କୋପ୍‌ର ଚଳଚ୍ଚିତ୍ର ପରି, ସଙ୍ଗେ ସଙ୍ଗେ ଓଲଟ ପାଲଟ । ପାଞ୍ଚ ମିନିଟ୍‍ ପୂର୍ବରୁ ତାଙ୍କର ଅବସ୍ଥା ଥିଲା କିପରି ଓ ବର୍ତ୍ତମାନର ଅବସ୍ଥା ଠିକ୍‍ ଆକାଶ ପାତାଳ ପ୍ରଭେଦ ।

 

ଏହି ସବୁ ଘଟଣା ମୁଣ୍ଡରେ ପଶି ସତ୍ୟବ୍ରତ ବାବୁଙ୍କୁ ସମ୍ପୂର୍ଣ୍ଣ ଚିନ୍ତା ସମୁଦ୍ରରେ ଡୁବାଇ ଦେଲା । ସେ ସେହି ସ୍ପ୍ରିଙ୍ଗଦିଆ ଗଦି ଉପରେ ଆଉଜି ପଡ଼ି ଅତୀତ ଓ ବର୍ତ୍ତମାନକୁ ଗୋଟିଏ ପରେ ଗୋଟିଏ ଚିନ୍ତା କରିବାକୁ ଲାଗିଛନ୍ତି । ଏହି ସମୟର ଇଲେକ୍‍ଟ୍ରିକ୍‍ ଫ୍ୟାନର ମୃଦ୍ୟୁ ବଢ଼ାଇ ସେ କେତେବେଳେ ତାଙ୍କର ଆଖି ଯୋଡ଼ାକ ମୁଦି ହୋଇ ଯାଇଛି ତାଙ୍କୁ ଜଣା ନାହିଁ ।

 

X X X X

 

ହାଃ’... ହାଃ’... ହାଃ’... ହାଃ’

 

ଇସ୍‍ କି, ଭୟଙ୍କର ! କି ବିଦ୍ରୂପ ଏ ହାସ୍ୟ ରୋଳ !!! ସତ୍ୟବ୍ରତ ବାବୁଙ୍କ ନିଦ ହଠାତ୍‍ ଭାଙ୍ଗି ଚୁରମାର ହୋଇଗଲା । ବିବ୍ରତ ହୋଇ ପକେଟରୁ ପିସ୍ତଲ କାଢ଼ିବାର ଉଦ୍ଦେଶ୍ୟ ନେଇ ହାତ ଉଠାଇଲେ, ହାତ ଉଠାଇବାରୁ ସେ ଅନୁଭବ କଲେ ତାଙ୍କ ହାତରେ ‘‘ବେଢ଼ି’’ ଆଉ ପକେଟରେ ନାହିଁ ପିସ୍ତଲ । ହାତରେ ବେଢ଼ି ଥିବା ସଙ୍ଗେ ପିସ୍ତଲ ବି ହରଣଚାଳ । ପିସ୍ତଲ ତାଙ୍କର ଜୀବନର ଗୋଟିଏ ପ୍ରଧାନ ସାଥୀ ଏହା ଦେଖି ତାଙ୍କର କ୍ରୋଧାଗ୍ନି ଆହୁରି ଜୋରରେ ପ୍ରଜ୍ଜ୍ୱଳିତ ହୋଇ ଉଠିଲା-। ନାଶିକା ଦେଇ ଉଷ୍ମବାୟୁ ପ୍ରବାହିତ ହେବାକୁ ଲାଗିଲା । କାଳକୁଟ ବିଷଧର ପରି ଫଁ, ଫଁ, ଗର୍ଜି ଉଠିଲେ । ଦାନ୍ତଦ୍ୱାରା ତଳପାଖ ଓଷ୍ଠର ପରଦାକୁ ଚାପିଧରି କ’ଣ ଯେପରି ଆହୁରି କହିବାକୁ ଯାଉଥିଲେ, କିନ୍ତୁ କହି ପାରିଲେ ନାହିଁ, ମୁଖର କଥା ମୁଖରେ ଅଟକି ଗଲା । ତାଙ୍କ ସମ୍ମୁଖରେ ଦଣ୍ଡାୟମାନ ପିସ୍ତଲ ହାତରେ ଜଣେ ସ୍ୱଳ୍ପ ବୟସୀ ତରୁଣୀ । ତାଙ୍କୁ ଦେଖି ସି.ଆଇ.ଡି ସତ୍ୟବ୍ରତ ପ୍ରଶ୍ନ କଲେ, ଓଃ ତୁମେ !!

 

ପିସ୍ତଲ ଧାରିଣୀ ତରୁଣୀଟି ଉତ୍ତର ଦେଲା ଥଟ୍ଟାଳିଆ ହସ ହସି–ହଁ, ହଁ, ମୁଁ ପରିଚୟ ପାଇଁ ହୁଏତ ବେଶୀ ପରିଶ୍ରମ କରିବାକୁ ପଡ଼ୁନଥିବ ଆପଣଙ୍କୁ ? ଭାଇଙ୍କୁ ଖୋଜିବା ଉଦ୍ଦେଶ୍ୟରେ ଆସି ଗୋଲ ଟେବୁଲ କରେ ପଡ଼ିଥିବା ଚିୟାର ଉପରେ ଯାହାକୁ ବାଷ୍ପାକୁଳ ନୟନରେ ଚାହିଁରହିଥିଲ ଯାହାର ମୁଖମଣ୍ଡଳକୁ ସେହି, ସେହି ମୁଁ ତାଙ୍କରି ଭଗ୍ନୀ ଲତିକା କୁମାରୀ । ଏଥର ବୋଧହୁଏ ମୋର ସମ୍ପୂର୍ଣ୍ଣ ପରିଚୟଟା ପାଇଗଲେ ?

 

‘‘ତୁମଠାରୁ ମୁଁ କୌଣସି ପରିଚୟର ଆଶା କରେନା କୁମାରୀ, କିମ୍ବା ତୁମର..... ।’’

 

‘‘ତାହାହେଲେ କେବଳ...... ।’’

 

ଏହାଶୁଣି ସି.ଆଇ.ଡି. ସତ୍ୟବ୍ରତ ବାବୁ କ୍ରୋଧରେ ପ୍ରଜ୍ଜ୍ୱଳିତ ହୋଇ ପ୍ରଶ୍ନ କଲେ–‘‘ଏହାର ମାନେ ?’’

 

‘‘ଏସବୁର ମାନେ ବୁଝିବାକୁ ସେ ସମୟ ଆସିନି ମିଷ୍ଟର ଗୋଇନ୍ଦା ।’’ ସମୟ ଆସିଲେ ବଳେ ଜାଣିପାରିବ । ଏଇନେ କ୍ରୋଧାନ୍ୱିତ ହୋଇ ଲାଭ କିଛି ହେବନି । ବରଂ କ୍ଷତି, ଓଃ ମିଷ୍ଟର ! ତୁମକୁ ବି କଷ୍ଟ ହେଉଛିନା ? ତୁମପାଇଁ ବା ମୁଁ କ’ଣ ସାହାଯ୍ୟ କରିପାରେ ?? ମୁଁ ଜାଣୁଛି ଏହି ରସିଟା–

 

“ଥାଉ, ଥାଉ । ତୁମକୁ ଆଉ ଏତେ ମୋ’ପାଇଁ ଅନୁତାପ କରିବାକୁ ମୁଁ କହୁନି ।’’ ତୁମେ ମୋ ଆଗରୁ ଚାଲିଯାଅ । ଯଦିବା ନ ଯାଅ ତା’ହେଲେ–‘‘ତୁମର ଯାହା ମୋ’ପ୍ରତି କଠୋର ଶାସ୍ତି ଦେବାର ଥାଏ ତା’ ବରଂ ଦେଇଦିଅ ମୁଁ ସାଦରେ ତାକୁ ଗ୍ରହଣ କରିନେବି । କିନ୍ତୁ ମୋତେ ଏପରି ବିରକ୍ତି କରାଅନା ।’’

 

‘‘ହୁ, ତୁମର ପୁଣି ଏତେସ୍ପର୍ଦ୍ଧା, ଏଡ଼େ ସାହାସ ଅପେକ୍ଷା କର ତାହାହେଲେ ସେହି ଶୁଭମୁହୂର୍ତ୍ତକୁ । ବେଶୀ ସମୟ ନୁହେଁ ଖୁବ୍‍ ଅଳ୍ପ ସମୟ ମଧ୍ୟରେ ଏହାର ଯଥାଯଥ ଉତ୍ତର ଓ ସେଥିପାଇଁ ତୁମକୁ ଯେଉଁ ଶାସ୍ତି ଦେବାର କଥା ତାହାହିଁ ଦିଆଯିବ ।’’

 

ଏହା କହି ତରୁଣୀ ଜଣକ ବାଟାର ରବର ଚପଲଟାକୁ ଚଟ ଚଟ କରି ସେ ଘରମଧ୍ୟରୁ ବାହାରି ଯାଇଁ ଘରର ବାହାର ଅଗଣାରେ କିଛି ସମୟ ଠିଆହୋଇ ରହିଲା । କି ଉଦ୍ଦେଶ୍ୟ ନେଇ ସେ ସେଠାରେ ଠିଆ ହେଲା କେବଳ ତାକୁହିଁ ଜଣା । କ୍ଷଣକାଳ ଗତହେବା ପରେ ଗୋଟିଏ ଆଶ୍ଚର୍ଯ୍ୟ ଘଟଣା ସୃଷ୍ଟିହେଲା ସେଠାରେ, ତାଙ୍କ ଦୁଇକଡ଼ରୁ ଦୁଇଟା କାନ୍ଥ ନିଜକୁ ନିଜେ ଆସି ସି.ଆଇ.ଡି. ସତ୍ୟବ୍ରତ ବାବୁଙ୍କ ଆଗରେ ଜୟଣ୍ଟହୋଇଗଲା । ବନ୍ଦ ହେବାର କାରଣ ହେଉଛି କେବଳ ମାତ୍ର ପ୍ରକୋଷ୍ଠଟିର ରାସ୍ତା ଅବରୋଧ କରିବା ନିମନ୍ତେ ।

 

ଆଜି ମଧ୍ୟ ସତ୍ୟବ୍ରତ ବାବୁ ପୂର୍ବପରି ବନ୍ଦି । ବଳିଆର ସିଂ ଜେଲରେ । ସେହି ଜେଲ ମଧ୍ୟରେ ରହି ଲତିକାର ଶେଷ କଥା ପଦକ ଉପରେ ମୁଣ୍ଡ ଖେଳାଉଛନ୍ତି । ଲତିକା କହିଗଲା, ମୋର ଶୁଭମୁହୂର୍ତ୍ତ ପାଖେଇ ଆସିଲାଣି ଏହାଠାରୁ ବଳି ମୋ’ପାଇଁ ଆହୁରି ପୁଣି ଗୋଟିଏ ଶୁଭମୁହୂର୍ତ୍ତ ଅବା ଅଛି କ’ଣ ? ଆଉକିବା ମୋ’ପାଇଁ ଅନ୍ୟ ଗୋଟିଏ ଶୁଭମୁହୂର୍ତ୍ତ ନୂଆ ହୋଇ ଜନ୍ମଗ୍ରହଣ କରିବ ? ପୁଣି ବେଶୀ ସମୟ ନୁହେଁ–ଖୁବ୍‍ ଶୀଘ୍ର । ତେବେ–ତେବେ ଆଉ କ’ଣ ଏହା ଅପେକ୍ଷା ଅଧିକ କିଛି ହୋଇପାରେ !

 

ହଁ ହୋଇ ପାରିବ । ଜୀବନର ଶେଷ ଆଉ ସ-ମା-ପ୍ତି । ସତ୍ୟବ୍ରତ ବାବୁଙ୍କ ଦୁଇ ଚକ୍ଷୁରୁ ଦୁଇଟୋପା ଅଶ୍ରୁ ବାହାରି ଆସିଲା, ଯଦି ଏହିପରି ଅବସ୍ଥାରେ ତାଙ୍କର ଏହି ମୂଲ୍ୟବାନ ଜୀବନର ଅବସାନ ଘଟେ ତାହାହେଲେ ଘରେ ତାଙ୍କର ସହଧର୍ମ୍ମିଣୀ ଓ ଛୋଟ ଛୋଟ ଦୁଇ ତିନୋଟି ପିଲାଙ୍କର ଅବସ୍ଥା ଯେ କ’ଣ ନ ହେବ, ଏହି ଚିନ୍ତାରେ ସେ ଖୁବ୍‍ ମ୍ରିୟମାଣ ହୋଇ ପଡ଼ିଥିଲେ । କ୍ରମେ କ୍ରମେ ଚକ୍ଷୁରୁ ଅନବରତ ନୀର ଗଡ଼ିବାକୁ ଲାଗିଲା ଓ ସେହି ନୀର ଆସି ତାଙ୍କର ବକ୍ଷ ସ୍ଥଳକୁ ଓଦା କରିଦେଲା ।

 

କିଛି ସମୟ ନିରବ ହୋଇଗଲେ ସେ । ହେଲେ ଲୋତକ ଧାର ନିରବ ହେଲାନି ସେ କ୍ରମାନ୍ୱୟେ ଧାର ଧାର ହୋଇ ଛୁଟିବାକୁ ଲାଗିଲା ।

 

ସତ୍ୟବ୍ରତ ବାବୁ ଚମକି ଉଠି କହିଲେ–ମୁଁ କ’ଣ କରୁଛି । ପିଲାଙ୍କ ପରି କାନ୍ଦୁଛି କାହିଁକି-? ଏଥିରେ କ’ଣ ମୋର..... । ବରଂ ମୋର ନିଜତ୍ୱ ଲୋପ ପାଇ ଯାଉଛି । ଏଥିପାଇଁ ଭଗବାନ ମୋ ଉପରେ ଅସନ୍ତୋଷ୍ଟ ହେବେ । ମୁଁ ମୋର କର୍ମର ଅବହେଳା କରୁଛି । ଏ ମୋର କଲାକର୍ମର ପ୍ରାୟଶ୍ଚିତ । ଯାହାହେଉ ବରଂ ଆସୁ ଝଡ଼ । ଆସୁ ଝଞ୍ଜା । ମୋରି ଶିରଉପର ଦେଇ ପ୍ରବାହିତ ହୋଇଯାଉ । ହେଲେ ମୁଁ ମୋର କର୍ତ୍ତବ୍ୟରୁ କେବେ ତିଳେମାତ୍ର ତ୍ରୁଟି କରିବିନି । ମୋତେ ବର୍ତ୍ତମାନ ମୋର କର୍ତ୍ତବ୍ୟ ସମାପନ କରିବାକୁ ହିଁ ପଡ଼ିବ । ବିଧିର ବିଧାନ ବିପଦ ବେଳେ କାତର ହେବା ଅମନୁଷ୍ୟତାର ପରିଚୟ ଛଡ଼ା ଆଉ ଅନ୍ୟ କ’ଣ ହୋଇପାରେ ? ମନୁଷ୍ୟ ପକ୍ଷରେ ଅସାଧ୍ୟବସ୍ତୁ-। ଦୁନିଆଁରେ ବିରଳ । ଥରେ ନୁହଁ ଦୁଇଥର ନୁହଁ ବାରମ୍ବାର ଚେଷ୍ଟା କରି ଅସାଧ୍ୟକୁ ସାଧ୍ୟତାରେ ପରିଣତ କର, ପ୍ରତ୍ୟେକ ଲୋକ ପକ୍ଷରେ ଏପରି ସ୍ଥଳେ ଏକାନ୍ତ କର୍ତ୍ତବ୍ୟ ।

 

ସତ୍ୟବ୍ରତ ବାବୁଙ୍କ ମନ ସଙ୍ଗେ ସଙ୍ଗେ ପ୍ରଫୁଲ୍ଲିତ ହୋଇଗଲା । ତାଙ୍କର ରକ୍ତହୀନ ଭାବୁଥିବା ଶରୀରରେ ଯେପରି ଦ୍ୱିଗୁଣିତ ଗରମ ରକ୍ତ ପ୍ରବାହିତ ହେବାକୁ ଲାଗିଲା । ଅନୁଭବ କଲେ ପ୍ରତ୍ୟେକ ଶିରାପ୍ରଶିରାରେ, ଚାରିଆଡ଼କୁ ଚାହିଁ କେବଳ ଚିନ୍ତା କରିବାକୁ ଲାଗିଲେ ମୁକ୍ତିର ପଥ କେଉଁଠି ? ସବୁଦିଗରୁ କିଏ ଯେମିତି କହୁଛି ସତ୍ୟବ୍ରତ ବାବୁ ! ତୁମର ବର୍ତ୍ତମାନ ମୃତ୍ୟୁର ସମୟ ଆସିନି । ତୁମର ଏଇନେ ବହୁତ କାମ ବାକି ଅଛି । ତୁମେ ଚେଷ୍ଟାକର କପରି ଏହି ଜେଲ ମଧ୍ୟରୁ ବାହାରିଯାଇ ପାରିବ । ଏପରିଭାବେ ଭାଙ୍ଗିପଡ଼ିବା ତୁମ ପକ୍ଷରେ ଶୋଭାପାଏନା । ହଁ ତୁମେ ଆପ୍ରାଣ ଚେଷ୍ଟା ଚଳାଇ ଏଠାରୁ ପଳାଇ ଯାଅ, ପଳାଇ ଯାଅ ।

 

ଦେହ ତାଙ୍କର ଶିହରି ଉଠିଲା । ଲୋମଗୁଡ଼ିକ ଠିଆ ହୋଇଗଲା । ଆଉ ଅପେକ୍ଷା କରିପାରିଲେ ନାହିଁ । ବନ୍ଧନ ହାତ ଦୁଇଟାକୁ ଉପରକୁ ତୋଳି ଈଶ୍ୱରକୁ ପ୍ରାର୍ଥନା କଲେ, ମୋତେ ଏ ବିପଦରୁ ମୁକ୍ତିକର ପ୍ରଭୁ । ମୁଁ ମୁକ୍ତିହେବା ସଙ୍ଗେ ସଙ୍ଗେ ସାରା ଓଡ଼ିଶାର ଜନସମାଜ ଏହି ଦସ୍ୟୁ ବଳିଆର ସିଂ ଦାଉରୁ ରକ୍ଷା ପାଇଯିବେ ।

 

X X X X

 

ଲତିକା କୁମାରୀ ଯିବା ସଙ୍ଗେ ସଙ୍ଗେ ଯେଉଁ କାନ୍ଥ ଯୋଡ଼ାକ ଘଡ଼ ଘଡ଼ ଶବ୍ଦ କରି ଏକତ୍ର ହୋଇଯାଇଥିଲା, ସତ୍ୟବ୍ରତ ବାବୁ ପ୍ରଥମେ ସେ ସ୍ଥାନକୁ ଯାଇଁ ଭଲଭାବରେ ସେ କାନ୍ଥଟିକୁ ନିରୀକ୍ଷଣ କଲେ । ଭାବିଲେ ଏ କାନ୍ଥଟିରେ ଏପରି କିଛି ଗୋଟିଏ ଶକ୍ତି ନିହିତ ଅଛି । ଯଦ୍ୱାରା ଆପେ ଆପେ ଖୋଲେ ଓ ଆପେ ଆପେ ବନ୍ଦ ହୋଇଯାଏ । ଇତିମଧ୍ୟରେ ନିଶ୍ଚୟ ଇଲେକ୍‌ଟ୍ରିକ୍‍ ବୈଜ୍ଞାନିକ ଯନ୍ତ୍ରପାତି ବ୍ୟବହୃତ କରାଯାଇଛି । ଏହା ଯଦି ହୋଇଥାଏ ତା’ହେଲେ ଏହି କାନ୍ଥ ଦେହରେ ନିଶ୍ଚୟ କୌଣସି ଜାଗାରେ ଗୋଟିଏ ସୁଇଚ୍‍ ଥିବ । ଏହା ଭାବି କାନ୍ଥ ଦୁଇଟାକୁ ଖୁବ୍‍ ତନ୍ନ ତନ୍ନ କରି ଦେଖିବାକୁ ଲାଗିଲେ । ବହୁ ଶ୍ରମ ସ୍ୱୀକାର କଲେ । ହେଲେ ଶ୍ରମ ତାଙ୍କର ଫଳପ୍ରଦ ହେବାର ଆଶା ଦେଖିଲେନି । ନିରାଶରେ ଫେରି ଯାଉଥିଲେ । ପୂର୍ବେ ଯେଉଁ ଗଦିରେ ବସିଥିଲେ ତାରି ନିକଟକୁ ।

 

ହଠାତ୍‍ ତାଙ୍କର ଆଖି ଯୋଡ଼ାକ ଯାଇଁ ସେହି ଗଦିର ପଛପଟ ଦିଆଲର ଗୋଟିଏ ଜାଗାରେ ସ୍ଥିର ହୋଇଗଲା । ସେ ଦେଖିବାକୁ ପାଇଲେ, ତଳଠାରୁ ପାଞ୍ଚଫୁଟ ଉଚ୍ଚରେ ଗୋଟିଏ ସାଧା ବୋତାମ ପରି କ’ଣ ଗୋଟାଏ ଦେଖାଯାଉଛି । ନାଲି ରଙ୍ଗର ଦିଆଲ ମଧ୍ୟରେ ସ୍ପଷ୍ଟ ଓ ପରିଷ୍କାର ଭାବେ ପରିଲକ୍ଷିତ ହେଉଛି ।

 

ଏହା ଦେଖି ମନରେ ତାଙ୍କର ଉତ୍ସାହ ଜନ୍ମିଲା । ସେ ଧୀରେ ଧୀରେ ସେହି ବୋତାମ ନିକଟକୁ ଆଗେଇ ଗଲେ । ଆଉ ମଧ୍ୟ ତାକୁ ଖୁବ୍‍ ନିରୀକ୍ଷଣକରି ଦେଖିବାକୁ ଲାଗିଲେ । ସେଇଟି ହେଉଛି ଗୋଟିଏ ଇଲେକ୍‌ଟ୍ରିକ୍‍ ସୁଇଚ୍‍ । ସେ ସୁଇଚ୍‌ଟା କାହା ସଙ୍ଗେ ସମ୍ପୃକ୍ତ । ସେ ଅବା ଜାଣିବେ କିପରି ଏବଂ ତଦ୍ୱାରା କାର୍ଯ୍ୟ କ’ଣ ସେ ସେହି ଚିନ୍ତା କରିବାକୁ ଲାଗିଲେ । ଯଦିବା ତା’ର କାର୍ଯ୍ୟର କୌଣସି କୂଳକିନାରା ଧରନ୍ତେ ହେଲେ ଧରିବେ ବା କିପରି । ହସ୍ତ ଦୁଇଟି ସେ ଖୁବ୍‍ ମଜଭୁତ୍‍ ରେଶମ ରସିରେ ବନ୍ଧା । ଫିଟିବ କିପରି ? ଛିଣ୍ଡାଇ ପାରିବେ କି ?? ବନ୍ଧନ ହାତ ଦୁଇଟା ବହୁବାର ସେହି ସୁଇଜ୍‍ ନିକଟକୁ ଉଠାଇଛନ୍ତି, ଅଥଚ ନିରାଶ ହେବା ବ୍ୟତୀତ ଲାଭ କିଛି ହୋଇନି । କାରଣ ଦୁଇଟା ହାତ ଉପରକୁ ଉଠିବା ଭଳି ପରିସ୍ଥିତିରେ ନଥିଲା । ତେଣୁ....... ମନରେ ଭାଳେଣି ପଡ଼ିଲା-। ହାତ ଦୁଇଟି ବନ୍ଧନରୁ ମୁକ୍ତି ହେବ କିପରି । ଯଦି ମୁକୁଳାଇ ନ ପାରନ୍ତି ତା’ହେଲେ ଜୀବନ ବିପନ୍ନ ହେବା ସଙ୍ଗେ ସଙ୍ଗେ ତାଙ୍କର ସମସ୍ତ ଆଶା ପଣ୍ଡ ହୋଇଯିବ ।

 

ହାତକୁ ହୁଗୁଳାଇ ନେବାପାଇଁ ବହୁତ ଚେଷ୍ଟାକଲେ । ଫଳରେ ହାତ ହୁଗୁଳିଯିବା ଦୂରେ ଥାଉ, କିନ୍ତୁ ହାତରୁ ଚମଡ଼ା ଉଠି ରକ୍ତସ୍ରାବ ହେଲା । କ୍ରମେ କ୍ରମେ ରସି ଖଣ୍ଡି ହାତରେ ଚାପିହୋଇ ଫୁଲିଯିବାକୁ ଲାଗିଲା । ଭୀଷଣ କଷ୍ଟ ହେଲା ମଧ୍ୟ । ପୂର୍ବ କଷ୍ଟରୁ ଏ କଷ୍ଟ ଆହୁରି ବଢ଼ିଗଲା । ଅତି କରୁଣ ଭାବରେ ଡାକିଲେ–‘‘ହେ ଦୟାମୟ, ହେ ସରଣ ପଞ୍ଜର । ଏ କ୍ଷେତ୍ରରେ ଏକମାତ୍ର ତୁମେହିଁ ମୋର ସାହା ଆଉ ଭରଷା ।’’

 

ହାତ ବନ୍ଧନରୁ ମୁକ୍ତ କରିବାର କୌଣସି ଉପାୟ ନଦେଖି ନିରୁପାୟ ଭାବରେ ଉକ୍ତ ଦିଆଲକୁ ଆଉଜି ଠିଆହୋଇ ରହିଲେ । ଅମାନିଆଁ ଆଖି ଦୁଇଟାରୁ ଲୋତକ ଅନର୍ଗଳ ଛୁଟିବାକୁ ଲାଗିଲା ।

 

ହଠାତ୍‍ କାହିଁକି ତାଙ୍କର ଭ୍ରୂକୁଞ୍ଚିତ ହୋଇଗଲା । ବୋଧହୁଏ ତାଙ୍କ ମନରେ କୌଣସି ଉପାୟ ଆସି ଦେଖା ଦେଇଛି । ସେ ଭାବିଲେ ତାଙ୍କ ପକେଟରେ ଥିବା ପେଟ୍ରୋଲ ମ୍ୟାଚ୍‍ ସାହାଯ୍ୟରେ ରସିଟାକୁ ପୋଡ଼ି ପକାଇଲେ ତାହାହେଲେ ବନ୍ଧନରୁ ସେ ମୁକ୍ତି ପାଇଯିବେ । ତେବେ ସେଇଟାବି ବାହାରିବ କିପରି ? ଏପରି ଭାବରେ ବନ୍ଧା ଯାଇଛି ପକେଟ ମଧ୍ୟକୁ ଯିବା ଅସମ୍ଭବ ।

 

ଉପାୟ ଥିଲେ ବି ତା’ କ’ଣ କାର୍ଯ୍ୟକାରୀ ହେବନି । ଜାଣୁ ଜାଣୁ ଜୀବନଟା ବିପନ୍ନ ହୋଇଯିବ । ନା, ନା, ଏ ମୂଲ୍ୟବାନ ଜୀବନକୁ ସେ ନିଶ୍ଚୟ ବଞ୍ଚାଇ ରଖିବେ, ଉପାୟ ଅବଶ୍ୟ ଅଛି-

 

ଚାଲିଲେ ଗଦି ନିକଟକୁ । ଗଦି ନିକଟରେ ଠିଆହୋଇ ଯେଉଁ ପକେଟରେ ଲାଇଟରଟା ଥିଲା ସେ ପକେଟଟିକୁ ଗଦି ବାଡ଼ାରେ ଲଗାଇ ଆଗକୁ ଝୁଙ୍କି ଆସିଲେ । ଫଳରେ କମିଜରୁ ଅଧେ ଚିରି ହୋଇଗଲା । ସେହି ଅର୍ଦ୍ଧାକାଂଶଟି ଗଦି ବାଡ଼ାରେ ଝୁଲି ରହିଲା । ତା’ରେ ସେ ଜାମାଟାକୁ ଦାନ୍ତଦ୍ୱାରା ତଳକୁ ବାହାର କରିଆଣି ଗୋଡ଼ ଓ ବନ୍ଧନଯୁକ୍ତ ହସ୍ତଦ୍ୱାରା ବହୁକଷ୍ଟରେ ଲାଇଟରଟା ବାହାର କରି ଆଣିଲେ । ଏଣିକି ତାଙ୍କ ମନର ଖୁସି କହିଲେ ନ ସରେ । ଲାଇଟରଟି ଗୋଡ଼ର ବୃଦ୍ଧାଙ୍ଗୁଳିଦ୍ୱାରା ଜଳାଇ ରସିଟି ତା’ ସାହାଯ୍ୟରେ ପୋଡ଼ି ପକାଇଲେ । କିଛିକ୍ଷଣ ପରେ ରସିଟା ପୋଡ଼ିଯାଇ ହାତରୁ ଖୋଲିଗଲା ।

 

ତା’ପରେ ଖାଲି ଉତ୍ସୃଙ୍ଖଳ ପ୍ରେମ । ଆନନ୍ଦର ସୀମାମୋତି ପାହାଡ଼ ଜଙ୍ଗଲ ଦିଗକୁ ଗତିକଲା । ଶୀଘ୍ର ଦୌଡ଼ିଗଲେ ଉକ୍ତ ବୋତାମ ନିକଟକୁ, ବୋତାମଟିକୁ ହାତର ଅଙ୍ଗୁଳିଦ୍ୱାରା ଟିପି ଦେବାରୁ ପଛରୁ ଶୁଭିଲା ‘‘ଟକ୍..... ଟକ୍..... ଟକ୍–’’ ସତ୍ୟବ୍ରତ ବାବୁ ପଛକୁ ଚାହିଁ ଚମକି ପଡ଼ିଲେ, ଦେଖିଲେ ଘରର ମଧ୍ୟାଶଂରୁ ଖଣ୍ଡିଏ ସିମେଟ ଲଗା ପଥର କେଉଁଆଡ଼େ ଅନ୍ତର୍ହିତ ହୋଇଯାଇଛି ଓ ସେହି ସ୍ଥାନରେ ଫିଟିଯାଇଛି ଗୋଟିଏ ସୁଡ଼ଙ୍ଗପଥ । ବୋତାମକୁ ଛାଡ଼ିଦେଇ ସତ୍ୟବ୍ରତ ବାବୁ ଦୌଡ଼ିଗଲେ ସୁଡ଼ଙ୍ଗ ନିକଟକୁ ସେହି ରାସ୍ତାଦେଇ ପଳାଇଯିବା ପାଇଁ ଉଦ୍ୟତ ହେଲେ । ହେଲେ ଯିବା ପୂର୍ବରୁ ତାଙ୍କ ମନଟି କାହିଁକି ସଙ୍କୋଚିତ ହୋଇଗଲା । କାରଣ ଏ ରାସ୍ତାଟି କ’ଣ ତାଙ୍କ ପକ୍ଷରେ ନିରାପଦ ନା ଏହା ମଧ୍ୟରେ ଆଉ କୌଣସି ଗୁପ୍ତ ରହସ୍ୟ ଲୁକ୍କାୟିତ ଭାବେ ଆତ୍ମଗୋପନ କରିଛି ? ଏ ତ ଗୋଟାଏ ବିଷଧରର ଆଶ୍ରୟସ୍ଥଳୀ ବୋଲି ମନେହୁଏ, ଜାଣୁ ଜାଣୁ ସାପ ଗାତରେ ଗୋଡ଼ ପୂରାଇବେ କିପରି ? ଯଦି ଏ ଘର ଅପେକ୍ଷା ଅଧିକ ବିପଦ ଏହା ଦିଗକୁ ଅଥବା ଯେଉଁ ଉଦ୍ଦେଶ୍ୟ ମଧ୍ୟରେ ଥାଏ ତାହାହେଲେ...... ।

 

ଶେଷ ସିଦ୍ଧାନ୍ତରେ ଉପନୀତ ହେଲେ । ଜୀବନର ଅବସାନ ଘଟୁ ବରଂ ସେ ସେହି ରାସ୍ତାଦେଇ ଯିବେ । ସେହି ରାସ୍ତାର ଗତି ଯେଉଁ ଦିଗକୁ ଅଥବା ଯେଉଁ ଉଦ୍ଦେଶ୍ୟ ହେଉନା କାହିଁକି ସେ ପଥଦେଇ ଯିବାକୁ ଆରମ୍ଭ କଲେ ।

 

ସୁଡ଼ଙ୍ଗ ମଧ୍ୟକୁ ଦୁଇଫୁଟ ଖଣ୍ଡ ଯିବାପରେ ଦେଖିବାକୁ ପାଇଲେ ସାମାନ୍ୟ ଆଲୋକର ରଶ୍ମି ତା’ ମଧ୍ୟରେ । ଆଉ ସେହି ସଙ୍ଗେ ସଙ୍ଗେ ଗୋଟିଏ ରସିର ଦୋଳି ଆସି ଯେପରି ତାଙ୍କୁ ଆହ୍ୱାନ କରୁଛି ମୋ ଉପରେ ବସ ମୁଁ ତୁମକୁ ନିରାପଦ ସ୍ଥାନକୁ ନେଇ ଛାଡ଼ି ଆସିବି ।

 

ସତ୍ୟବ୍ରତ ବାବୁ ଏହା ଦେଖି ଆଶ୍ଚର୍ଯ୍ୟାନ୍ୱିତ ଭାବେ ଭାବିଲେ–‘‘ଏହା ଲୁହାର ହାତପରି ନୁହେଁ ତ ? ଯଦି ତା’ରି ପରି ମାଲିକର ଆଦେଶାନୁଯାଇ ମୋତେ ପୁଣି କୌଣସି ବିପଦ ବହୁଳ ଜାଗାରେ ପହଞ୍ଚାଏ ତେବେ ? ଶେଷ ! ଏଗୁଡ଼ାକ ନିଶ୍ଚୟ ସୈତାନର ଚାଲବାଜି ଦୋଳି ସାହାଯ୍ୟରେ ନ ଯାଇଁ ପାହାଚଦ୍ୱାରା ଯିବା ବରଂ ସର୍ବାପେକ୍ଷା ଶ୍ରେୟସ୍କର ।

 

ଏହା ଭାବି ପାହାଚ ଖୋଜିଲେ । କିନ୍ତୁ କାହିଁ ? ପାହାଚ କେଉଁଠି ପାହଚ ନ ଦେଖି ପୁଣି ଭାବିଲେ–‘‘ନାଁ ଏ ଦୋଳି ସାହାଯ୍ୟରେ ହୁଏତ ଦସ୍ୟୁମାନେ ଯାତାୟାତ କରନ୍ତି, ତା’ ନ ହେଲେ ସୁଡ଼ଙ୍ଗଟି ମଧ୍ୟରେ ନିଶ୍ଚୟ ପାହାଚ ଥାଆନ୍ତା ।’’

 

ହାତବନ୍ଧା ଘଡ଼ି ଉପରେ ନଜର ପଡ଼ିଲା । ସେତେବେଳେ ସମୟ ସାଢ଼େ ତିନି । କୁମାରୀ ଲତିକା ଏ ଘର ମଧ୍ୟରୁ ପଇଁଚାଳିଶି ମିନିଟ୍‍ ହେଲା ଗଲାଣି । ଅତିଶୀଘ୍ର ବୋଲି କହିଯାଇଥିଲା ସେ । ବୋଧହୁଏ ତା’ର ଆସିବାର ସମୟ ହୋଇଗଲାଣି । ସେ ସ୍ଥାନଟି ଆଉ ନିରାପଦ ନୁହେଁ ଭାବି ଉକ୍ତ ଦୋଳି ଉପରକୁ ଡେଇଁପଡ଼ିଲେ । ଦୋଳିଟି ଆସ୍ତେ ଆସ୍ତେ ଯାଇଁ ଚଟାଣରେ ଲାଗିଲା । ସତ୍ୟବ୍ରତ ବାବୁ ଦୋଳିଉପରୁ ତଳକୁ ଆସି ଆଗକୁ ଧାଇଁ ଯିବାକୁ ଲାଗିଲେ । ହଠାତ୍‍ ଗୋଟିଏ ଶବ୍ଦ ଶୁଣିବାକୁ ପାଇଲେ । ପଛକୁ ମୁହଁ ଘୂରାଇ ଦେଖିଲେ ଶବ୍ଦଟି ଆଉ ଅନ୍ୟକିଛି ନୁହେଁ କେବଳ ମାତ୍ର ଯେଉଁ ଦୋଳି ଓ ସିମେଣ୍ଟ ଚଟାଣ ସେ ଦେଖିଥିଲେ ସେଗୁଡ଼ିକ ଯଥା ସ୍ଥାନକୁ ଚାଲିଯାଇଛି । ତା’ରି ଶବ୍ଦ ସେ, ତାଙ୍କ ମନରୁ ସମ୍ପୂର୍ଣ୍ଣଭାବେ ସନ୍ଦେହ ଦୂରୀଭୂତ ହୋଇଗଲା । ସେ ଆଗକୁ ଆଗକୁ ପାଦ ବଢ଼ାଇବାକୁ ଲାଗିଲେ ଖୁବ୍‍ ଦ୍ରୁତପଦରେ ।

ଅନ୍ଧକାର ସୁଡ଼ଙ୍ଗ ପଥ ଦେଇ ପ୍ରାୟ ଅଧ ମାଇଲି ଖଣ୍ଡ ଯିବାପରେ ଦେଖିବାକୁ ପାଇଲେ କେତେଗୁଡ଼ିଏ ପାହାଚ ଉପର ଆଡ଼କୁ ଲମ୍ବିଯାଇଛି ଓ ଯେତେ ଦୂର ପର୍ଯ୍ୟନ୍ତ ପାହାଚଗୁଡ଼ିକ ଅଛି ସୁଡ଼ଙ୍ଗଟି ସେଇଠାରୁ ଶେଷ ହୋଇଯାଇଛି ।

ସତ୍ୟବ୍ରତ ବାବୁ ସେ ପାହାଚ ରାସ୍ତାଦେଇ ଧୀରେ ଧୀରେ ଉପରକୁ ଉଠିବାପାଇଁ ଅଗ୍ରସର ହେଲେ, ଅନ୍ତତଃ ତିରିଶ ଚାଳିଶଟା ପାହାଚ ଅତିକ୍ରମ କରି ଗଲାପରେ ଦେଖିଲେ ଆଉ ତେଣିକି ପାହାଚ ନାହିଁ । ଓ ସେଠାରେ ପୂର୍ବପରି ଗୋଟିଏ ଦୋଳି ଝୁଲୁଛି ।

ଏହା ଦେଖି ସେଥିରେ ସେ ଅବଶ୍ୟ ଆନନ୍ଦତା ପ୍ରକାଶ କଲେନି ବରଂ ଦୁଃଖ ପ୍ରକାଶ କଲେ ଯଦି ଏହି ଦୋଳି ପୂର୍ବପରି ଲୁହାହାତ ଭଳି କାର୍ଯ୍ୟକରେ । ପୁଣି କୌଣସି ବିପଦଶଙ୍କୁଳ ସ୍ଥାନକୁ ନେଇଯାଏ ତାହାହେଲେ ତାଙ୍କର ସମସ୍ତ ଆଶା ଓ ଆକାଂକ୍ଷା ନିଷ୍ଫଳ ହୋଇଯିବ । ସତ୍ୟବ୍ରତ ବାବୁଙ୍କ ମନରେ ଖାଲି ପ୍ରଶ୍ନବାଚକମୟ ହୋଇଉଠିଲା । ଶେଷରେ ନିଜ ମନରୁ ଉତ୍ତର ପାଇଲେ ସେ । ବିପଦ ହେଉ ଅଥବା ସମ୍ପଦ ହେଉ ଏହାର ଆଶ୍ରୟ ନେବାକୁ ତାକୁହିଁ ପଡ଼ିବ । ଏହା ବ୍ୟତୀତ ଆଉ ଅନ୍ୟ କୌଣସି ଉପାୟ ନାହିଁ ।

ପଛରୁ ଶୁଭିଲା ପାଦ ଶବ୍ଦ । ଶବ୍ଦ ଶୁଣି ସତ୍ୟବ୍ରତ ବାବୁ ପଛକୁ ଫେରି ଚାହିଁଦେବା ମାତ୍ରେ ତାଙ୍କର ଆପାଦ ମସ୍ତକ ଥରିବାକୁ ଲାଗିଲା । ଭୟାକୁଳ କଣ୍ଠରେ କହି ପକାଇଲେ ଓଃ–ଲତିକା ତୁମେବି ଏଠାରେ !!! ହେ ଭଗବାନ ତୁମେ ଏପରି ଦୁର୍ଦ୍ଦିନ ବେଳରେ ମୋତେ ବୁଦ୍ଧିଦିଅ ।

ଏହା କହି ସତ୍ୟବ୍ରତ ବାବୁ ହଠାତ୍‍ ଦୋଳିକୁ ଡେଇଁପଡ଼ିଲେ । ଦୋଳି ଚାଲିବା ପୂର୍ବରୁ ପଛରୁ ଶୁଭିଲା ପିସ୍ତଲର ଗୁଡ଼ୁମ୍‍ ଶବ୍ଦ । କିନ୍ତୁ ଗୁଳିଟା ଗୋଟାଏ ଫାଙ୍କା ଆୱାଜ କରି ତା’ର ଅନିର୍ଦ୍ଦିଷ୍ଟ ପଥରେ ଚାଲିଗଲା ।

ଲତିକାର ପିସ୍ତଲ ଆଉଥରେ ପ୍ରସ୍ତୁତ ହେବା ବେଳକୁ ଦୋଳିଟି ଯାଇଁ ଗୋଟିଏ ନିରାପଦ ସ୍ଥାନରେ ପହଞ୍ଚି ଯାଇଥିଲା । ସତ୍ୟବ୍ରତ ବାବୁ ଦୋଳିରୁ ଓହ୍ଲାଇ ଦେଖିଲେ ସେ ଗୋଟିଏ ବିସ୍ତୀର୍ଣ୍ଣ ପଡ଼ିଆ ।

X X X X

ପୋଲିସ ଷ୍ଟେସନ ।

ଗୋଟିଏ ଚିୟାର ଉପରେ ବସିଛନ୍ତି ପୋଲିସ ଇନିସ୍ପେକ୍ଟର ମହେନ୍ଦ୍ର କୁମାର ଓ ଆଉ ଗୋଟିଏ ଚିୟାର ଉପରେ ଉପବିଷ୍ଟ ସୁନାମଧନ୍ୟ ସି.ଆଇ.ଡି ଇନିସ୍ପେକ୍ଟର ସତ୍ୟବ୍ରତ ଚୌଧୁରୀ । ଦୁଇଜଣଙ୍କ ମଧ୍ୟରେ ବାର୍ତ୍ତାର ବିନିମୟ ହେଉଛି ।

 

‘‘ହଁ ବୁଝିଲି ସତ୍ୟବ୍ରତ ବାବୁ ! ତୁମେ ଯାହା ଯାହା କହିଗଲ ତା’ ଅବଶ୍ୟ ସମସ୍ତ ଠିକ୍‍ ହୋଇପାରେ । ତେବେ ମୋର ବକ୍ତବ୍ୟ ଏହି ଯେ, ଆପଣ ପ୍ରଥମେ ବଳିଆର ସିଂହ ସୁଡ଼ଙ୍ଗ ମଧ୍ୟରେ ପ୍ରବେଶ କଲେବା କିପରି ।’’ ରାସ୍ତା ଛାଡ଼ି କ’ଣ ବେରାସ୍ତାରେ ତୁମର ଧାବମାନ ଜିପ୍‌ଟି ଆଗେଇ ଯାଇଥିଲା ??

 

ମହେନ୍ଦ୍ର ବାବୁଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇଁ ସତ୍ୟବ୍ରତ ବାବୁ କହିଲେ–‘‘ମୁଁ କ’ଣ ଏଡ଼େ ବୋକା ? ପ୍ରତ୍ୟେହ ଯେଉଁ ବାଟଦେଇ ଥାନାକୁ ଆସେ ଠିକ୍‍ ସେହି ରାସ୍ତା ଦେଇ ଥାନାକୁ ଆସୁଥିଲି ହଠାତ୍‍ ମୋର ନଜରରେ ଆସିଲା ଗୋଟିଏ କୃତ୍ରିମ ଆଲୋକ ଠିକ୍‍ ବଳିଆର ସିଂର ଲୁହାଗେଟ୍‍ ନିକଟରୁ । ସେତେବେଳେ ଅବଶ୍ୟ ସେହି ଆଲୋକ ମୋର ଆଖି ଦୁଇଟା ବନ୍ଦ କରି ଦେଇଥିଲା ମୁଁ ସେ ଦିଗକୁ ଆଦୌ ଚାହିଁ ପାରି ନଥିଲି । ଆସ୍ତେ ଆସ୍ତେ ଯେତେବେଳେ ସେ ଆଲୋକଟି ଲିଭି ଯିବାକୁ ବସିଲା ମୁଁ ସେତେବେଳେ ମନେମନେ ସ୍ଥିର କରିନେଲି ଏ ହୁଏତ ଗୋଟିଏ କୌଣସି ସଇତାନର ଆଡ୍‌ଡାସ୍ଥଳୀ ହେବ ତେଣୁ....... ।

 

ସତ୍ୟବ୍ରତ ବାବୁ ମୁହଁରୁ କଥା ନସରୁଣୁ ମହେନ୍ଦ୍ର ବାବୁ କହିଲେ–‘‘ତୁମେତ ସେତେବେଳେ ଦେଖିପାରି ନଥିଲ । ସେ ଦିଗକୁ ରାସ୍ତା ଅଛି କି ନା, ତା’ହେଲେ ଗଲ କିପରି ?”

 

‘‘ଅବଶ୍ୟ ସେଇଟା ଉପରେ ମୋର ଏତେଟା ଧ୍ୟାନ ନଥିଲା ତେବେବି, ମୋର ଇଚ୍ଛାରେ ହେଉ କିମ୍ବା ଅନିଚ୍ଛାରେ ହେଉ ଜିପ୍‍ ଖଣ୍ଡି ସେଇ ଦିଗକୁ ଆସ୍ତେ ଆସ୍ତେ ତା’ର ଚକ ଦୁଇଟା ଗଡ଼ାଇ ନେଲା । ମୁଁ ଯେତେବେଳେ ସେ ରାସ୍ତାରେ ଯାଉଥାଏ ମୋର ମନେହେଉଥାଏ, ମୁଁ ଯେପରି ମର୍ତ୍ତ୍ୟପୁର ଛାଡ଼ି ପାତାଳପୁରକୁ ଯାଉଛି । ଏପରି ଭାବରେ ସେ ରାସ୍ତାଟି ପ୍ରସ୍ତୁତ କରାଯାଇଛି ଇଲେକ୍‍ଟ୍ରିକ୍‍ କିମ୍ବା ବୈଜ୍ଞାନିକ ଉପାୟରେ ସରକାରୀ ରାସ୍ତା ସାଙ୍ଗରେ ସେ ରାସ୍ତାଟି ଯେପରି ସମ୍ପୂର୍ଣ୍ଣଭାବେ ମିଳି ଯାଇଛି । ଯାଦ୍ୱାରା ସାଧାରଣ ଲୋକ ପକ୍ଷେ ଜାଣିବା ଏକାବେଳକେ ଦୁରୂହ । ଠିକ୍‍ ଜାଲୁଆ ଯେପରି ଜାଲ ପକାଇ ପାଣି ମଧ୍ୟରୁ ମାଛକୁ ଟାଣି ଆଣେ ବଳିଆର ସିଂର ଜାଲଟି ଠିକ୍‍ ସେହିପରି । ଧନବାନ ବ୍ୟକ୍ତିମାନଙ୍କୁ ନେଇ ସେ ଠିକ୍‍ ମୋରି ପରି ତା’ ମଧ୍ୟରେ ରଖି ଶାସ୍ତି ଦିଏ । ତା’ ପକ୍ଷରେ ଶାସ୍ତିଟା ହେଲା ପ୍ରଥମ ବସ୍ତୁ । ଜୀବନ ନାଶ ଯଦିବା ତା’ର ଏ ଉଦ୍ଦେଶ୍ୟ ନଥାନ୍ତା ତା’ହେଲେ ଏପରି ଲୁହାର ହାତ ସୁଡ଼ଙ୍ଗ ମଧ୍ୟରେ କାରୁକାର୍ଯ୍ୟ ବେଷ୍ଟିତ ଦିଆଲ । ଆଲାରାମ ବେଲ ଓ ଛାତ ଉପରେ ହୁକ ଗୁଡ଼ି ଲଗା ଯାଇଥାନ୍ତା କାହିଁକି ? ସୁଡ଼ଙ୍ଗ ଦୁଇଟି ଓ କୋଠରୀ ଗୋଟିଏ । ଏତିକି କେବଳ ମୋ ନଜରକୁ ଆସିଛି । ଏତଦ୍‍ବ୍ୟତୀତ ଆଉ ସେଠାରେ ସବୁ କ’ଣ ଅଛି ବା କ’ଣ ହୋଇ ଜାଣିଥିବା ମଧ୍ୟରେ କେବଳ ଜାଣିଥିବ ସେଇ ବଳିଆର ସିଂ ନତୁବା ତା’ର ସହଚରମାନେ, ମୋର କିନ୍ତୁ ମନେହୁଏ ଦସ୍ୟୁ ବଳିଆର ସିଂଙ୍କୁ ଧରିବା ଏତେ ସହଜ ବୋଲି ମନେକରାଯାଏନା । ତାକୁ ଧରିବାକୁ ହେଲେ ବହୁତ ସମୟର ପ୍ରୟୋଜନ । ଆଉ ମଧ୍ୟ.....-

 

ଏହା ଶୁଣି ମହେନ୍ଦ୍ର ବାବୁ କହିଲେ–‘‘ଦେଖନ୍ତୁ ସତ୍ୟବ୍ରତ ବାବୁ ସେଦିନ ଆମେ ସୁରେଶ ବାବୁଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇ ଆସିଥିଲେ ଖୁବ୍‍ ଶୀଘ୍ର ତାଙ୍କର କନ୍ୟା ଉର୍ମିମାଳାକୁ ବଳିଆର ସିଂ ହାତରୁ ମୁକ୍ତ କରି ଆଣି ତାଙ୍କ ନିକଟରେ ଦେଇ ଦେବାକୁ, ସୁରେଶ ବାବୁ ଉର୍ମିମାଳାର ବିଚ୍ଛେଦରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଲେଣି ଆଉ ସେ ପାଖରେ ଉର୍ମିମାଳା ମଧ୍ୟ ସଇତାନ ବଳିଆର ସିଂ ନିକଟରେ ରହି ଛଟପଟ ହେଉଥିବ, ଆଉ ତା’ର କୋମଳ ହୃଦୟଟା ଖାଲି ହା, ହା, କାରରେ ପୂର୍ଣ୍ଣ ହୋଇ ଯାଉଥିବ ତେବେ କ’ଣ ଆମେ ତାଙ୍କ କନ୍ୟାକୁ ଉଦ୍ଧାର କରିପାରିବା ନାହିଁ ସତ୍ୟବ୍ରତ ବାବୁ ?”

 

‘‘ନିଶ୍ଚୟ ପାରିବା ତାଙ୍କ ପାଇଁ ଯଦି ମୋର ଏ ଜୀବନଟା ଉତ୍ସର୍ଗ କରି ଦେବାକୁ ପଡ଼େ ତେବେବି ମୁଁ ମୋର କର୍ତ୍ତବ୍ୟରୁ ଅବହେଳା ନକରି ଉର୍ମିମାଳାକୁ ଉଦ୍ଧାର କରିବା ପାଇଁ ଆପ୍ରାଣ ଚେଷ୍ଟା ଚଳାଇ ତାକୁ ଆଣି ସୁରେଶ ବାବୁଙ୍କ ସ୍ତ୍ରୀ କରରେ ଅର୍ପଣ କରିବି । ଏ ମୋର ସଙ୍କଳ୍ପ ଓ ଅଟଳ ପ୍ରତିଜ୍ଞା । ଆପଣ ଶୀଘ୍ର ଦେହରକ୍ଷୀ ଓ ତା’ ସହିତ ସମସ୍ତ ଦରକାରୀ ଜିନିଷଗୁଡ଼ି ସଂଗ୍ରହ କରି ଆଣନ୍ତୁ ଠିକ୍‍ ସାଢ଼େ ଦଶଟା ବେଳକୁ ଏଠାରୁ ବାହାରିଯିବା, ସେଠାରେ ପହଞ୍ଚିବା ବେଳକୁ ଆମର ମଧ୍ୟ ଉପଯୁକ୍ତ ସମୟ ବି ହୋଇ ଯାଇଥିବ । ନାଁ ଆପଣଙ୍କ ମନକୁ କ’ଣ ଆସୁଛି କହିଲେ ଦେଖି ମହେନ୍ଦ୍ର ବାବୁ ।”

 

ହଁ ମୋର ମଧ୍ୟ ସେଇପରି ଉଦ୍ଦେଶ୍ୟ ଥିଲା । ମୋର ଇଚ୍ଛା ପୋଲିସ ବାହିନୀ ସମୂଳେ ଲୋପ ପାଇଯାଉ । ପୋଲିସ ଶବ୍ଦ ଭାରତରୁ ଲୁଚିଯାଉ ବରଂ, ଶେଷ ପର୍ଯ୍ୟନ୍ତ ସୁରେଶ ବାବୁଙ୍କ କନ୍ୟାକୁ ଉଦ୍ଧାର କରି ଆଣିବା ଆମ୍ଭମାନଙ୍କ କର୍ତ୍ତବ୍ୟ ।

 

ଏହି ସେହିଦିନ ଆମ୍ଭର ପ୍ରଧାନମନ୍ତ୍ରୀ ଗୋଟିଏ ପ୍ରେସ ବିଜ୍ଞପ୍ତିରେ ଉଲ୍ଲେଖ କରି କହିଛନ୍ତି, ଯଦି ଏକମାସ ମଧ୍ୟରେ ଦସ୍ୟୁ ସର୍ଦ୍ଦାର ବଳିଆର ସିଂକୁ ବନ୍ଦି କରାନଯାଏ; କେବଳ ସେଇଥି ପାଇଁ ଏକମାତ୍ର ଦାୟୀ ଆମ ପୋଲିସ ବାହିନୀ ।

 

ସତ୍ୟବ୍ରତ ବାବୁ ! ମୋର ମତାମତ ନେବା ପୂର୍ବରୁ ଆପଣ ଶୀଘ୍ର ପ୍ରସ୍ତୁତ ହୋଇ ପଡ଼ନ୍ତୁ ଏ ମହାନ କର୍ତ୍ତବ୍ୟ ପଥରେ । ଆପଣଙ୍କର ଯାହା ଯାହା ଦରକାର ମୁଁ ସମସ୍ତ ପଠାଇ ଦେଉଛି । ଆଉ ମଧ୍ୟ ମୁଁ ଈଶ୍ୱରଙ୍କୁ ଡାକୁଛି ଆପଣ ନିରାପଦରେ କାର୍ଯ୍ୟ ହାସଲ କରି ଫେରି ଆସନ୍ତୁ ।

 

ଇନିସ୍ପେକ୍ଟର ମହେନ୍ଦ୍ର ବାବୁ ନିରବ ହେବା ପରେ ସତ୍ୟବ୍ରତ ବାବୁ କହିଲେ–‘‘ସାରା ଭାରତ ବର୍ଷଟାକୁ ଯେଉଁ ଦସ୍ୟୁ ଟଳମଳ କରି ଦେଇଛି ଓ ଭାରତର ପ୍ରତ୍ୟେକ ପୋଲିସଙ୍କ ହୃଦୟ ମଧ୍ୟରେ ବଳିଆର ସିଂ ଜପାମାଳି ହୋଇଛି । ଅଥଚ ତା’ର କେହି କିଛି କରିପାରୁ ନାହାନ୍ତି, ସେପରି ସ୍ଥଳେ ମୁଁ ଏପରି ଗୋଟିଏ ମହାନ ଆଶାପୋଷଣ କରିବି କପରି ? କିନ୍ତୁ ଚେଷ୍ଟା କରିବି ଦେହର ଶିରାପ୍ରଶିରାରେ ରକ୍ତସଞ୍ଚାଳନ ହେଉଥିବା ପର୍ଯ୍ୟନ୍ତ । ମୋ ଚେଷ୍ଟାରୁ ମୁଁ କେବେହେଲେ ବଞ୍ଚିତ ହେବିନି । ଏ ମୋର ପ୍ରତିଜ୍ଞା । ଆପଣ ମୋତେ ବିଦାୟ ଦିଅନ୍ତୁ । ଆସନ୍ତୁ ମହେନ୍ଦ୍ର ବାବୁ ଆପଣହିଁ ମୋର ପଥ ପ୍ରଦର୍ଶକ, ହଁ ଯିବା ମୁହୂର୍ତ୍ତରେ ମଧ୍ୟ କହିବାକୁ ଭୁଲି ଯାଉଛି ମୋର ସମସ୍ତ ଦରକାରୀ ଜିନିଷଗୁଡ଼ିକ ଦେବା ସଙ୍ଗେ ସଙ୍ଗେ କ୍ଲୋରଫରମ ଦେବାକୁ ଯେପରି ଭୁଲି ନ ଯାଆନ୍ତି ।

 

X X X X

 

ରାତ୍ରୀ ବାରଟା ବାଜି ଯାଇଥାଏ । ବଳିଆର ସିଂର ସୁଦୀର୍ଘ ଅଟ୍ଟାଳିକାକୁ ଲାଗି ପୁଷ୍ପ ବୃକ୍ଷ ଓ ଗୁଳ୍ମଲତା ପରିପୂର୍ଣ୍ଣ ବିସ୍ତୀର୍ଣ୍ଣ ପଡ଼ିଆରେ ଦୁଇଟି ସଜୀବ ମୂର୍ତ୍ତି, ସେହି ଦୁଇଜଣ ହେଉଛନ୍ତି ସି.ଆଇ.ଡି. ସତ୍ୟବ୍ରତ ଚୌଧୁରୀ ଓ ଅନ୍ୟ ଜଣଙ୍କ ହେଉଛନ୍ତି ପୋଲିସ ଇନିସ୍ପେକ୍ଟର ମହେନ୍ଦ୍ର ଦାସ-

 

ସତ୍ୟବ୍ରତ ବାବୁ ଖୁବ୍‍ ଧୀର ଗଳାରେ ପ୍ରଶ୍ନ କରୁଛନ୍ତି । ଦେଖିଲେ ମହେନ୍ଦ୍ର ବାବୁ । ଆମରି ବାମ ପାର୍ଶ୍ଵରେ ଦେଖାଯାଉଥିବା ଜିନିଷଟା କ’ଣ ?

 

‘‘ଆପଣଙ୍କୁ କ’ଣ ପରି ଜଣାଯାଉଛି ସତ୍ୟବ୍ରତ ବାବୁ ?”

 

‘‘ମୋର ମନେହୁଏ କୌଣସି ଗୋଟାଏ ଫୁଲ ବୃକ୍ଷ ହେବ ।’’

 

ମହେନ୍ଦ୍ର ବାବୁ ବିସ୍ମିତ ଭାବେ ଉତ୍ତର ଦେଲେ ‘‘ସେ’ଟା କ’ଣ ଗୋଟିଏ ଫୁଲଗଛ ! ନାହିଁ ଏପରି ଗଛ ମୁଁ ଯେ କେବେ ଦେଖିଛି ସେପରି ତ ମୋର ମନେହୁଏନା । ବହୁତବାର ମୁଁ ଉଦ୍ୟାନକୁ ଆସିଛି ଏହି ସିମେଣ୍ଟ ବେଞ୍ଚ ଉପରେ ବସି ବଳିଆର ସିଂ ସହିତ ମିଷ୍ଟାଳାପ କରିଛି କିନ୍ତୁ ସେ ସ୍ଥାନରେ ତ ଏପରି ଫୁଲଗଛ ମୁଁ କେବେହେଲେ ଦେଖିନି ଏବଂ ମୋର ଦେଖିଲା ପରି ବି ମନେହୁଏନା ।”

 

‘‘ଆପଣ ଏହା ମଧ୍ୟରେ ଅନେକ ଦିନ ଧରି ଏଠାକୁ ଆସି ନାହାନ୍ତି । ଆପଣଙ୍କ ନ ଆସିବା ଭିତରେ ଯଦି ଏ ବୃକ୍ଷଟି... ।’’

 

‘‘ହଁ, ତା’ବି ଅସମ୍ଭବ ନୁହେଁ । ସେ ବି ସମ୍ଭବ । ହେଉ ତେବେ ଚାଲନ୍ତୁ । ଦୁଇଜଣ ଖୁବ୍‍ ସତର୍କ ଭାବରେ ଆଗକୁ ଚାଲିଲେ । ସେ ଆନୁମାନିକ ପଚାଶ ହାତ ଦୂରକୁ ଯିବାପରେ, ଉଦ୍ୟାନୋସ୍ଥିତ ଲତା ଗହଳରୁ ଗୋଟିଏ କ୍ଷୀଣଶବ୍ଦ ତାଙ୍କ ପଛଦେଇ ଭାସିଗଲା । ସତ୍ୟବ୍ରତ ବାବୁ ମହେନ୍ଦ୍ର ବାବୁଙ୍କୁ ଇଙ୍ଗିତ ସାହାଯ୍ୟରେ କ’ଣ କହିଦେଇ ସେଇଠାରେ ଠିଆହୋଇ ରହିଲେ । କାହିଁକି କେବଳ ସେହି ଶବ୍ଦର ରହସ୍ୟକୁ ବୁଝିବା ଉଦ୍ଦେଶ୍ୟ ନେଇ । କ୍ଷଣକ ପରେ ସତ୍ୟବ୍ରତ ବାବୁ ଗୋଟିଏ ଗଛକୁ ଲକ୍ଷ୍ୟକରି କହିଲେ–ଦେଖନ୍ତୁ ମହେନ୍ଦ୍ର ବାବୁ ଆପଣ ଏହି କିଛିକ୍ଷିଣ ପୂର୍ବରୁ ଯେଉଁ ଗଛଟାକୁ ଦେଖିଥିଲେ ସେ ଗଛଟି ଗଲା କୁଆଡ଼େ ?’’

 

ମହେନ୍ଦ୍ର ବାବୁ ସେହି ଜୋତ୍ସ୍ନାଲୋକରେ ଖୁବ୍‍ ନିରୀକ୍ଷଣ କରି ଦେଖି କହିଲେ–କାହିଁ ସେ ଗଛତ ଆଉ ସେଠାରେ ନାହିଁ । ଏ ତ ଏକ ଅଦ୍ଭୁତ ଘଟଣା । ଏଠାରେ କ’ଣ ଆଉ ବୃକ୍ଷ ଲତାମାନେ ଚଳପ୍ରଚଳ କରନ୍ତି ?

 

ମହେନ୍ଦ୍ର ବାବୁଙ୍କ କଥାର ଉତ୍ତର ଦେଇ ସତ୍ୟବ୍ରତ ବାବୁ କହିଲେ ତାହା ଏହି ବଳିଆର ସିଂ ପାଖରେ ସେ ଖୁବ୍‍ ଯେ ଆଶ୍ଚର୍ଯ୍ୟ ତା’ ନୁହେଁ; ଉପରକୁ ସେ ସିନା ଜଣେ ଉତ୍ତରପ୍ରଦେଶୀୟ ଶିଳ୍ପପତି ବଡ଼ ବ୍ୟବସାୟୀ ହେଲେ ଭିତରଟା ଅବଶ୍ୟ ସେହିପରି ନୁହେଁ ।

 

ଠିକ୍‍ ଏହି କଥାବାର୍ତ୍ତା ବେଳେ କ’ଣ ଗୋଟିଏ ଶବ୍ଦ ଆସି ତାଙ୍କ କାନରେ ଲାଗିଲା । ସେ ଶବ୍ଦ ଶୁଣି ସତ୍ୟବ୍ରତ ବାବୁ ପୁଣି କହିଲେ–‘‘ମହେନ୍ଦ୍ର ବାବୁ ! ଏ ଯେଉଁ କ୍ଷୀଣ ଶବ୍ଦଟା ଆପଣ ଶୁଣିବାକୁ ପାଉଛନ୍ତି, ତା’ ବୋଧହୁଏ କୌଣସି ଜୀବଜନ୍ତୁ କିମ୍ବା ମଣିଷର ପାଦ ଶବ୍ଦରୁ ଉତ୍ପନ୍ନ ହେଉଛି । ଆପଣ ତାହାହେଲେ ପ୍ରସ୍ତୁତ ହୋଇ ଖୁବ୍‍ ସତର୍କତା ସହିତ ଠିଆ ହୁଅନ୍ତୁ ।’’

 

ମହେନ୍ଦ୍ର ବାବୁ ଛେପ ଢୋକି ନେଇ କହିଲେ–‘‘ମୋ’ପାଇଁ ଆପଣ ଚିନ୍ତା କରନ୍ତୁନି ସତ୍ୟବ୍ରତ ବାବୁ ମୁଁ ସବୁ ସମୟ ପାଇଁ ସତର୍କ ଅଛି । ଏ ପାଖକୁ ଚାହିଁଲେ ସେଠାରେ ଦେଖିବାକୁ ପାଇଲେ କ’ଣ ଗୋଟିଏ ଲାଲ ଆଲୋକ । ଅବଶ୍ୟ ଖୁବ୍‍ ଛୋଟ । ତା’ପରେ ଦୁହେଁ ଖୁବ୍‍ ସତର୍କତା ସହକାରେ ଆଗକୁ ଆଗକୁ ପାଦ ବଢ଼ାଇଲେ । ହଠାତ୍‍ ପୁଣି ଶୁଣାଗଲା ସେହି ଶବ୍ଦ । ସତ୍ୟବ୍ରତ ବାବୁ ଚମକି ପଡ଼ି ପଛକୁ ଚାହିଁଲେ ଓ କାନଡେରି ଶୁଣିଲେ, ସେ ଶବ୍ଦଟି କ’ଣ ଠିକ୍‍ ଗୋଟିଏ ମଣିଷର ପାଦ ଶବ୍ଦପରି ଜଣାଯାଉଛି ଓ ଖୁବ୍‍ ନିକଟରେ ବୋଲି ପ୍ରତ୍ୟେୟମାନ ହୁଏ । ମହେନ୍ଦ୍ର ବାବୁଙ୍କୁ ଇସାରା ଦେଇ ନିଜେ ତାଙ୍କ ନିକଟରେ ଥିବା ଅଟୋମେଟିକ ପିସ୍ତଲକୁ ରେଡ଼ିକରି ଦେଲେ । ସେତେବେଳେ ସବୁ ଶୂନଶାନ୍‍ । ଭାବିଲେ ପାଦ ଶବ୍ଦଟି ଏହି ନିକଟରେ ଶୁଣା ଯାଉଥିଲା । ତା’ହେଲେ ଗଲା କୁଆଡ଼େ ? ମହେନ୍ଦ୍ର ବାବୁଙ୍କୁ ଅସ୍ପଷ୍ଟ ସ୍ୱରରେ ପଚାରିଲେ–‘‘ଆପଣ କ’ଣ କିଛି ଜାଣି ପାରୁଛନ୍ତି ?’’ ସେ ମଧ୍ୟ ସେହିପରି କ୍ଷୀଣକଣ୍ଠରେ ଉତ୍ତର ଦେଲେ, ନା । ‘‘କିଛି ଆଉ ଜଣା ଯାଉନାହିଁ କିମ୍ବା ସେ ଶବ୍ଦ ମଧ୍ୟ ଶୁଣିବାକୁ ମିଳୁନାହିଁ ।’’ ସତ୍ୟବ୍ରତ ବାବୁ ସତର୍କ କରିଦେଇ କହିଲେ ଖୁବ୍‍ ସାବଧାନ । ଶତ୍ରୁର ଗୁପ୍ତଚର ନିଶ୍ଚୟ ଆମ ପଛରେ । ଏଥିରେ କୌଣସି ସନ୍ଦେହ ନାହିଁ । ମହେନ୍ଦ୍ର ବାବୁ ମୋର ମନେହୁଏ ଏ ସମୟଟା ଆମ ପକ୍ଷରେ ନିରାପଦ ନୁହେଁ ।’’

 

ମହେନ୍ଦ୍ର ବାବୁ କହିଲେ, ଯଦି ଆପଣ ଜାଣି ପାରୁଛନ୍ତି ଏ ସମୟଟା ଆମ ପକ୍ଷରେ ବିପଦ ସଙ୍କୁଳ । ତା’ହେଲେ ଫେରିଯିବା ସର୍ବଗୁଣେ ଭଲ ।

 

ଏହାଶୁଣି ସତ୍ୟବ୍ରତ ବାବୁ ବିରକ୍ତିକର ଭାବ ପ୍ରକାଶ କରି କହିଲେ ଫେରିଯିବାଟା, ଭୀରୁ, ବା, କାପୁରୁଷତାର ପରିଚୟ । ଆମେ ଯଦି ଆମର କର୍ତ୍ତବ୍ୟ କରିବାକୁ ଅକ୍ଷମ ତେବେ ଖୁବ୍‍ ଶୀଘ୍ର ଆମ ଇସ୍ତଫା ପତ୍ର ସରକାରଙ୍କ ହାତକୁ ବଢ଼ାଇ ଦେବା ଏକାନ୍ତ ବାଞ୍ଛନୀୟ । ସମର ଭୂଇଁକୁ ଆସି.... ପାଟିର କଥା ପାଟିରେ ରହିଗଲା । ଆଉ ଠିକ୍‍ ସେତିକିବେଳେ ସତ୍ୟବ୍ରତ ବାବୁଙ୍କ ରିଭଲଭର ମହେନ୍ଦ୍ର ବାବୁଙ୍କୁ ସଙ୍କେତ ଦେଇ ଗୁଡ଼ୁମ ଗୁଡ଼ୁମ ଶବ୍ଦ କରି ଛୁଟିଗଲା ତା’ର ନିର୍ଦ୍ଧିଷ୍ଟ ପଥରେ । ତା’ପରେ ଖାଲି ବାରୁଦିଆ ଗନ୍ଧ ! ମହେନ୍ଦ୍ର ବାବୁ ପଛକୁ ଚାହିଁ କହିଲେ ସତ୍ୟବ୍ରତ ବାବୁ ଆପଣ ‘‘ସେ ଫୁଲ ଗଛଟାକୁ କାହିଁକି ଗୁଳିକଲେ ?’’ ସତ୍ୟବ୍ରତ ବାବୁ ନିଜ କଥା ଉପରେ ଜୋର୍‍ ଦେଇ ଉତ୍ତର ଦେଲେ–‘‘ସେଟା ଗୋଟିଏ ଫୁଲଗଛ ନୁହେଁ । ସେଇଟା ହେଉଛି ଦସ୍ୟୁର ଅନୁଚର-!!’’

 

ମହେନ୍ଦ୍ର ବାବୁ ଆଶ୍ଚର୍ଯ୍ୟ ଭାବେ କହିଲେ–‘‘କ’ଣ ହେଲା ସେ ଦସ୍ୟୁର ଅନୁଚର ?’’ ତେବେ ମୁଁ ଯିବି ସେଠାକୁ ?? କୌଣସି ବିପଦ ନାହିଁତ ସେଠାରେ ???

 

ବଡ଼ ଅବିଶ୍ୱାସୀ ଆପଣ, ‘‘ମୁଁ କ’ଣ କେବେ ଆପଣଙ୍କୁ ବିପଦ ସଙ୍କୁଳ ସ୍ଥାନକୁ ପଠାଇ ଦେଇ ପାରିବି ? ଏପରି ଭୀତିହୀନ ଧାରଣା ଆପଣ ମନରେ ଆଣୁଛନ୍ତି କିପରି ?’’

 

ସତ୍ୟବ୍ରତ ବାବୁଙ୍କଠାରୁ ଏହାଶୁଣି ମହେନ୍ଦ୍ର ବାବୁଙ୍କର ଆଉ କିଛି ସନ୍ଦେହ ରହିଲା ନାହିଁ । ସେ ବରଂ ସେଥିରେ ବଡ଼ ଲଜ୍ଜିତ ହେଲେ ଏବଂ ସେହି ଫୁଲଗଛ ନିକଟକୁ ଧୀର ପଦରେ ଅଗ୍ରସର ହେଲେ । ପକେଟରୁ ଗୋଟିଏ ଟର୍ଚ୍ଚ ବାହାର କରି ସେହି କ୍ଷୁଦ୍ର ଟର୍ଚ୍ଚର ଆଶୋପି ଯୋଗି ଆଲୋକର ସାହାଯ୍ୟରେ ଯାହା ସେ ଦେଖିବାକୁ ପାଇଲେ ତା’ଦ୍ୱାରା ତାଙ୍କର ଆଖି ଯୋଡ଼ାକ ବିସ୍ମୟ ସୂଚକରେ ଜଡ଼ି ଯାଇଥିଲା । ଗୋଟିଏ ଚିତ୍କାର କରି କହି ଉଠିଲେ ‘‘ଓ, ମାଇଁ, ଗଡ୍‍ !! ସତ୍ୟବ୍ରତ ବାବୁ ଆପଣଙ୍କୁ ଧନ୍ୟବାଦ ଦେବାକୁ ମୋ ଅନ୍ତର ଭୁଲି ପାରୁନି । ଆପଣ କୁହନ୍ତୁ ଦେଖି ଆପଣଙ୍କ ତୀକ୍ଷ୍‌ଣ ଦୃଷ୍ଟି ଏଠାରେ ପଡ଼ିଲା କିପରି ?

 

ଧୀର ଗଳାରେ ପ୍ରଶ୍ନକଲେ ସତ୍ୟବ୍ରତ ବାବୁ–‘‘କୁହନ୍ତୁ କ’ଣ ହୋଇଛି ମହେନ୍ଦ୍ର ବାବୁ ?’’

 

‘‘ଆଉ ହେବ କ’ଣ; ସେହି କୁମାରୀ ଲତିକା !’’

 

‘‘ଲତିକା, ଜୀବିତା ନା ମୃତା ?’’

 

‘‘ମୋର ତ ମନେହୁଏ ଜୀବିତା, ଗୁଳିର ଆଘାତଟା ତା’ର ବାମ ପାର୍ଶ୍ୱର ବାହୁ ଦେଶରେ ଲାଗିଛି ।” ହଁ ସତ୍ୟବ୍ରତ ବାବୁ ଆପଣ କାହିଁ କହିଲେ ନାହିଁଯେ ମୋର କରିଥିବା ପ୍ରଶ୍ନର ଉତ୍ତର ?

 

ଉତ୍ତର ଦେଇ ସତ୍ୟବ୍ରତ ବାବୁ କହିଲେ–‘‘ଆମେ ପ୍ରଥମେ ଯେଉଁ ଫୁଲଗଛଟିକୁ ଦେଖିଥିଲେ ଓ ଯାହା ସମ୍ବନ୍ଧରେ କଥାବାର୍ତ୍ତା ହେଉଥିଲେ ଠିକ୍‍ ସେହିଗଛଟା ଧୀରେ ଧୀରେ ଆମ ପଛେ ପଛେ ଆସୁଥିବାର ଲକ୍ଷ୍ୟ କଲି, ସେ ସମୟରେ ଅବଶ୍ୟ ମୋର ଆଉ କୌଣସି ଭାବିବାର ଉପାୟ ନ ଥିଲା । ତେଣୁ ସଙ୍ଗେ ସଙ୍ଗେ ରିଭଲଭରର ଘୋଡ଼ିଆକୁ ଟକ୍‌କରି ଦାବି ଦେଲି ମୋର ଲକ୍ଷଟା ଠିକ୍‍ କାର୍ଯ୍ୟ କରିଛି ନୁହେଁ ? ନ ହେଲେ ବର୍ତ୍ତମାନ ଅବସ୍ଥାଟା କ’ଣ ନହୋଇ ଥାନ୍ତା । କହିଲ ଦେଖି ?”

 

ମହେନ୍ଦ୍ର ବାବୁ ଗୁଣୁ ଗୁଣୁ କରି କ’ଣ ଯେପରି କହିଲେ ହେଲେ ସେକଥା ଗୁଡ଼ି ଅସ୍ପଷ୍ଟ ଥିବା ସତ୍ତ୍ୱେ ସତ୍ୟବ୍ରତ ବାବୁଙ୍କୁ ଭଲଭାବରେ ସେପରି ଶୁଣିବାକୁ ପାଇଲେ ନାହିଁ । ତା’ପରେ ପ୍ରକାଶ୍ୟ ଭାବେ କହିଲେ–‘‘ଆଚ୍ଛା ବର୍ତ୍ତମାନ ପାଇଁ କ’ଣ ଲତିକା କୁମାରୀ ଏଇଠାରେ ଥିବ ?’’

 

ନାଁ ଏଠାରେ ରହିବା ନିରାପଦ ନୁହେଁ । ଆପଣ ଯାନ୍ତୁ ଛକ ଉପରୁ ଦୁଇଜଣ କନେଷ୍ଟବଳ ଆଣି ତାଙ୍କ ଜିମାରେ ଲତିକାକୁ ଦେଇ ମୋତେ ଯାଇଁ ଆରପାଖ ଏହି ଦେଖାଯାଇଥିବା ପାଚେରି ସେପଟରେ ସାକ୍ଷାତ କରିବେ ଓ ସେହି କନେଷ୍ଟବଳକୁ କହିଦେବେ ସେମାନେ ଲତିକାକୁ ନେଇ ମେଡ଼ିକାଲରେ ରଖି ତା’ର ଜ୍ଞାନଫେରାଇ ଆଣିବାକୁ ଚେଷ୍ଟା କରନ୍ତୁ ।

 

ଏହା କହି ସତ୍ୟବ୍ରତ ବାବୁ ଚାଲିଗଲେ ବଳିଆର ସିଂର କୋଠାର ବପରୀତ ଦିଗକୁ ।

 

ସତ୍ୟବ୍ରତ ବାବୁ ତାଙ୍କର ନିଜ ଶରୀରକୁ ପାଚେରି କଡ଼ରେ ଥିବା ଗୋଟିଏ ଗୋଲାପଗଛ ଅଢ଼ୁଆଳରେ ଛପାଇ ତାଙ୍କର ତୀକ୍ଷ୍‌ଣସତର୍କ ଚକ୍ଷୁ ଦୁଇଟି ଏପାଖ ସେପାଖ ଚଳାଇବାକୁ ଲାଗିଲେ । ସେ ଠିଆ ହୋଇଥିଲେ ଖଣ୍ଡିଏ ସିମେଣ୍ଟଲଗା ଚଟାଣ ଉପରେ । ଠିକ୍‍ ସେହି ସମୟରେ ଦେଖାଗଲା ତାଙ୍କୁ ସେ ଯେଉଁ ଗୋଲାପ ବୃକ୍ଷମୂଳେ ଠିଆ ହୋଇଛନ୍ତି ଠିକ୍‍ ସେଇ ଗଛର ଦୁଇଟି ଶାଖାରେ ଦୁଇଟି ଡୁମ୍‍ ଜୁକୁଜୁକୁ ହୋଇ ଜଳୁଛି । ସେ ସେହି ଆଲୋକର ରହସ୍ୟ ବୁଝିବାପାଇଁ ଡାଳ ଦୁଇଟିକୁ ଟିକିଏ ନୁଆଁଇ ଦେଲେ । ସେହି ଡୁମ୍‍ ଦୁଇଟା କୌଣସି ଇଲେକ୍‌ଟ୍ରିକାଲ ଯନ୍ତ୍ରକୁ ବିପଦର ସୂଚନା ଦେଇଛି ବୋଲି ଅଥବା ବଳିଆର ସିଂର ଅଟ୍ଟାଳିକା ମଧ୍ୟସ୍ଥ ସୁଡ଼ଙ୍ଗମାନଙ୍କର କୌଣସି ଏକ ପ୍ରକାର ଯନ୍ତ୍ରବୋଲି ଅନୁଭୂତ ହୁଏ । ସତ୍ୟବ୍ରତ ବାବୁ ସେ ଡୁମ୍‍ ଦୁଇଟିର ରହସ୍ୟ ବୁଝିବାପାଇଁ ତା’ ନିକଟକୁ ଆଗେଇ ଗଲେ ଓ ସେହି ଗୋଟିଏ ଡୁମ୍‍ ଉପରେ ଅଙ୍ଗୁଳିଟି ଲଗାଇବାରୁ ଡୁମ୍‌ଟି ତଳକୁ ଖସିପଡ଼ିଲା । ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ । ଆଶ୍ଚର୍ଯ୍ୟ ହେବାର ପ୍ରଥମ କାରଣ ହେଲା, ସେ ଯଦି ଇଲେକ୍‌ଟ୍ରିକ୍‍ ଡୁମ୍‍ ହୋଇଥାଆନ୍ତା ତେବେ ତଳେ ଖସି ପଡ଼ିଥାଆନ୍ତା କିପରି ଓ ତଳେ ପଡ଼ି ଜଳୁଛି ବା କେମିତି ? ଡୁମ୍‌ଟାକୁ ତଳୁ ଉଠାଇ ଦେଖିଲେ ସେ ପ୍ରକୃତ ଇଲେକ୍‌ଟ୍ରିକ୍‍ ଡୁମ୍‍ ନୁହେଁ ଗୋଟିଏ ଜାତିର ପଥର ସେ । ସେ ମନେମନେ ଭାବିଲେ ଯଦିବା ଏ ଗୋଟାକ ପଥର ହୋଇଥାଏ, ଅନ୍ୟଟା ତ ନିଶ୍ଚୟ ପଥର ହୋଇଥିବ, ଏହା ଭାବି ସେ ଡୁମ୍‌ଟିକୁ ହାତକୁ ଆଣି ଦେଖିଲେ–ସେଇଟା ବି ଗୋଟିଏ ପଥର । ଦୁଇଟି ପଥରକୁ ଏକତ୍ର କରି ପକେଟ ମଧ୍ୟରେ ରଖି ଆଗକୁ ଯିବାପାଇଁ ପାଦ ବଢ଼ାନ୍ତେ ଦେଖିବାକୁ ପାଇଲେ ଗୋଟିଏ ସୁଡ଼ଙ୍ଗର ଦ୍ୱାର ଖୋଲାଅଛି । ଏପାଖ ଆଉ ସେପାଖକୁ ଥରେ ଭଲକରି ଦେଖିନେଇ ମନେମନେ କହିଲେ–‘‘ବର୍ତ୍ତମାନ ହୁଏତ କେହି କେଉଁଠାରେ ନାହାନ୍ତି ।’’ ତା’ହେଲେ ଏ ପଥଟି ନିଶ୍ଚୟ ସୁଡ଼ଙ୍ଗ ମଧ୍ୟକୁ । ପଥର ଦୁଇଟାର କରାମତି କ’ଣ ଜାଣିବା ପାଇଁ ଆଶାକରି ପୁନରାୟ ଉକ୍ତ ପଥର ଦୁଇଟାକୁ ଯଥାସ୍ଥାନରେ ରଖିଦେଲାରୁ ଦେଖିଲେ, ଯେଉଁ ପଥଟା ତାଙ୍କ ଦୃଷ୍ଟି ଗୋଚରକୁ ଆସିଥିଲା ସେ ପଥ ଆଉ ନାହିଁ ବନ୍ଦ ହୋଇଯାଇଛି । ପୁନରାୟ ପଥର ତୋଳି ଆଣିବାକ୍ଷଣି ଉନ୍ମୁକ୍ତ ହୋଇଗଲା । ସେ ସେଇଠାରେ ଠିଆହୋଇ ମନମନେ ଭାବିଲେ, ଏଇପଥ ଦେଇ ଗଲେ ତାଙ୍କୁ ଠିକ୍‍ ସ୍ଥାନରେ ପହଞ୍ଚିବାକୁ କୌଣସି ପ୍ରକାର ଅସୁବିଧା ହେବନି । ଏଇପରି ନାନା ଆଡ଼ୁ ନାନା କଥା ଭାବୁ ଭାବୁ ପ୍ରାୟ ଅଧଘଣ୍ଟା ବିତିଯାଇଥାଏ । ସେ ଦିଗକୁ ତାଙ୍କର ଆଦୌ ଖିଆଲ ନାହିଁ । ହଠାତ୍‍ ତାଙ୍କ ପଛପଟରେ ଆସି ଖୁବ୍‍ ଧୀର ପଦକ୍ଷପରେ ଉପସ୍ଥିତ ହେଲେ ମହେନ୍ଦ୍ର ବାବୁ । ମହେନ୍ଦ୍ର ବାବୁଙ୍କ ଆଗମନକୁ ଆଦୌ ସେ ଜାଣିପାରି ନାହାନ୍ତି ।

 

ମହେନ୍ଦ୍ର ବାବୁ ପାଞ୍ଚମିନିଟ୍‍ କାଳ ତାଙ୍କରି ପଛଆଡ଼େ ଠିଆହୋଇ ଡାକିଲେ ସତ୍ୟବ୍ରତ ବାବୁ !

 

ସତ୍ୟବ୍ରତ ବାବୁ ଚମକି ପଡ଼ିଲେ–ପ୍ରଶ୍ନକଲେ ‘ଆପଣ ।’

 

‘‘ହଁ ମୁଁ ପାଞ୍ଚମିନିଟ୍‍ ପୂର୍ବରୁ ଆସି ଏଇଠାରେ ଉପସ୍ଥିତ ।’’

 

‘କିନ୍ତୁ ଏଠାରେ ମୋର ଏପରି ଅନ୍ୟମନସ୍କଟା ନିହାତି ନିରାପଦ ନଥିଲା ।’

 

‘ତା ଅବଶ୍ୟ ଠିକ୍‍ ଯେତେବେଳେ ଯାହା ଭାଗ୍ୟରେ ଥିବ ତାହାହିଁ ହେବ ।’

 

‘ହଁ ତୁମର ଏତେ ବିଳମ୍ବ ହେବାର କାରଣ କ’ଣ ?’

 

ହସି ହସି ମହେନ୍ଦ୍ର ବାବୁ ଉତ୍ତର ଦେଲେ–‘‘ଆପଣଙ୍କ ନିର୍ଦ୍ଦେଶାନୁଯାଇ ମୋତେ ତ ଲତିକାକୁ ଡାକ୍ତରଖାନାକୁ ନେଇ ଯିବାକୁ ପଡ଼ିଥିଲା । ଡାକ୍ତରଖାନାଟା ତ ଆଉ ନିକଟରେ ନୁହେଁ । ବିଳମ୍ବରେ ଫେରିବାଟା ତ ସ୍ଵାଭାବିକ ।

 

‘‘ଆଚ୍ଛା କହିଲେ ସତ୍ୟବ୍ରତ ବାବୁ ! କୌଣସି ସେପରି ଗୁପ୍ତ ରାସ୍ତାର କିଛି ସନ୍ଧାନ ପାଇଲେ ?’’

 

ସନ୍ଧାନ ? ଖାଲି ସନ୍ଧାନ ନୁହେଁ ପ୍ରକୃତ ରାସ୍ତ।ଟିକୁ ମଧ୍ୟ ଖୋଜି ବାହାର କରିଛି । ଟିକିଏ ଦୂରେଇ ଠିଆ ହୁଅନ୍ତୁ ଆପଣ ! ତା’ପରେ ଦେଖିବାକୁ ପାଇବେ । ଗୁପ୍ତ ରାସ୍ତାର ସନ୍ଧାନ ।

 

ଏହା କହି ସତ୍ୟବ୍ରତ ବାବୁ । ପଥର ଦୁଇଟି ସେହି ଗଛ ଉପରୁ ଉଠାଇ ଆଣିଲେ । ପଥର ଦୁଇଟି ଉଠାଇ ଆଣିବା ସଙ୍ଗେ ସଙ୍ଗେ ସୁଡ଼ଙ୍ଗର ଦ୍ୱାରଟି ସମ୍ପୂର୍ଣ୍ଣଭାବେ ଖୋଲିଗଲା ।

 

ଏହା ଦେଖି ମହେନ୍ଦ୍ର ବାବୁ ବିସ୍ମିତ ଭାବେ ପଚାରିଲେ–‘‘ଏଇଟା କ’ଣ ସୁଡ଼ଙ୍ଗର ଦ୍ୱାର-?’’

 

‘‘ହଁ ଏହିଟାହିଁ ସୁଡ଼ଙ୍ଗର ଦ୍ଵାର । ଏ ବିଷୟ ମୁଁ ଆପଣଙ୍କୁ ପରେ କହିବି । ବର୍ତ୍ତମାନ କହିବାଭଳି ସମୟ ନାହିଁ । ଆମ ନିକଟରେ ପ୍ରତିସେକେଣ୍ଡ ହିଁ ଖୁବ୍‍ ମୂଲ୍ୟବାନ । ଆଗ ଆମ୍ଭମାନଙ୍କର ଉଦ୍ଦେଶ୍ୟ ସିଦ୍ଧି ହେବା ପ୍ରଥମ କର୍ତ୍ତବ୍ୟ । ଆପଣ ଏହିଠାରେ ଠିଆ ହୁଅନ୍ତୁ । ମୁଁ ଭିତରକୁ ଯାଉଛି । ହଁ ନିଜକୁ ଖୁବ୍‍ ସାବଧାନ ସହକାରେ ଛୁପାଇ ରଖି ଏଇଠାରେ ଏକଘଣ୍ଟା ମୋତେ ଅପେକ୍ଷା କରିବେ । ମୁଁ ଯଦି ଏହି ଘଣ୍ଟାକ ମଧ୍ୟରେ ନ ଫେରେ ତେବେ ଆପଣ ଏହି ସୁଡ଼ଙ୍ଗ ପଥ ଦେଇ ଭିତରକୁ ଯାଇଁ ମୋର ସନ୍ଧାନ ନେବେ । ହଁ, ଖୁବ୍‍ ସାବଧାନ ସହକାରେ ଓ ସତର୍କତା ସହିତ । ତେବେ ତାହାହେଲେ ମୁଁ ଚାଲିଲି ।

 

ଏହା କହି ସତ୍ୟବ୍ରତ ବାବୁ ସେହି ସୁଡ଼ଙ୍ଗ ମଧ୍ୟରେ ପଶିଗଲେ । କିଛି ରାସ୍ତା ଚାଲିଯିବା ପରେ ସେ ଦେଖିବାକୁ ପାଇଲେ ଗୋଟିଏ ଟିଣଘର । ଉକ୍ତ ଘରଟି ଗୋଟିଏ ମଟର ଗ୍ୟାରେଜ ପରି ପରିଲକ୍ଷିତ ହୁଏ । ସତ୍ୟବ୍ରତ ବାବୁ ସେଇଠାରେ କିଛିକ୍ଷଣ ଠିଆହୋଇ କ’ଣ କେଜାଣି ମନରେ ଭାବି ପୁଣି ଆଗକୁ ପାଦ ବଢ଼ାଇଲେ । ସୁଡ଼ଙ୍ଗର ରାସ୍ତାଟି ଠିକ୍‍ ସର୍ପିଳ ପରି । ସୁଡ଼ଙ୍ଗ ପଥଟି ବଙ୍କେଇ ବଙ୍କେଇ ଅନେକ ଦୂରଯାଏ ଲମ୍ବିଯାଇଛି । ସେ ସେହି ରାସ୍ତାର ଶେଷ ସୀମାକୁ ଯିବାପାଇଁ ମନେମନେ ସ୍ଥିର କରି ଆଗେଇ ଚାଲିଥାଆନ୍ତି । କିନ୍ତୁ କିଛିଦୂର ଯିବା ପରେ ସେ ଦେଖିବାକୁ ପାଇଲେ ଗୋଟିଏ ବଡ଼ ଦେବାଲ ରାସ୍ତାଟିକୁ ମଝିରୁ ପୂର୍ଣ୍ଣଚ୍ଛେଦ କରିଛି । ସତ୍ୟବ୍ରତ ବାବୁଙ୍କର ଗତି ସେତିକିରେ ବନ୍ଦ ହୋଇଗଲା । ମନେମନେ ଭାବିଲେ ସୁଡ଼ଙ୍ଗଟି ଯଦି ଏତିକିରେ ଶେଷ, ତେବେ ଏହାର ରହସ୍ୟ କ’ଣ ? ବଳିଆର ସିଂ ଏହାକୁ ଅବା ଗଢ଼ିଛି କି ଉଦ୍ଦେଶ୍ୟ ନେଇ ?

 

ହଠାତ୍‍ ତାଙ୍କର ମନେପଡ଼ିଗଲା ପୂର୍ବରୁ ଘଟିଯାଇଥିବା ସମସ୍ତ ଘଟଣାଗୁଡ଼ିକ । ଏଥି ପୂର୍ବେ ଅନ୍ୟ ସୁଡ଼ଙ୍ଗ ମଧ୍ୟରେ ଅଙ୍ଗେ ଲିଭାଇଥିବା ଘଟଣା ସମୂହ ମନେପକାଇବାରୁ ଅଜଣା ଭୟରେ ଦେହ ତାଙ୍କର ଶୀତେଇ ଉଠିଲା । କିଛିକ୍ଷଣ ଠିଆହୋଇ ଭାବିଲେ, ‘‘ଆଗରେ ବନ୍ଦ କରିଥିବା ଦେବାଲ ଯଦି ନ ଖୋଲେ ଅଥବା ଏହାର ଯଦି ଚଳନ ଶକ୍ତି ନଥାଏ ତେବେ ଏଟା ନିଶ୍ଚୟ ଗୋଟିଏ ବଳିଆର ସିଂର ଜେଲଖାନା । ତଥାପି ମନରେ ତାଙ୍କର ସନ୍ଦେହ ଜାଗ୍ରତ ହେଲା । କୌଣସିଠାରେ ଇଲେକ୍‌ଟ୍ରିକ୍‍ କରେଣ୍ଟର ସମ୍ବନ୍ଧ ଅଛି ଭାବି ଖୁବ୍‍ ନିରୀକ୍ଷଣ କରି ସେ ଦେବାଲଟିକୁ ପରୀକ୍ଷା କରିବାକୁ ଲାଗିଲେ । ହେଲେ ସେପରି ସନ୍ଦେହ କଲାପରି କୌଣସି ଜିନିଷ ତା’ ମଧ୍ୟରେ ଦେଖିବାକୁ ପାଇଲେ ନାହଁ, ନିରୁପାୟ ଓ ବିରସ ମନରେ ଫେରି ଆସିବାକୁ ଉଦ୍ୟତ ହେଲାବେଳେ ତାଙ୍କର ଡାହାଣ ପାଦଟି ଅନୁଭବକଲା କୌଣସି ଗୋଟିଏ କମ୍ପନ ବସ୍ତୁ ? ଠିକ୍‍ ରେଳ ଷ୍ଟେସନର ଥିବା ୱେଟମେସିନ ଭଳି । ମଉଳା ମନ ପୁଣି ଆନନ୍ଦରେ ଆତ୍ମହରା ହୋଇ ଉଠିଲା । ଟର୍ଚ୍ଚଜାଳି ତଳ ଅଂଶକୁ ଅନୁସନ୍ଧାନ କଲେ । ତାଙ୍କ ଚକ୍ଷୁ ସାମନାରେ ଭାଷି ଉଠିଲା ଦୁଇଟି ହାରମୋନିୟମ ଇଟପରି ଇଲେକ୍‌ଟ୍ରିକ୍‍ ସୁଇଜ୍‍ । ପାଦ ସାହାଯ୍ୟରେ ଗୋଟାକୁ ଖୁବ୍‍ ଜୋରରେ ଟିପି ଦେଲେ । ଟିପି ଦେବା ସଙ୍ଗେ ସଙ୍ଗେ ଏକ ଭୟାକୁଳ ଗର୍ଜନ ଶୁଣିବାକୁ ମିଳିଲା । ଠିକ୍‍ ମହାବଳ ବ୍ୟାଘ୍ରର ଗର୍ଜନ ପରି । ବ୍ୟାଘ୍ରର ଗର୍ଜନ ଶୁଣି ସତ୍ୟବ୍ରତ ବାବୁ ସମସ୍ତ ଶରୀରଟା ଥରିବାକୁ ଲାଗିଲା । ସାରା ଅଙ୍ଗପ୍ରତ୍ୟଙ୍ଗ ସହସ୍ର ସହସ୍ର ସୂଚିବିଦ୍ଧ ହେଲାପରି ତାଙ୍କୁ ଜଣାଗଲା । ଆଖି ଯୋଡ଼ାକ ଖାଲି ଖୋଜିବାକୁ ଲାଗିପଡ଼ିଲା ବ୍ୟାଘ୍ରଟା କେଉଁଠି । କର୍ଣ୍ଣ ଦୁଇଟି ଭାବନା ଓ ଆଶଙ୍କାରେ ଉପଦ୍ରକୁ ଅପେକ୍ଷା କରି ରହିଲେ । ହାତରେ ଥିବା ଶକ୍ତିଶାଳୀ ଅଟୋମେଟିକ ରିଭଲବାରଟା ଆଜ୍ଞାକୁ ପ୍ରତୀକ୍ଷା କରି ଚାହିଁ ରହିଲା । ଗୋଡ଼ ଦୁଇଟା ଯେଉଁଠାରେ ଥିଲା ସେ ଠିକ୍‍ ସେଇଠାରେ ସେହିପରି ଭାବରେ ରହିଗଲା । ଆଗକୁ କିମ୍ବା ପଛକୁ ଫେରିଲା ନାହିଁ । ଭୟବିହ୍ୱଳ ଭାବେ ସତ୍ୟବ୍ରତ ବାବୁ ସେଇ ସ୍ଥାନରେ ସ୍ତମ୍ଭୀଭୂତ ଭାବେ ଅପେକ୍ଷା କରି ରହିଲେ । ପ୍ରଳୟର ଶେଷ ମୁହୂର୍ତ୍ତକୁ ।

 

ଭାଗ୍ୟର କଥା ଆଉ ସେ ଗର୍ଜନ ନାହିଁ କିମ୍ବା ପ୍ରକୃତ ବାଘ ନାହିଁ । ସତ୍ୟବ୍ରତ ବାବୁ ନିଜର ଭାବନା ଅମୂଳକ ଭାବି ଗୋଟିଏ ଦୀର୍ଘନିଃଶ୍ୱାସ ତ୍ୟାଗ କଲେ ଓ ପଛକୁ ଫେରି ଆସିବାର ଆଶା ପୋଷଣ କରି ବୁଲି ପଡ଼ିବା ମାତ୍ରକେ ଚମକି ପଡ଼ି କହି ଉଠିଲେ ବିପଦ । ମହାବିପଦର ଦ୍ୱାର ଦେଶରେ ମୁଁ ଏଇନେ ଦଣ୍ଡାୟମାନ । ଏ ରାସ୍ତା ବନ୍ଦହେଲା କିପରି !! ଆଉ ଦେବାଲଟା ଆସିଲା କେଉଁଠୁ । ମୁଁ ବର୍ତ୍ତମାନ ଗୋଟିଏ ଗଛ କଠୋରୀ ମଧ୍ୟରେ ବନ୍ଦି !!

 

ସେତେବେଳେ ସତ୍ୟବ୍ରତ ବାବୁ ନିଜର ଭୁଲ୍‍ ଠିକ୍‍ଭାବରେ ବୁଝି ପାଇଲେ ଯେ ଏହି କ୍ଷଣକ ପୂର୍ବରୁ ଯେଉଁ ଗର୍ଜନ ବ୍ୟାଘ୍ରର ପରି ଶୁଣା ହେଉଥିଲା ସେହି ଗର୍ଜନ ତାଙ୍କୁ ବନ୍ଦି କରିଥିବା ଦେବାଲରୁ ଉତ୍ପତ୍ତି ହୋଇଛି । ବନ୍ଦିରୁ ମୁକୁଳିବା ପାଇଁ ଉପାୟ ଖୋଜିଲେ । କ’ଣବା ଉପାୟ ଅଛି-? ବୈଜ୍ଞନିକ ବୁଦ୍ଧି ସାହାଯ୍ୟରେ ଅଥବା ବିଜ୍ଞାନଦ୍ୱାରା କେଉଁ ସବୁ କାମ କରାଯାଇଅଛି ତାହାକୁ ବୁଝିବା ଗୋଇନ୍ଦାମାନଙ୍କ ମସ୍ତକରେ ଶକ୍ତି ନାହିଁ । ଯେହେତୁ ସତ୍ୟବ୍ରତ ବାବୁ କେବେ ବିଜ୍ଞାନ ପଢ଼ିବାପାଇଁ ଆମେରିକା ଯାଇ ନାହାନ୍ତି କିମ୍ବା ବିଜ୍ଞାନ ଦେଶକୁ ଯାଇ ନାହାନ୍ତି । କେବଳ ମାତ୍ର ତାଙ୍କର ଗୋଇନ୍ଦାଗିରିର ପାରଦର୍ଶୀତା ଅଛି । ଆହୁରି ଗୋଟିଏ କଥା–ପ୍ରକୃତ ଉପରେ ଦୃଷ୍ଟି ପକାଇଲେ ବେଶ୍‍ ପରିଷ୍କାର ଭାବେ ଜଣାଯାଏ ଯେ ପ୍ରକୃତ କହିଲେ ଈଶ୍ୱରଙ୍କ ସୃଷ୍ଟି ଜିନିଷକୁ ବୁଝାଇଛି ।

 

ସତ୍ୟବ୍ରତ ବାବୁଙ୍କର ପ୍ରକୃତି ସତ୍‍ କର୍ମରେ ନିହିତ ଆଉ ବଳିଆର ସିଂର ପ୍ରକୃତି ଅସତ୍‍ କର୍ମରେ ଜଡ଼ିତ । ବଳିଆର ସିଂ ଯାହା କରିଛି ପ୍ରତ୍ୟେକ ସୃଷ୍ଟିର ମଙ୍ଗଳ ନିମନ୍ତେ ନୁହେଁ । ନିଜର ଅଥବା ତା’ରି ପରି କେତେ ଜଣଙ୍କର ସ୍ୱାର୍ଥ ଦୃଷ୍ଟିରୁ ।

 

ସତ୍ୟବ୍ରତ ବାବୁ ଈଶ୍ୱରଙ୍କ ଉପରେ ନିର୍ଭର ରଖି ସେ ପ୍ରତ୍ୟେକ କାମରେ ହାତ ଦେଇ ଥାଆନ୍ତି । ସେତେବେଳେ ସେ ବନ୍ଦ କୋଠରି ମଧ୍ୟରୁ ମୁକୁଳିବାର କୌଣସି ପଥ ନଦେଖି ବସି ପଡ଼ୁଥିଲେ ଠିକ୍‍ ଏତିକିବେଳେ ତାଙ୍କ ଦୃଷ୍ଟିକୁ ଆସିଲା ତାଙ୍କରି ବାମ ପାର୍ଶ୍ୱରେ ଗୋଟିଏ ଛୋଟ ଗଳିରାସ୍ତା ଫିଟିଯାଇଛି, ଏହା ଈଶ୍ୱରଙ୍କ କୃପାରୁ ହେଉ ଅଥବା ବସି ପଡ଼ୁଥିବା ସ୍ଥାନରେ ଯନ୍ତ୍ରଥିଲା ନତୁବା ତାଙ୍କ ଅଜାଣତରେ କୌଣସି ସୁଇଜ୍‍ ଉପରେ ତାଙ୍କରି ଗୋଡ଼ ବାଜି ଯାଇଥିଲା । ସେ ଯାହାହେଉ ଈଶ୍ୱରଙ୍କ କୃପାରୁ ସେ ସେତେବେଳେ ମୁକ୍ତ ହୋଇ ଯାଇଥିଲେ ।

 

ରାସ୍ତାଟି ଅତି ସଂଙ୍କୀର୍ଣ୍ଣ ଜଣାଯାଉଥାଏ ଗୋଟିଏ ଛୋଟ ଗଳିପଥ । ତା’ ମଧ୍ୟରୁ ବାହାରି ଆସୁଥାଏ ଏକ ଅଦ୍ଭୁତ ପ୍ରକାର ଗ୍ୟାସ ଓ ଭାସି ଆସୁଥାଏ ମଶାମାନଙ୍କର ଗୁଣୁ ଗୁଣୁ ସଙ୍ଗୀତ ଲହରୀ । ଭାବିଲେ ‘‘ମୋତେ ବିପଦ ବହୁଳ ସ୍ଥାନକୁ ଟାଣିନେଇ ନାହିଁତ ଏ ନିର୍ଜୀବ ରାସ୍ତା । କାରଣ ବଳିଆର ସିଂର ହତା ମଧ୍ୟରେ ଥିବା ବୃକ୍ଷ ଲତା, କାନ୍ଥବାଡ଼କୁ ମଧ୍ୟ ବିଶ୍ୱାସ କରାଯାଏନା । ସେ ଯାହାହେଉ ଯେତେ ବିପଦ ଆସୁ ବରଂ ବଳିଆର ସିଂର ବୁଦ୍ଧି ଓ କୌଶଳକୁ ସେ ଧନ୍ୟବାଦ ନ ଦେଇ ରହିପାରୁ ନାହାନ୍ତି । ଏପରି ଗୋଟିଏ ଲୋକକୁ ସାମାନ୍ୟ ମନେକରିବା ବୋକାମିର ପରିଚୟ ଛଡ଼ା ଅନ୍ୟ ଆଉ କ’ଣ ହୋଇପାରେ । ଯେତେ ସହଜରେ ବଳିଆର ସିଂକୁ ଧରିବାକୁ ଲିପ୍‌ସା କରିଥିଲେ, ତାହା ବର୍ତ୍ତମାନ ପାଣିଫାଟି ଯାଉଛି କି ଉପାୟରେ କାର୍ଯ୍ୟ ତାଙ୍କର ହାସଲ ହେବ ଓ ଉର୍ମିମାଳାକୁ ଉଦ୍ଧାର କରିବେ ସେଇ ଚିନ୍ତାରେ ମସ୍ତିଷ୍କ ତାଙ୍କର ଗୋଳମାଳ ହୋଇଯାଉଛି । ଯେତେ ଯାହାହେଉ ବରଂ ତଥାପି ସେ ତାଙ୍କ କର୍ତ୍ତବ୍ୟରୁ ପଶ୍ଚାତ୍‌ପଦ ହେବେନି । ଆସୁ ଝଡ଼-ବହି ଯାଉ ଝଞ୍ଜା ଶେଷରେ ସେଇଥିପାଇଁ ବରଂ ତାଙ୍କର ଜୀବନର ଦୀପିକା ଚିରଦିନ ପାଇଁ ଲୀନ ହୋଇଯାଉ-। ହେଲେ ତାଙ୍କର ପିଣ୍ଡରେ ଯେତେଦିନ ପର୍ଯ୍ୟନ୍ତ ବାୟୁ ସଞ୍ଚାଳନ କରୁଥିବ ସେ ସେତେଦିନ ପର୍ଯ୍ୟନ୍ତ ତାଙ୍କ ବହନ କରିଥବା କର୍ତ୍ତବ୍ୟରୁ କେବେହେଲେ ଦୂରେଇ ଯିବେନି । ଏହାହିଁ ତାଙ୍କର ଦୃଢ଼ ସଂକଳ୍ପ । ଭଗବାନ ତୁମେ ହିଁ ଭରସା କହି ସେ କ୍ଷୁଦ୍ର ଗଳି ମଧ୍ୟକୁ ପ୍ରବେଶ କଲେ । ଆପାତତଃ ପାଞ୍ଚ, ସାତହାତ ଯିବାପରେ ରାସ୍ତାର ଶେଷାଂଶଟି ଦେଖି ପଛକୁ ଫେରିବା ଆଶାରେ ପାଦ ବଢ଼ାନ୍ତେ ତାଙ୍କର ପାଦଟି ଆଉ ଗୋଟିଏ ଦେବାଲରେ ଆଘାତ ପାଇଲା । ପଛକୁ ଚାହିଁ ଅବଶ୍ୟ ତା’ର ରହସ୍ୟ ବୁଝିବାକୁ ମଧ୍ୟ ଅବସର ନ ଥିଲା । କାରଣ ସେ ଗୋଟିଏ ଅଲୌକିକ ଦୃଶ୍ୟ ଦେଖି ବିସ୍ମିତ ହୋଇ ଯାଇଥିଲେ । ଦେଖିବାକୁ ପାଉଥିଲେ ତାଙ୍କର ଭାରି ଦେହଟା ଆସ୍ତେ ଆସ୍ତେ ଗୋଟିଏ ମେଲା ଓ ଫର୍ଚ୍ଚା ଜାଗାକୁ ଉଠିବାକୁ ଲାଗିଛି । ସମ୍ପୂର୍ଣ୍ଣ, ସେ ଯେତେବେଳେ ଉପରକୁ ଉଠି ଯାଇଛନ୍ତି ଦେଖିବାକୁ ପାଇଲେ ସେ ଆଉ ଅନ୍ୟ କେଉଁଠି ନାହାନ୍ତି । ସେ ଯାଇଁ ଦସ୍ୟୁ ବଳିଆର ସିଂର ଦୋତାଲା ଉପରେ ଦଣ୍ଡାୟମାନ । ଦୋତାଲାର ଉପର ଅଂଶକୁ ଥରେ ଭଲଭାବରେ ଚାହିଁ ଦେଖି ଧୀରେ ଧୀରେ ଛାତଉପରକୁ ଉଠିବାକୁ ଲାଗିଲେ । ଛାତ ଉପରେ ଯାଇଁ ଦେଖିଲେ ପୂର୍ବ ଦିଗର ଗୋଟିଏ କୋଣରେ ଖଣ୍ଡିଏ ଟେବୁଲ ଓ ଚାରିଖଣ୍ଡ ଷ୍ଟିଲ ଚେୟାର ସଜା ସଜି ଭାବରେ ପଡ଼ି ରହିଛି ଓ ଟେବୁଲ ଉପରେ କେତେ ଖଣ୍ଡି ବହି ଓ କାଗଜ ଦୁଆତ କଲମ ଇତ୍ୟାଦି ରଖାଯାଇଛି । ଏହାସବୁ ଦେଖି ତାଙ୍କ ମନଟା କାହିଁକି ଏକ ଅଜଣା ପୁଲକରେ ନାଚିବାକୁ ଲାଗିଲା । ସେ ସେହି କାଗଜପତ୍ରରୁ କୌଣସି ଗୂଢ଼ ତଥ୍ୟ ମିଳିବା ଆଶାରେ ସେ ଧୀର ପଦକ୍ଷେପରେ ସେହି ଟେବୁଲ ନିକଟକୁ ଆଗେଇ ଗଲେ ଓ ବହିପତ୍ରଗୁଡ଼ିକ ଖେଳାଇ ଦେଖିଲେ ତା’ ମଧ୍ୟରେ କେତେ ଖଣ୍ଡ ନଭେଲ ଓ ଡିଟେକ୍‌ଟିଭ୍‍ ବହି । ନିଜର କାର୍ଯ୍ୟ ଉପଯୋଗୀ କୌଣସି କାଗଜ ନପାଇ ଫେରି ଆସୁଥିବା ସମୟରେ ତାଙ୍କର ନଜର ପଡ଼ିଲା ଟେବୁଲରେ ଥିବା ଗୋଟିଏ ଡ୍ର ଉପରେ, ଡ୍ରଟିର ନିକଟକୁ ଯାଇଁ ଦେଖିଲେ ତା’ ଦେହରେ ତାଲା ପଡ଼ିଛି ।

 

ସତ୍ୟବ୍ରତ ବାବୁ ତାଙ୍କ ପକେଟରେ ନେଇ ଯାଇଥିବା ଚାବି ପେନ୍ଥାଟି ମଧ୍ୟରୁ ଅନୁମାନ କରି ଗୋଟିଏ ଚାବି ଲଗାଇ ଦେଲେ । ସେ ଚାବି ସାହାଯ୍ୟରେ ଅବଶ୍ୟ ତାଲାଟି ଖୋଲିଗଲା । ତାଲା ଖୋଲଯିବା ପରେ ଡ୍ରଟିକୁ ବାହାର କରି ଦେଖିଲେ ତନ୍ମଧ୍ୟେ କେତେଗୁଡ଼ିଏ ନମ୍ବରିଂ କରା ବାଇଡିଂ ଖାତା । ସେହି ଖାତାଗୁଡ଼ିକୁ ଗୋଟି ଗୋଟିକରି ଉପରକୁ ବାହାର କଲେ ସେ ଏକ, ଦୁଇ, ତିନ, କରି ସାତଖଣ୍ଡି ଖାତା ବାହାର କରିସାରିବା ପରେ ଆଠ ନମ୍ବର ଖାତା ଉପରେ ଆଖି ଯୋଡ଼ାକ ଲାଗି ରହିଲା । ସେ ଖାତା ଉପରେ ବଡ଼ ବଡ଼ କେଇଟା ଇଂରାଜୀ ଅକ୍ଷର KEY (ଚାବି) ସେ ମନେମନେ ଆନନ୍ଦରେ ଆତ୍ମହରା ହୋଇ ପଡ଼ିଲେ । ଏତେ ଦିନର ପରିଶ୍ରମ ଆଜି ତାଙ୍କର ସଫଳ ହୋଇଛି । ଏ ଚାବିଗୁଡ଼ିର ସନ୍ଧାନ ଠିକ୍‍ ଏହି ଖାତାଦ୍ୱାରା ପାଇ ପାରିବେ । ନିଶ୍ଚୟ ଏହା ମଧ୍ୟରେ ଇଲେକ୍‌ଟ୍ରିକ୍‍ ଚାଳିତ ଯନ୍ତ୍ରଗୁଡ଼ିର କାଇଦା ଓ କଟକଣା ପରିଷ୍କାର ଭାବବରେ ଲେଖା ରହିଥିବ ।

 

ଖାତାଟି ଖୋଲି ପଢ଼ିବାକୁ ଲାଗିଲେ । ଯେତିକି ପୃଷ୍ଠା ସେ ଅତିକ୍ରମ କରି ଯାଉଥାଆନ୍ତି, ସେତିକି ସେ ଆନନ୍ଦରେ ଆତ୍ମହରା ହୋଇ ପଡ଼ୁ ଥାଆନ୍ତି । ସେ ଯେଉଁ ଆଶା ଓ ଆକାଂକ୍ଷା ନେଇ ଖାତାଟିକୁ ଖେଳାଇ ଦେଖୁଥିଲେ ତାହା ତାଙ୍କୁ ମିଳିଗଲା । ଖାତାଟି ପ୍ରକୃତରେ ଇଲେକ୍‌ଟ୍ରିକ୍‍ ଚାଳିତ ମେସିନର ଚାବି । ଏଥିରେ ଆଉ ସନ୍ଦେହ ରହିଲା ନାହିଁ । ଖାତାର ରହସ୍ୟ କେବଳ ଏହି ସେଥିରେ ଉଲ୍ଲେଖ କରାଅଛି । ସୁଇଜ ନମ୍ବର ଓ କେଉଁ ସୁଇଜର କି କାମ । ଆଉ ମଧ୍ୟ ପ୍ରତ୍ୟେକ କୋଠରି ମଧ୍ୟକୁ ଯିବାପାଇଁ ନକ୍‌ସା ଏବଂ ପ୍ରତ୍ୟେକ ସୁଡ଼ଙ୍ଗକୁ ଯିବାପାଇଁ ଗୁପ୍ତଦ୍ୱାର ଇତ୍ୟାଦି ଲିପିବଦ୍ଧ ହୋଇଛି । ସତ୍ୟବ୍ରତ ବାବୁ ବଳିଆର ସିଂର ପ୍ରତ୍ୟେକ ଗୁପ୍ତ ରହସ୍ୟର ଚାବି ପାଇ ମନେମନେ ଆନନ୍ଦ ଅନୁଭବ କଲେ । ଆଉ ମଧ୍ୟ ସେତିକିବେଳେ ତାଙ୍କ ମୁଖ ମଧ୍ୟରୁ ବାହାରି ଆସୁଥିଲା ‘‘ବଳିଆର ସିଂ । ଅପେକ୍ଷାକର ସେହି ଶୁଭମୁହୂର୍ତ୍ତକୁ ସେତେବେଳେ ଯାଇଁ ଜାଣିବୁ କାହାର ବୁଦ୍ଧିର ପରାକାଷ୍ଠା ବେଶୀ ତୋ’ର କିମ୍ବା ମୋର । ଆଉ ଅଳ୍ପ ସମୟ ମଧ୍ୟରେ ତୋର ପାପ ହାତ ଦୁଇଟି ପରିଚୟ ପାଇବ ପୋଲିସର ଲୌହ ସିଙ୍କୁଳି ସହିତ..... ।’’ ଆଉ କ’ଣ କହିବାକୁ ଯାଉଥିଲେ ଠିକ୍‍ ସେତିକିବେଳେ ତାଙ୍କ ପଛ ପଟରୁ ଶୁଣିବାକୁ ଖଟ, ଖଟ, ଶବ୍ଦ ଚମକି ପଡ଼ି ପଛକୁ ଫେରି ଚାହିଁ ଦେଖନ୍ତି କେହି ଜଣେ ଛାତ ଉପରକୁ ଆସିବା ନିମନ୍ତେ କବାଟ ଖୋଲୁଛି । ସେ ସମୟରେ ଯେକୌଣସି ଲୋକ ଭୀତତ୍ରସ୍ତ ହୋଇ ଯିବାର କଥା । କିନ୍ତୁ ସତ୍ୟବ୍ରତ ବାବୁ ଭୟ ନକରି ସେ ଦରଜା ନିକଟକୁ ଦୌଡ଼ି ଯାଇଁ କବାଟର ଆଢ଼ୁଆଳରେ ନିଜକୁ ଛପାଇ ଦେଲେ । ଆଉ ମଧ୍ୟ ସ୍ୱୟଂଚାଳିତ ପିସ୍ତଲ ଖଣ୍ଡକୁ ହାତ ମୁଠାରେ ଦୃଢ଼ ଭାବରେ ଧରି ନିରୀକ୍ଷଣ କରି ଚାହିଁ ରହିଲେ ଆସୁଥିବା ଲୋକ ଜଣକୁ । ଭାବିଲେ ‘‘କି ଉଦ୍ଦେଶ୍ୟରେ ସେ ଲୋକଟା ଉପରକୁ ଆସୁଛି । ଯଦି ମୁଁ ତାକୁ ପ୍ରବେଶ ମାତ୍ରକେ ପିସ୍ତଲଦ୍ଵାରା ସ୍ଵାଗତ ଜଣାଏ ହୁଏତ ତା’ର ମୃତ୍ୟୁହେବା ଅନିବାର୍ଯ୍ୟ । ଯଦି ତା’ର ମୃତ୍ୟୁ ହୋଇଯାଏ ତାହାହେଲେ ମୋର ଏତେଦିନର ପରିଶ୍ରମ ବୃଥା ହୋଇଯିବ, ଦୋଷୀକୁ ଜୀବନରେ ମାରି ବରଂ କ୍ଷତି ଛଡ଼ା ଲାଭନାହିଁ । ବଳିଆର ସିଂ ଯଦି ଗୁଳି ଚୋଟରେ ପ୍ରାଣ ହରାଏ ତାହାହେଲେ ବହୁମୂଲ୍ୟ ହୀରାର ମାଳା ଆଉ ନିରୀହା ବାଳିକା ଉର୍ମିମାଳାକୁ ଉଦ୍ଧାର କରିବା ଆମ୍ଭ ପକ୍ଷେ ଅସମ୍ଭବ ହୋଇ ପଡ଼ିବ । ତା’ ହେଉ ବରଂ ଦରକାର ପଡ଼ିଲେ ପିସ୍ତଲର ଘୋଡ଼ିଆ ଡାଉନ କରିବାକୁ ତିଳେମାତ୍ର କୁଣ୍ଠାବୋଧ କରିବେ ନାହିଁ । ଏହାଭାବି ଅପେକ୍ଷା କରି ରହିଲେ ଦରଜାର ଆଢ଼ୁଆଳରେ ଆସୁଥିବା ବ୍ୟକ୍ତି ଜଣକୁ ।

 

ନିର୍ଜୀବ କବାଟଟି କେଁ ଆବାଜ କରି ଗୋଟିଏ ଧାରକୁ ଆଉଜି ଯାଇଁ ସ୍ଥିର ହୋଇଯିବା ପରେ ଜଣେ ବ୍ୟକ୍ତି ଉପରକୁ ଉଠି ଆସିଲା । ଆଉ ସେହି ଲୋକଟିର ଭାବଭଙ୍ଗିରୁ ପରିଷ୍କାର ଭାବରେ ପରିଲକ୍ଷିତ ହେଉଥିଲା ସେ ଯେପରି କାହାରିକୁ ଖୋଜି ବାହାର କରିବାପାଇଁ ବଡ଼ ବ୍ୟଗ୍ର ହୋଇ ପଡ଼ିଛି । ହେଲେ ପାଦ ଦୁଇଟା ଯେପରି ଆଗକୁ ଆସିବାପାଇଁ ଆଦୌ ରାଜି ହେଉନି । ଆଉ ତା’ର ମାରାଦେହଟା ସେତେବେଳେ ଖୁବ୍‍ ଚଞ୍ଚଳ ଥିଲାପରି ଜଣା ଯାଉଥାଏ ଓ ଚକ୍ଷୁର ଗତି ଖୁବ୍‍ ବ୍ୟଗ୍ରଥିଲା । କିନ୍ତୁ ତା’ର ହାତରେ ଥିଲା ଗୋଟିଏ ସ୍ୱୟଂଚାଳିତ ରିଭଲଭର ସେଇଟାକୁ ସେ ଖୁବ୍‍ ସତର୍କତା ସହକାରେ ନିଜ ଦେହର ପଛ ପଟରେ ଲୁଚାଇ ରଖିଥିଲା ।

 

ଆଗନ୍ତୁକ ଗୋଟିଏ ସ୍ଥାନରେ ଠିଆହୋଇ ଦୃଷ୍ଟି ନିକ୍ଷେପ କଲା ଚତୁଃପାର୍ଶ୍ୱକୁ କେହି ତା’ର ଆଖି ଆଗକୁ ଆସିବାରୁ ସେ ମନକୁ ମନ କହି ହେଲା କାହିଁ ଗଲେ କୁଆଡ଼େ ? ଏହା କହି ପୁଣି ସେ ଆଗକୁ ଆଗେଇ ଚାଲିଲେ । ସେହି ଟେବୁଲ ନିକଟରେ ଠିଆହୋଇ ଯେତେବେଳେ ସେ ଖାତାପତ୍ରଗୁଡ଼ି ଖେଳାଇଲେ, ଏହା ଦେଖି ସେତେବେଳେ ସତ୍ୟବ୍ରତ ବାବୁଙ୍କ ମନରେ ଭୟ ଓ ଆଶାଙ୍କା ଜାତ ହେଲା । ସତ୍ୟବ୍ରତ ବାବୁ ଭାବିଲେ, ଯଦି ସେ ଲୋକଟି ବଳିଆର ସିଂ ହୋଇଥାଏ ତେବେ ସେ ନିଶ୍ଚୟ ତା’ର ଅପହୃତ ଖାତାଟିକୁ ଖୋଜି ବାହାର କରିବାପାଇଁ ବଡ଼ ବ୍ୟଗ୍ରହୋଇ ପଡ଼ିବ । ପାଇବତ ନାହିଁ ହେଲେ ମୋର ଅବସ୍ଥା କ’ଣ ନ ହେବ । ଆଉ ଭାବି ପାରିଲେ ନାହିଁ କିମ୍ବା ଭାବନା ଶାନ୍ତିକୁ ଅବସର ନଦେଇ ସେଠାରୁ ପଳାଇ ଯିବାକୁ ଉଦ୍ୟତ ହେବାବେଳେ ଦେଖିଲେ ଦରଜାଟି ପୂର୍ବପରି ବନ୍ଦହୋଇ ଯାଇଛି ।

 

ମନେମନେ ଭାବିଲେ ତାହାହେଲେ ବର୍ତ୍ତମାନ ଉପାୟ କ’ଣ ? ନିଜକୁ ବିପଦ ମୁଖରୁ ଫେରେଇ ଆଣିବାପାଇଁ ସ୍ଥିରକଲେ ଗୁଳିକରି ଆଗନ୍ତୁକ ହସ୍ତରୁ ପିସ୍ତଲଟାକୁ ଖସାଇ ପକାଇ ତାକୁ ନିରୁପାୟ କରି ନିଜର କଣ୍ଟକିତ ରାସ୍ତା ପରିଷ୍କୃତ କରିବେ ।

 

ଏହା ଭାବୁ ଭାବୁ ଗୋଟିଏ ଗୁଳି ଫାୟାରିଂ କରିଦେଲେ, ଗୁଳିଟି ଗୁଡ଼ୁମ ଆବାଜ କରି ଛୁଟିଗଲା ତା’ର ଲକ୍ଷ ପଥରେ । ଫଳରେ ସେ ଲୋକ ହାତରୁ ପିସ୍ତଲଟା ତଳେ ଖସିପଡ଼ିଲା । ଏ ଦୃଶ୍ୟରେ ବିଚଳିତ ହୋଇ ସେ ଲୋକଟି ପଳାଇ ଯିବାପାଇଁ ଉଦ୍ୟତ ହେଲାବେଳେ ସତ୍ୟବ୍ରତ ବାବୁ ପଛରୁ ଡାକି କହିଲେ, ‘‘ସାବଧାନ’’ ପଳାଇବା ପାଇଁ ଚେଷ୍ଟା କରନା, ଯଦି ତୁମେ ପଳାଇ ଯିବାକୁ ଅଗ୍ରସର ହୁଅ ମୃତ୍ୟୁ ତୁମର ଅନିବାର୍ଯ୍ୟ ।

 

ଉକ୍ତ କଥା କେଇପଦ ଯେପରି ଖୁବ୍‍ ପରିଚିତ ପରି ଜଣାଯିବାରୁ ଆଗନ୍ତୁକ ଜଣଙ୍କ ସେଇଠାରେ ନିରବରେ ଠିଆ ହୋଇଗଲେ, ଓ ଭୟଭୀତ କଣ୍ଠେ ଚିତ୍କାର କରି ଉଠିଲେ ‘‘ସତ୍ୟବ୍ରତ ବାବୁ ! ଆପଣ ! ଆପଣ ଏଡ଼େ ଭୟଙ୍କର ? ଓ ଏହି ମୁହୂର୍ତ୍ତକ ପୂର୍ବରୁ ଆପଣ କ’ଣ କରିନଥିଲେ ଭାଗ୍ୟକୁ ସିନା ଗୁଳିଟା ମୋର ହାତ ଉପରେ ନ ବସି ପିସ୍ତଲ ଉପରେ ବସିଗଲା । ନ ହେଲେ ସବୁ ଶେଷ ହୋଇ ଯାଇଥାଆନ୍ତ ।’’

 

ସତ୍ୟବ୍ରତ ବାବୁ ସେ ଲୋକଙ୍କୁ କୁଣ୍ଢାଇ ପକାଇ ଛନ୍‍ ଛନ୍‍ ଆଖି ଓ ଚପାଗଳାରେ କହିଲେ, ‘‘ମହେନ୍ଦ୍ର ବାବୁ” ମୁଁ ବର୍ତ୍ତମାନ କ’ଣ କରିନଥିଲି ତୁମେ ମୋତେ କ୍ଷମାକର ମହେନ୍ଦ୍ର ବାବୁ-? ତୁମେ ମୋତେ କ୍ଷମାକର ।

 

ସତ୍ୟବ୍ରତ ବାବୁଙ୍କ କଥାର ଉତ୍ତର ଦେଇ ମହେନ୍ଦ୍ର ବାବୁ କହିଲେ, ‘‘ଏଥିରେ ବା ଆପଣଙ୍କର କ’ଣ ଦୋଷ ଅଛି । ଆପଣ ଆପଣଙ୍କ କର୍ତ୍ତବ୍ୟ ହିଁ କରିଛନ୍ତି । ମୁଁ ଆପଣଙ୍କୁ କ୍ଷମାଦେବାର ପାତ୍ର ନୁହେଁ । ଛାଡ଼ନ୍ତୁ ସେ ସବୁ ଗତକଥା ମୋର କୌଣସି କ୍ଷତି ହୋଇନାହିଁ । ସେଥିପାଇଁ ବ୍ୟସ୍ତ ହେବାର କୌଣସି କାରଣ ନାହିଁ । ଆଚ୍ଛା କୁହନ୍ତୁ ସତ୍ୟବ୍ରତ ବାବୁ, ଏଇଠାରୁ କୌଣସି ଗୁପ୍ତ ତଥ୍ୟ ସଂଗ୍ରହ କଲେକି ?

 

ଖାଲି ଯେ ତଥ୍ୟ ତା’ ନୁହେଁ ମହେନ୍ଦ୍ର ବାବୁ ! ସମସ୍ତ ରହସ୍ୟର ମୂଳଟା ଖୋଜି ବାହାର କରି ପାରିଛି ।

 

‘‘କ’ଣ, ମୁଁ ଆପଣଙ୍କ କଥା କିଛି ପରିଷ୍କାର ଭାବେ ବୁଝିପାରୁନି ସତ୍ୟବ୍ରତ ବାବୁ ।”

 

‘‘ସେ ସବୁ ଘଟଣା ପରେ ସମସ୍ତ ବସାରେ ବୁଝାଇ କହିବି ବର୍ତ୍ତମାନ କେବଳ ଏତିକି ମାତ୍ର ଜାଣି ରଖନ୍ତୁ ଏ ଅଟ୍ଟାଳିକା ମଧ୍ୟସ୍ଥ ସମସ୍ତ ରହସ୍ୟମାନର ଚାବି ବର୍ତ୍ତମାନ ମୋର ହସ୍ତଗତ ହୋଇ ସାରିଛି ।’’

 

‘‘ତେବେ ତାହାହେଲେ ଏ ଗୁରୁ ଦାଇତ୍ୱର ବୋଝଟା ଖୁବ୍‍ ଶୀଘ୍ର ଆମ୍ଭମାନଙ୍କ ମୁଣ୍ଡ ଉପରୁ ଚାଲିଯିବ ?’’

 

‘‘ହଁ ତା’ ଅବଶ୍ୟ ସତ କଥା ।”

 

‘‘ତାହାହେଲେ କାଳ ବିଳମ୍ବ ନକରି ଶୀଘ୍ର ଏହାର ଅନୁସନ୍ଧାନ କରି ପ୍ରକୃତ ତଥ୍ୟ ବାହାର କରିବାଟା ତ ଆମ୍ଭମାନଙ୍କର, ଏକାନ୍ତ ପ୍ରୟୋଜନ ?’’

 

‘‘ହଁ, ତା’ତ ନିଶ୍ଚୟ ।’’

 

‘‘ଆଚ୍ଛା ସତ୍ୟବ୍ରତ ବାବୁ ଆପଣ ଏ ଛାତ ଉପରକୁ ଆସିଲେ କିପରି ?’’

 

“ମୁଁ ଏ ଛାତ ଉପରକୁ ବଳିଆର ସିଂ ସାଥିରେ ଅନେକ ଥର ଆସିଛି ଓ ଏହି ଚୌକି ଉପରେ ବସି ତା’ ସହିତ ଅନେକବାର ଚାହା ଜଳଖିଆ ବି ଖାଇଛି । ଏହି ଟେବୁଲ ଉପରେ ଥିବା ଅନେକ ଉପନ୍ୟାସ ବହି ମଧ୍ୟ ପଢ଼ିଛି । ଆଉମଧ୍ୟ ଏହି ଅଟ୍ଟାଳିକା ମଧ୍ୟକୁ ବହୁବାର ଆସିଥିବା ସତ୍ତ୍ୱେ ରାସ୍ତାଗୁଡ଼ି କେତେକାଂଶରେ ମୋ ସହିତ ପରିଚୟ ବି ହୋଇ ପାରିଥିଲା । କିନ୍ତୁ ଏହା ମଧ୍ୟରେ ଏପରି ଗୋଟାଏ ଗୁପ୍ତ ରହସ୍ୟ ଲୁକ୍‍କାୟିତ ଭାବେ ଆତ୍ମଗୋପନ କରିଛି । କେ ଜାଣିଥିଲା-। ତା’ଛଡ଼ା ଏହି ଟେବୁଲ ଡ୍ର ମଧ୍ୟରେ ସମସ୍ତ ସୁଡ଼ଙ୍ଗ ଦ୍ୱାରର ଚାବି ଅଛି ବୋଲି ମୋତେ ଆଦୌ ଜଣାନଥିଲା । ଜାଣିବାକୁ ମଧ୍ୟ ବଳିଆର ସିଂ ମୋତେ କୌଣସି ଦିନ ସେପରି ସୁଯୋଗ ଦେଇ ନଥିଲା ।

 

‘‘ଆଚ୍ଛା ସତ୍ୟବ୍ରତ ବାବୁ ! ଆପଣ ଉର୍ମିମାଳାର କୌଣସି କିଛି ସନ୍ଧାନ ପାଇଲେ ?’’

 

‘‘ସତ୍ୟବ୍ରତ ବାବୁ ମୁଣ୍ଡ ହଲାଇ ନାଁ ବୋଲି ଉତ୍ତରଟିଏ ଦେଲେ ।’’

 

ସତ୍ୟବ୍ରତ ବାବୁ ଯେତେବେଳେ ନାଁ ବୋଲି କହିଲେ–ମହେନ୍ଦ୍ର ବାବୁ ପୁଣି ଆରମ୍ଭ କଲେ–ମୁଁ ଯେତେବେଳେ ଛାତ ଉପରକୁ ସିଡ଼ିଦେଇ ଉଠିବାକୁ ଉଦ୍ୟତ ହେଉଥିଲି, ସେତେବେଳେ ଶୁଣିବାକୁ ପାଇଲି ଗୋଟିଏ ନାରୀ କଣ୍ଠର କରୁଣ ଚିତ୍କାର । ମୋର ମନେହୁଏ ସେ କଣ୍ଠସ୍ୱର ଉର୍ମିମାଳାର ହେବ ବୋଧହୁଏ ।

 

‘‘ଏଁ...ତୁମେ କ’ଣ କହୁଛ ମହେନ୍ଦ୍ର ବାବୁ ! ତାହାହେଲେ ସୈତାନ ବଳିଆର ସିଂ କ’ଣ ଅବଳା ଦୁର୍ବଳା ଗୋଟିଏ ନାରୀ ଉପରେ ଅତ୍ୟାଚାର କରୁଅଛି ? ଏହାପାଇଁ କଠୋର ପ୍ରତିକାରର ପ୍ରୟୋଜନ ମହେନ୍ଦ୍ର ବାବୁ । ଶୀଘ୍ର ଅଗ୍ରସର ହୁଅନ୍ତୁ ।”

 

ଏହା କହି ଗୋଟିଏ ପାଦ ଆଗକୁ ପକାଇବା ବେଳକୁ ଉପରେ ଜଳୁଥିବା ବଲ୍‌ଟି ଥପ୍‌କିନା ଲିଭିଗଲା । ଅନ୍ଧକାର ମଧ୍ୟରେ ସତ୍ୟବ୍ରତ ବାବୁ ବିଚଳିତ ଭାବେ କହି ଉଠିଲେ, ‘‘ଏ କ’ଣ ଲାଇଟି ଲିଭିଗଲା କିପରି ।’’

 

ମହେନ୍ଦ୍ର ବାବୁ ଅନୁମାନ କରି କହିଲେ ମୋର ମନେହୁଏ ଇଲେକ୍‌ଟ୍ରିକ୍‍ ଲାଇନ କୌଣସିଠାରେ ଗୋଳମାଳ ହୋଇଯାଇଛି ।

 

ଏହିକଥା ପଦକ ତାଙ୍କ ମୁଖରୁ ଶେଷ ହୋଇଛି କି ନାହିଁ, ଶୁଣିବାକୁ ପାଇଲେ, ତଳ ତାଲାରୁ ବିଦ୍ରୂପର ହସର ଲହରୀ । ସେ ହସ ଏପରି ଭାବରେ ଭୟଙ୍କର ଥିଲା ଯାହାକି ଭୟରେ ସତ୍ୟବ୍ରତ ବାବୁଙ୍କୁ ମହେନ୍ଦ୍ର ବାବୁ ଆସି କୁଣ୍ଢାଇ ପକାଇଥିଲେ, ସେ ହାସ୍ୟ ରୋଳରେ ସମସ୍ତ କୋଠାଟି ଭୂମିକମ୍ପ ପରି ଦୋହଲି ଯାଉଥିଲା । ସେତେବେଳେ ଏ ଦୁଇ ଜଣକୁ ମନେହେଉଥିଲା ଛାତଟା ଯେପରି ତାଙ୍କରି ଉପରେ ଅଜାଡ଼ି ହୋଇ ପଡ଼ିବ ।

 

ସତ୍ୟବ୍ରତ ବାବୁ, ମହେନ୍ଦ୍ର ବାବୁଙ୍କୁ ଗୋଟାଏ ଧକ୍‌କା ମାରି ନିଜଠାରୁ ପାଞ୍ଚଫୁଟ ଦୂରକୁ ଠେଲି ଦେଲେ । ଆଉ ମଧ୍ୟ କହିଲେ–‘‘ଏ ପରିସ୍ଥିତିରେ ଏପରି ଭୟକରି ଭାଙ୍ଗି ପଡ଼ିଲେ କି ଚଳିବ-? ଯଦି ଆପଣ ଏହି କରାଳର ଗଳି ଛାଇ ତଳେ ନିଜର ମନବଳକୁ ଭାଙ୍ଗି ଚୁରୁମାର କରି ଦିଅନ୍ତି ତାହାହେଲେ ତ ଆପଣ ବେଶ୍‍ କାର୍ଯ୍ୟରେ ଆଗେଇ ପାରିବେ ? ଆପଣଙ୍କୁ ଟିକିଏ ସଙ୍କୋଚ ଲାଗୁନି, ପିଲାଛୁଆଙ୍କ ପରି ମା’ କୋଳରେ ଆଶ୍ରୟ ନେଲାଭଳି ତୁମେ ଆଶ୍ରୟ ନେଉଛ । ଯଦି ତୁମର ଜୀବନ ଉପରେ ଏତେଟା ମମତା ଓ ଚିର ଦିନ ପାଇଁ ମୃତ୍ୟୁ ମୁଖରେ ପତିତ ନହୋଇ ବଞ୍ଚି ରହିବାର ପ୍ରୟାସ କରିଥିଲେ, ତାହାହେଲେ ଏ ପୋଲିସି ବାହିନୀରେ ନିଯୁକ୍ତି ହେଲ କାହିଁକି-?’’ ବର୍ତ୍ତମାନ ତୁମେ ମରଣକୁ ବରଣ କରି ମୋ ପଛେ ପଛେ ଆଗେଇ ଆସ ।

 

ଏହା କହି ସତ୍ୟବ୍ରତ ବାବୁ ଆଗକୁ ଆଗେଇ ଚାଲିଲେ । କିଛି ଦୂର ଆଗକୁ ଆଗେଇଯିବା ପରେ ସତ୍ୟବ୍ରତ ବାବୁଙ୍କ ଦେହ କ’ଣ ଗୋଟାଏ ଆଘାତ ଲାଗିଲାପରି ସେ ଅନୁଭୂତି କଲେ । ଅନ୍ଧକାରରେ ତ ତାଙ୍କୁ କିଛି ଦେଖା ଯାଉ ନଥିଲା ଟର୍ଚ୍ଚ ଲାଇଟ ଦୁଇଖଣ୍ଡ ଥିଲା ଯେ ସେ ତାକୁ କେଉଁଠାରେ ଥୋଇ ଦେଇଛନ୍ତି ତାଙ୍କର ଆଉ ତାହା ଆଣିବାକୁ ସୁବିଧା ନାହିଁ । କାରଣ ଏକେତ ଘରଟା ଅନ୍ଧକାର, ତା’ଛଡ଼ା ଖୋଜିବାକୁ ବି ମନେମନେ ଭୟ ପାଉଥିଲେ ସେମାନେ, କାଳେ କେତେବେଳେ କେଉଁ ମୁହୂର୍ତ୍ତରେ ଯଦି କୌଣସି ସୁଇଜ ଉପରେ ହାତ କିମ୍ବା ପାଦ ଲଗିଯାଏ ତା’ହେଲେ ସଇଲା । ମୃତ୍ୟୁ ତାଙ୍କର ଅନିବାର୍ଯ୍ୟ । କାରଣ ବଳିଆର ସିଂର ଆଡ୍‍ଡା ଘରଟିତ ସେହିପରି ବୈଦ୍ୟୁତିକ ପରିଧିରେ ନିର୍ମିତ ।

 

X X X X

 

ଏ କ’ଣ, ଆମ୍ଭେମାନେ ଏ ଘରକୁ ଆସିଲେ କିପରି । ମହେନ୍ଦ୍ର ବାବୁ ! କେତେବେଳେ ବା କେଉଁ ମୁହୂର୍ତ୍ତରେ, ଏପରି ଅଳିଆନର୍ଦ୍ଦମା ଓ ଅପରିଷ୍କାର ଜାଗାକୁ ଆସିଲେ, ମନେମନେ ଆଶ୍ଚର୍ଯ୍ୟ ହେଉଥିଲେ । ଆଉ ମଧ୍ୟ ଜୀବନର, ଶେଷ ସୀମାରେ ସେମାନେ ଉପନୀତ ହୋଇ ସାରିଛନ୍ତି ବୋଲି, ତା’ ବି ସେମାନେ ମନେମନେ ସ୍ଥିର କରି ନେଇ ସାରିଥିଲେ । ସେତେବେଳେ ବୁଦ୍ଧି ଓ ମନର ବଳ କେଉଁ ଅଜଣା ରାଇଜର, ଅନ୍ଧାରି କୋଣରେ ଘୂରି ବୁଲୁଥିଲା ତାକୁ ସେ କଥା ଜଣାନାହିଁ । ତେବେ ବି ମନର ସନ୍ଦେହକୁ ଦୂରିଭୂତ କରିବାପାଇଁ ସତ୍ୟବ୍ରତ ବାବୁ ମହେନ୍ଦ୍ର ବାବୁଙ୍କୁ ଲକ୍ଷ୍ୟ କରି ପ୍ରଶ୍ନ କଲେ, ‘‘ଆଚ୍ଛା ଆପଣ କ’ଣ କିଛି ଅନୁଭବ କରି ପାରିଛନ୍ତି । ଆମ୍ଭେ ଏ କୋଠରୀ ମଧ୍ୟକୁ ଆସିଲେ କିପରି ?’’

 

‘‘ନାଁ ।”

 

‘‘ତେବେ କ’ଣ ସେ ଯାଦୁକର ?”

 

‘‘ତା ବି ବଳିଆର ସିଂ ପକ୍ଷରେ ଯେ ଅସମ୍ଭବ ତା’ ମଧ୍ୟ ମୋର ବିଶ୍ୱାସ ନୁହେଁ ।” କିମିଆ ବଳରେ ହେଉ କିମ୍ବା ଯାନ୍ତ୍ରିକ ସହାଯ୍ୟରେ ହେଉ ଆମ୍ଭେତ ଏଇନେ ଅନ୍ଧାର ଗୁମ୍ଫା ମଧ୍ୟରେ, ବର୍ତ୍ତମାନ ଉପାୟ କ’ଣ ତାହାହିଁ ଚିନ୍ତା କରନ୍ତୁ ।

 

‘‘ଚିନ୍ତା ତ କରିବା ନିଶ୍ଚୟ କିନ୍ତୁ’’,

 

‘‘କିନ୍ତୁ, ପୁଣି କ’ଣ ?’’

 

‘‘ମୋର ପ୍ରଥମ ଜାଣିବାର କଥା ଆମେ ଏ ଘରକୁ ଆସିଲେ କିପରି ?’’

 

‘‘ଆମକୁ ଜଣାଗଲା ନାହିଁ ସତ, କିନ୍ତୁ ତେଣେ ବଳିଆର ସିଂକୁ ଜଣା ଆମେ ତା’ର ଘରେ ପଶି ତା’ର ଅନୁସନ୍ଧାନରେ ଲାଗିଛନ୍ତି । ଏହା ତାକୁ ବେଶ୍‍ ପରିଷ୍କାର ଭାବେ ପରିଲକ୍ଷିତ । ସେ କେବଳ ଆମକୁ ହଇରାଣ କରିବାର ଉଦ୍ଦେଶ୍ୟ ନେଇ ତା’ର ବୈଦ୍ୟୁତିକ ଯନ୍ତ୍ର ସାହାଯ୍ୟରେ ଆମକୁ ଏପରି ଭାବରେ ହଇରାଣ କରୁଛି । ଦରକାର ହେଲେ କ୍ଷଣକ ମଧ୍ୟରେ ସେ ଆମ ଦୁଇଜଣଙ୍କୁ ପିମ୍ପୁଡ଼ିପରି ଦଳି ଦେବାକୁ ବି ପାଶ୍ଚ୍ୟାତ୍ୟ ପଦ ହେବନି । ସାବଧାନ ହୁଅନ୍ତୁ ମହେନ୍ଦ୍ର ବାବୁ ବର୍ତ୍ତମାନ ଆମର ପ୍ରଥମ କର୍ତ୍ତବ୍ୟ ହେଲା, ଏ ଗୁମ୍ଫା ମଧ୍ୟରୁ କିପରି ଆମ୍ଭେ ଉଦ୍ଧାର ହେବା । ଆମରତ ଅବସ୍ଥା ଏହି ମଇଳା ଅପରିଷ୍କାର ଅନ୍ଧାରି ଗୃହରେ, କିନ୍ତୁ ତେଣେ, ନିଃସହାୟ ନିରୁପାୟ ଅବସ୍ଥାରେ ଉର୍ମିମାଳା ଦସ୍ୟୁ ହାତରେ ବନ୍ଦି । କେବଳ ସେହି ଉର୍ମିମାଳାକୁ ଉଦ୍ଧାର ନିମନ୍ତେ ଆମକୁ ବର୍ତ୍ତମାନ ପ୍ରାଣ ଦେବାକୁ ପଡ଼ିଲେ ମଧ୍ୟ ଶତ ଚେଷ୍ଟାରୁ ବଞ୍ଚିତ ହେବାର ନୁହେଁ । ଆହା ବିଚାରୀ କି ଦୁଃଖ, କି କଷ୍ଟ, କି ଯନ୍ତ୍ରଣା ଭୋଗ କରୁନଥିବ ? ଉର୍ମିମାଳାର କରୁଣ ମୂର୍ଚ୍ଛନାରେ ବଳିଆର ସିଂର ପାଷାଣ ହୃଦୟ ଟିକିଏ ହେଲେ ତରଳୁ ନ ଥିବ । ନା, କାହିଁକି ବା ତରଳିବ, ସେ ଦସ୍ୟୁ । ସେ ନେଇ ଆସିଛି । ତାକୁ ତା’ର ନିଜର ଚରିତାର୍ଥ ସାର୍ଥକ କରିବାକୁ । ସେ କେବେହେଲେ... ।

 

ମହେନ୍ଦ୍ର ବାବୁ ନିଷ୍ଠୁର ଦସ୍ୟୁ ବଳିଆର ସିଂ କ’ଣ ଅପେକ୍ଷା କରିଥିବ ଉର୍ମିମାଳାର କାକୁତି ମିନତିକୁ ନା, ନା, ତା’ କେବେ ସମ୍ଭବ ନୁହେଁ, କିମ୍ବା ବିଶ୍ୱାସ ଯୋଗ୍ୟ ନୁହେଁ । ସେ ତା’ର ସତୀତ୍ୱକୁ ଅପହରଣ କରିବାପାଇଁ ତିଳେମାତ୍ର ଦ୍ୱିଧା କରିନଥିବ ।

 

ବଳିଆର ସିଂ ମଣିଷ ଶରୀର ନେଇ ଜନ୍ମଗ୍ରହଣ କରିନି ସେ ମଣିଷ ନୁହେଁ ରାକ୍ଷସ, ପଶୁ, ପାଷାଣ, ଆଉ ନିର୍ମମ, ଆଉ ନିଷ୍ଠୁର ।

 

ତାକୁ ଯଦି ଉପଯୁକ୍ତ ଶାସ୍ତି ଦେବାପାଇଁ ଆମ ଉପରେ ଭଗବାନ ଦୟିତ୍ୱ ନ୍ୟସ୍ତ କରିଛନ୍ତି-। ତାହାହେଲେ ଆମର ଏ ବେଳରେ ମୁକ୍ତି ହିଁ ଏକମାତ୍ର ପ୍ରୟୋଜନ ।

 

ଏତେଗୁଡ଼ାଏ କଥା ଗୋଟିଏ ନିଃଶ୍ୱାସରେ କହିଯାଇଁ କ୍ଷଣମାତ୍ର କ’ଣ ଟିକିଏ ଭାବିଲେ–ତା’ପରେ କହିଲେ–‘‘ଆପଣ ଗୋଟିଏ କାର୍ଯ୍ୟ କରନ୍ତୁ ମହେନ୍ଦ୍ର ବାବୁ ସେ ଦିଆଲ କଡ଼କୁ ଯାଇଁ ଠିଆ ହୁଅନ୍ତୁ ଆଉ ଦେଖନ୍ତୁ ଦିଆଲର ଶେଷାଂଶଟି ଆପଣଙ୍କ ହାତଠାରୁ କେତେ ଉଚ୍ଚରେ ।

 

ମହେନ୍ଦ୍ର ବାବୁ ଦେବାଲ ନିକଟକୁ ଯାଇ ହାତ ବଢ଼ାଇଲେ । ହାତଟା ପାଇ ଯାଉଛି ହେଲେ ଧରି ହେଉନି । କିନ୍ତୁ ଧରି ନ ହେଲେ ବା ଏ ପରସ୍ଥିତିରେ କ’ଣ କରିଯାଇ ପାରେ ।

 

ମହେନ୍ଦ୍ର ବାବୁ କହିଲେ–‘‘ସତ୍ୟବ୍ରତ ବାବୁ ଆପଣ ଗୋଟିଏ କାମ କରନ୍ତୁ ମୁଁ ବସିପଡ଼ୁଛି ତୁମେ ମୋ ବେକ ଉପରେ ଗୋଡ଼ଦେଇ ଦିଆଲକୁ ଉଠିବାକୁ ଚେଷ୍ଟା କରନ୍ତୁ ।’’

 

ଆପଣ ମୋର ଭାରି ଦେହଟାକୁ ସମ୍ଭାଳି ପାରିବେତ ମହେନ୍ଦ୍ର ବାବୁ ?

 

‘‘ପାରିବି ।’’

 

ହେଉ ତେବେ ଆପଣ ବସିପଡ଼ନ୍ତୁ । ଆଉ ମଧ୍ୟ ମୋତେ, ନେଇ ଆସିଥିବା ରସିଖଣ୍ଡକ ଦେଇ ଦିଅନ୍ତୁ । ମୁଁ ସେ ପଟକୁ ଯିବା ପୂର୍ବରୁ ରସିଟି ଆପଣଙ୍କ ହାତକୁ ଦେବି । ଆପଣ ତାକୁ ଏ ପଟରୁ ଟାଣି ଧରିବେ ଓ ଖୁବ୍‍ ଆସ୍ତେ ଆସ୍ତେ ସେ ପଟକୁ ଛାଡ଼ୁଥିବେ ମୁଁ ତଳକୁ ଓହ୍ଲାଇ ସାରିବା ପରେ ମୁଁ ପୁଣି ଦୌଡ଼ିକୁ ଧରି ଟାଣିବି ତୁମେ ଏପଟରୁ ସେ ପଟକୁ ଚାଲିଯିବ ।

 

ହଁ ସତ୍ୟବ୍ରତ ବାବୁ ଏତେବେଳେକେ ଏହି ପ୍ଲାନଟା ଅବଶ୍ୟ ଠିକ୍‍ କାର୍ଯ୍ୟ କରିବ । ତାହାହେଲେ ଆଉ ବିଳମ୍ବ କରି କୌଣସି ପ୍ରୟୋଜନ ନାହିଁ । ଏଥର ଆପଣ ଆପଣଙ୍କ କର୍ତ୍ତବ୍ୟରେ ଅଗ୍ରସର ହୋଇ ପଡ଼ନ୍ତୁ । ମୁଁ ତାହାହେଲେ ଚତୁର୍ଥପାଦିଆ ପଶୁ ରୂପ ଧାରଣ କରେ ?

 

ଏତେ ବିପଦ ବେଳରେ ବି ମହେନ୍ଦ୍ର ବାବୁଙ୍କ କଥା ପଦକ ଶୁଣି ସତ୍ୟବ୍ରତ ବାବୁ ନ ହସି ରହିପାରିଲେନି ।

 

ସତ୍ୟବ୍ରତ ବାବୁ ତାଙ୍କ ପିଠି ଉପରେ ଠିଆହୋଇ ଦେବାଲର ଉପର ଭାଗକୁ ଧରି ଧୀରେ ଧୀରେ ଉପରକୁ ଉଠିବା ପାଇଁ ଚେଷ୍ଟା କଲେ । ଯାହାହେଉ ବଡ଼ କଷ୍ଟରେ ସେ ଉପରକୁ ଉଠିଗଲେ । ତା’ପରେ ସେ କହିଲେ–‘‘ମହେନ୍ଦ୍ର ବାବୁ ଆପଣ ରସିଟାକୁ ଖୁବ୍‍ ଶକ୍ତକରି ଧରନ୍ତୁ ମୁଁ ରସି ଧରି ତଳକୁ ଓହ୍ଲାଇଯାଏ ।’’

 

ଯାହାହେଉ ଅବଶ୍ୟ ଖୁବ୍‍ ନିରାପଦରେ ସେ ସେ ପଟରେ ଅବତରଣ କରି ପାରିଛନ୍ତି । ତା’ପରେ ସେ କ’ଣ କଲେନା ରସିଟିକୁ ଖୁବ୍‍ ଦୃଢ଼ ସହକାରେ ଏପାଖରେ ଟାଣିଧରି ମହେନ୍ଦ୍ର ବାବୁଙ୍କୁ ନର୍ଦ୍ଦେଶ ଦେଲେ ଆପଣ ଏହି ରଜ୍ଜୁ ସାହାଯ୍ୟରେ ଖୁବ୍‍ ଆସ୍ତେ ଆସ୍ତେ ଉପରକୁ ଉଠନ୍ତୁ ।

 

ମହେନ୍ଦ୍ର ବାବୁ ସତ୍ୟବ୍ରତ ବାବୁଙ୍କ କହିବାନୁଯାଇ ତାହାହିଁ କଲେ । ଦୌଡ଼ିଟା ଧରି ଅନୁମାନିକ ଫୁଟେ ଖଣ୍ଡ ଉପରକୁ ଉଠିଛନ୍ତି ଠିକ୍‍ ଏତିକିବେଳେ ସତ୍ୟବ୍ରତ ବାବୁ ଚିତ୍କାର କରି ଉଠିଲେ; ‘‘ମହେନ୍ଦ୍ର ବାବୁ ! ସର୍ବନାଶ, ସର୍ବନାଶ । ଆପଣ ଏଇନେ ଉପରକୁ ଉଠନ୍ତୁନି ଓହ୍ଲାଇ ପଡ଼ନ୍ତୁ ମହେନ୍ଦ୍ର ବାବୁ ଚିତ୍କାର ଶୁଣି କହି ଉଠିଲେ କ’ଣ ହେଲା ଆପଣଙ୍କର ?”

 

ଆପଣ ଟାଣି ଧରନ୍ତୁ ରସିଟାକୁ । ମୁଁ ଯେ ଏଇନେ ବଡ଼ ବିପଦର ସମ୍ମୁଖୀନ । ମୁଁ ଯେଉଁଠାରେ ଠିଆହୋଇ ତୁମକୁ ଟାଣୁ ଥିଲି ସେ ଚଟାଣଟା ନାହିଁ ମୁଁ ଏହି ରସିଟାକୁ ଧରି ଓହଳି ଅଛି । ଚଟାଣଟା ଦେଖୁ ଦେଖୁ କେଉଁଆଡ଼େ ଅପସରି ଯାଇଛି । ଆପଣ ଟାଣି ଧରନ୍ତୁ ମୁଁ ଉପରକୁ ଚାଲିଯାଏ । ଏହା କହି ସତ୍ୟବ୍ରତ ବାବୁ ଦେବାଲକୁ ଠେସଦେଇ ଉପରକୁ ଉଠିବା ସମୟରେ ଅପର ପାଖରୁ ମହେନ୍ଦ୍ର ବାବୁ ଚିତ୍କାର କରି ଉଠିଲେ ।

 

‘‘ସତ୍ୟବ୍ରତ ବାବୁ, ମୁଁ ବି ମରିଗଲି । ମୋର ଉପାୟ କ’ଣ ?’’

 

‘‘ଆପଣଙ୍କର କ’ଣ ହେଲା ମହେନ୍ଦ୍ର ବାବୁ ?”

 

‘‘ମୋ ଗୋଡ଼ତଳୁ ଚଟାଣଟା ଦୂରେଇ ଗଲାଣି । ଆପଣ ଟିକିଏ ଦିଆଲକୁ ଠେସଦେଇ ଧରି ଥାଆନ୍ତୁ ମୁଁ ଉପରକୁ ଉଠିଗଲେ । ଆପଣଙ୍କୁ ଟାଣି ଆଣିବି ।’’

 

ଏହାକହି ମହେନ୍ଦ୍ର ବାବୁ ଉପରକୁ ଉଠିବାପାଇଁ ଚେଷ୍ଟା କରିବାରୁ ସେପଟରୁ ସତ୍ୟବ୍ରତ ବଡ଼ ବିରକ୍ତି ଭାବରେ କହିଲେ–‘‘ଓଃ ଆପଣ କି ରକମ ଲୋକମ ? ଟିକିଏ ଅପେକ୍ଷା କରୁନାହାନ୍ତି-।’’

 

‘‘ମୁଁ କ’ଣ କରିବି ସତ୍ୟବ୍ରତ ବାବୁ । ମୋର ଅବା ଦୋଷ କ’ଣ ? ଓହୋ–ହୋ–ଖସି ଗଲିମ । ଟିକିଏ ଟାଣି ଧରନ୍ତୁ । ଆହା–ମୁଁ । ଯେ କେଉଁ ଅନ୍ଧାରି କୂପ ମଧ୍ୟକୁ ଖସି ଯିବାକୁ ଲାଗିଛି-।’’

 

ମହେନ୍ଦ୍ର ବାବୁ ତାଙ୍କଠାରୁ ଏପରି ଶୁଣି ଟିକିଏ ଅଟକି ଗଲାରୁ ସତ୍ୟବ୍ରତ ବାବୁ ପୂର୍ବପରି ଝୁଲି ରହିଲେ ଓ ଅପର ପଟେ ମହେନ୍ଦ୍ର ବାବୁ ମଧ୍ୟ ଝୁଲି ରହିଲେ । ଦୁହେଁ ଦୁହିଁଙ୍କୁ ଦେଖିବାର କ୍ଷମତା ରହିଲା ନାହିଁ । ଏପାଖ ଉପରକୁ ଉଠିଲେ ସେପାଖ ତଳକୁ ଖସୁଛି ସେପାଖ ଉପରକୁ ଉଠିଲେ ଏପାଖ ତଳକୁ ଖସୁଛି । ଠିକ୍‍ ବଣିଆ ଓଜନ ନିକିତିପରି । କାହାରି ଗୋଡ଼ ତଳେ ନାହିଁ ଦୁହିଁଙ୍କ ଗୋଡ଼ ଚଟାଣଶୂନ୍ୟ ଜାଗାରେ । ଦୁହେଁ ଦୁଇ ପଟରେ ଲଟକି ରହିଲେ । ଯଦିବା ଦୁହେଁ ଏକା ସାଙ୍ଗରେ ଚେଷ୍ଟା କରିଥିଲେ ଦେବାଲ ଉପରକୁ ଉଠିପାରି ଥାଆନ୍ତେ ଉଠିକରି ଅବା ଲାଭ କ’ଣ ଦେବାଲ ଉପରେ କ’ଣ ବସିବାର କିମ୍ବା ଗୋଡ଼ ରଖିବାର ସ୍ଥାନ ଅଛି, ସେ ଆଶା ମନରୁ ପରିତ୍ୟକ୍ତ କରି ଭଗବାନଙ୍କୁ ଡାକିବାକୁ ଲାଗିଲେ । ହେ ଭଗବାନ, ହେ ଦୀନବନ୍ଧୁ, ହେ ବିପଦଭଞ୍ଜନ ଆମ ଦୁହିଁଙ୍କୁ ଏ ବିପଦରୁ ଉଦ୍ଧାର କର । ଆପଣଙ୍କ ପରି ପ୍ରଭୁ ଥାଉଁ ଥାଉଁ କ’ଣ ଆମର ଜୀବନଟା ଏହିପରି କଲବଲ ହୋଇ ବିଦାୟ ନେବ ? ମଣିଷର ଦେହ ରକ୍ତ ମାଂସରେ ଗଢ଼ା, ରକ୍ତ ମାଂସ ଶରୀର କେତେ ସମୟ ଏପରି ଭାବେ ମଣିଷ ଲଟକି ରହିପାରେ ? ତଥାପି ସେମାନେ ଏପରି ଦାରୁଣ ଯନ୍ତ୍ରଣା ସହ୍ୟକରି ଦୀର୍ଘ ଅଧଘଣ୍ଟା ରହିଯିବା ପରେ ମହେନ୍ଦ୍ର ବାବୁ କହିଲେ–‘‘ସତ୍ୟବ୍ରତ ବାବୁ ମୁଁ ଆଉ ଏ ଦାରୁଣ ଯନ୍ତ୍ରଣା ସହ୍ୟକରି ପାରୁନି କିମ୍ବା ଏ ବିପଦରୁ ଉଦ୍ଧାର ପାଇବାର କୌଣସି ଆଶା ଦେଖୁନି । ଏହି ହୁଏତ ଆମ ଯାତ୍ରାର ଶେଷ ଜବନିକା ଅଥଚ ଦୁଇ ଦିଗରେ ଦୁଇଜଣ ଥାଇସୁଦ୍ଧା କେହି କାହାରିକୁ ଦେଖିବାର ସୁଯୋଗ ପାଇପାରୁ ନାହାଁନ୍ତି । କଷ୍ଟ ଆଉ ମୋ ପକ୍ଷରେ ସହ୍ୟକରା ସମ୍ଭବପର ହେଉନି । ତେଣୁ ଈଶ୍ୱରଙ୍କ ଉପରେ ଆତ୍ମବିଶ୍ୱାସ ରଖି ହାତ ଛାଡ଼ି ଦେଉଛି । ତେଣିକି କର୍ମରେ ଯାହାଥିବ ତାହାହିଁ ହେବ ।

 

ଏହା କହୁଁ କହୁଁ ମହେନ୍ଦ୍ର ବାବୁ ହାତ ଛାଡ଼ିଦେଲେ ମହେନ୍ଦ୍ର ବାବୁ ହାତ ଛାଡ଼ିଦେବା ସଙ୍ଗେ ସତ୍ୟବ୍ରତ ବାବୁ ମଧ୍ୟ ଅଟୋମେଟିକ ତଳକୁ ଖସିପଡ଼ିଲେ ଠିକ୍‍ ଦୁଇଜଣ ଯେପରି ଆକାଶ ମାର୍ଗରୁ ଲଞ୍ଜାତାରା ଖସିଲା ପରି ଖସିପଡ଼ିଲେ ।

 

ମହେନ୍ଦ୍ର ବାବୁ କେଉଁଠି ପଡ଼ିଲେ ତା’ର ଖବର ବର୍ତ୍ତମାନ ନାହଁ । କିନ୍ତୁ ସତ୍ୟବ୍ରତ ବାବୁ ତାଙ୍କର ପୃଥଳ ଶରୀରକୁ ନେଇ ଖସିପଡ଼ିଲେ କାହିଁ କେତେ ତଳେ । ଭଗ୍ୟର କଥା ସେ ଯେଉଁଠାରେ ପଡ଼ିଲେ ଠିକ୍‍ ସେଇଠାରେ କେତେଗୁଡ଼ିଏ ତୁଳା ବସ୍ତା ଖଞ୍ଜା ଯାଇଥିଲା ପରି ଜଣା ଯାଉଥିଲା । ମନେହୁଏ ସତ୍ୟବ୍ରତ ବାବୁଙ୍କ ଉପରେ ବଳିଆର ସିଂର ଦୟା, ଆଉ ମମତା ଅଛି କିମ୍ବା ଈଶ୍ୱରଙ୍କ ଆଶୀର୍ବାଦ ଓ ଅପାର କରୁଣା ।

 

ସତ୍ୟବ୍ରତ ବାବୁ ସେହି ତୁଳା ବସ୍ତା ଉପରେ ପଡ଼ି ବିଶେଷ ଆଘାତ ନପାଇ ଥିବାରୁ ଦୌଡ଼ି ପଳାଇ ଯିବାକୁ ଉଦ୍ୟତ ହେଲେ । ଠିକ୍‍ ସେତିକିବେଳେ ବଳିଆର ସିଂ ପଛପଟରୁ ଗୋଟିଏ ବିଦ୍ରୂପର ହସ ହସି ଡାକିଲା ସତ୍ୟବ୍ରତ ବାବୁ ? ପଳାଇ ଯିବାର ସେ ଦୁରାଶା କରନ୍ତୁନି । ପଳାଇ ଯିବାକୁ ଚେଷ୍ଟାକଲେ ଶେଷରେ ଆପଣଙ୍କର କ୍ଷତିହେବ । ମୋର ପିସ୍ତଲଦ୍ୱାରା ତୁମର ଜୀବନ ଦୀପିକା ଚିରଦିନ ପାଇଁ ବିଲୀନ ହୋଇଯିବ । ମୋ କଥାନୁଯାଇଁ କାର୍ଯ୍ୟ କଲେ ହୁଏତ ତୁମର ଅମୂଲ୍ୟ ଜୀବନ ନଷ୍ଟ ହେବନି । ତେଣୁ ତୁମେ ଏହି ପିସ୍ତଲର ଅଗ୍ରଭାଗକୁ ବକ୍ଷପାତି ଠିଆହୋଇ ରୁହନ୍ତୁ । ନଚେତ୍‍.....

 

ନଚେତ୍‍ ତାଙ୍କ ପ୍ରାଣର ବିନିମୟରେ ତୁମର ପ୍ରାଣଯିବ । ନୁହେଁ । ବଳିଆର ସିଂ ? ସତ୍ୟବ୍ରତ ଚୌଧୁରୀଙ୍କୁ ଆଦେଶ କରିବା ପୂର୍ବରୁ ତୁମେ ଆଗ ମୋ ଆଦେଶ ପାଳନ କର । ନତୁବା ତୁମକୁ ଗୁଳି କରିଦେବି ।

 

ବଳିଆର ସିଂ ଏ ଦୃଶ୍ୟ ଦେଖି ଚମକି ପଡ଼ି ପଛକୁ ଚାହିଁ ଦେଖିଲା ତାଙ୍କ ପଛରେ ପିସ୍ତଲ ହାତେ ଦଣ୍ଡାୟମାନ ପୋଲିସ୍‍ ଇନିସ୍ପେକ୍ଟର ଗଗନ ମହାନ୍ତି ।

 

ଗଗନମହାନ୍ତିଙ୍କ ଅର୍ଡ଼ରକୁ ଭ୍ରୂକ୍ଷେପ ନକରି ବଳିଆର ସିଂ ଜୋରରେ ହସି ଉଠିବା ସଙ୍ଗେ ସଙ୍ଗେ କ୍ଷଣକ ମୁହୂର୍ତ୍ତରେ ସେ ସ୍ଥଳରୁ ଏପରି ଭାବରେ ଅନ୍ତର୍ଦ୍ଧାନ ହୋଇଗଲା ଯେ ଯେପରି ବର୍ଷା ସାଙ୍ଗରେ ବିଜୁଳି ।

 

ଠିକ୍‍ ବଳିଆର ସିଂ ପଳାଇ ଯିବା ସଙ୍ଗେ ସଙ୍ଗେ ପୋଲିସ୍‍ ଇନିସ୍ପେକ୍ଟର, ଗଗନ ମହାନ୍ତି ତାହାକୁ ଲକ୍ଷ କରି ଗୋଟିଏ ଗୁଳି ଫାୟାର କଲେ ହେଲେ ଗୁଳିଟା ବ୍ୟର୍ଥତାର ପରିଚୟ ଦେଇ ଶୂନ୍ୟ ମାର୍ଗରେ ଲୀନ ହୋଇଗଲା ।

 

ସେତେବେଳକୁ ସତ୍ୟବ୍ରତ ବାବୁ କାଠ ପାଲଟି ଗଲେଣି ସେ ବିସ୍ମିତ ଭାବେ କହିଲେ, ‘‘ବାଃ’’ ଚମତ୍କାର ଦୃଶ୍ୟ ଏପରି ମହାନ ଦୃଶ୍ୟ ଜଗତରେ ଦେଖିବା ବିରଳ ।

 

“ମହାନ୍ତି ବାବୁ । ଶିଘ୍ର ମୋ ପଛେ ପଛେ ଆସନ୍ତୁ । ସୈତାନ ବଳିଆର ସିଂ, ନିଶ୍ଚୟ ଏହି ସୁଡ଼ଙ୍ଗ ମଧ୍ୟରେ ଆତ୍ମଗୋପନ କରିଥିବ ।” ଏହା କହି ସତ୍ୟବ୍ରତ ବାବୁ ବଳିଆର ସିଂ ପଳାଇ ଯାଇଥିବା ସୁଡ଼ଙ୍ଗ ପଥ ମଧ୍ୟକୁ ପଶିଗଲେ । ଆଉ ମଧ୍ୟ ତାଙ୍କ ପଛେ ପଛେ ଗଗନ ବାବୁ ଚାଲିଲେ ଦୁହିଁଙ୍କ ହସ୍ତରେ ଲୋଡ଼ିଂ ପିସ୍ତଲ । କିଛି ସମୟ ବଳିଆର ସିଂର ଅନୁସନ୍ଧାନରେ ଯିବାପରେ, ତାଙ୍କୁ ଶୁଭିଲା ଗୋଟିଏ ସାଇଁ ସାଇଁ ଗର୍ଜନ, ସତ୍ୟବ୍ରତ ବାବୁ ଅଟକି ଯାଇଁ କହିଲେ–‘‘ମହାନ୍ତି ବାବୁ” ଏପରି ଗୋଟାଏ ଶବ୍ଦ କ’ଣ ଶୁଭୁଛି ? କୌଣସି ମଣିଷର ଚଳପ୍ରଚଳ ବା, ମଣିଷ ସାହାଯ୍ୟରେ ହେଉଥିଲାପରି ଜଣା ଯାଉନାହିଁ । କାନ ଡେରି ଶୁଣିଲେ ଶବ୍ଦଟି କେଉଁଠାରେ ଉତ୍ପତ୍ତି ହେଉଛି ?’’

 

ମହାନ୍ତି ବାରୁ ଉତ୍ତର ଦେଲେ, ‘‘ଆଗକୁ ଚାଲନ୍ତୁ ଦେଖିବା କେଉଁଠାରୁ ସେ ଶବ୍ଦଟା ଆସୁଛି ଦୁହେଁ ଏହିପରି କଥାବର୍ତ୍ତା ହେଉଥିବା ମଧ୍ୟ ଦେଇ ସେମାନେ ପଚାଶ ହାତ ଆଗକୁ ଆଗେଇ ଆସିଥିଲେ । ଯେତିକି ଆଗକୁ ଆଗେଇ ଯାଉଥାଆନ୍ତି, ଶବ୍ଦଟି ମଧ୍ୟ ସେତିକି ଜୋର୍‍ ଜୋର୍‍ ଶୁଣିବାକୁ ମିଳୁଥାଏ । ତେଣୁ ଏମାନେ ଆହୁରି ଆଗକୁ ଆଗକୁ ସେହି ଶବ୍ଦଟିକୁ ଆବିଷ୍କାର କରିବା ନିମନ୍ତେ ମନ ମଧ୍ୟରେ ଦୃଢ଼ ସଂକଳ୍ପ କରି ଆଗେଇ ଚାଲିଲେ । ସେଠାରୁ କିଛି ଦୂର ଯିବାପରେ ଶବ୍ଦଟିକୁ ବେଶ୍‍ ପରିଷ୍କାର ଭାବେ ଶୁଣିବାକୁ ମିଳିଲା । ମହାନ୍ତି ବାବୁ କହିଲେ “ଏ ଶବ୍ଦଟି ନିଶ୍ଚୟ କୌଣସି ପାୱାର ହାଉସରୁ ଆସୁଛି ।’’

 

ଆଉ କ’ଣ କହିବାକୁ ଯାଉଥିଲେ ଠିକ୍‍ ସେତିକିବେଳେ ଚମକି ଉଠି କହି ପକାଇଲେ, “ଓରେ ବାବା ?’’

 

‘‘କ’ଣ ହେଲା ଆପଣଙ୍କର ସତ୍ୟବ୍ରତ ବାବୁ ମହାନ୍ତି ବାବୁ ପ୍ରଶ୍ନ କଲେ ।’’

 

ସତ୍ୟବ୍ରତ ବାବୁ ତଳକୁ ଦୃଷ୍ଟି ନିକ୍ଷେପ କରି ମହାନ୍ତି ବାବୁଙ୍କୁ କହିଲେ, ‘‘ଏହି ଦେଖନ୍ତୁ ଏ ଯେଉଁ ସରୁ ତମ୍ବା ତାରଟି ଲମ୍ବି ଯାଇଛି । କାହିଁକି ଅବା କେଉଁଥିପାଇଁ ?’’

 

ମହାନ୍ତି ବାବୁ ତାରଟିକୁ ଗୋଡ଼ର ଜୋତା ସାହାଯ୍ୟରେ ଟିକିଏ ଦୂରକୁ ପେଲି ଦେଇ କହିଲେ ଏ ତାରଟି ମଧ୍ୟ ଦେଇ ଇଲେକ୍‌ଟ୍ରିକ୍‍ କରେଣ୍ଟ ପାସ୍‍ କରୁଛି । ମନେହୁଏ ଏ ତାରଟି କୌଣସି ଗୋଟିଏ ଶକ୍ତିଶାଳୀ ପାୱାର ହାଉସ ସଙ୍ଗେ ଯୋଗାଯୋଗ ରହିଛି ।

 

‘‘ତାହାହେଲେ ଏହି ତାରକୁ ଲକ୍ଷ କରି କରି ଗଲେତ ଆମ୍ଭେ ଠିକ୍‍ ଜାଗାରେ ଉପସ୍ଥିତ ହୋଇ ପାରନ୍ତେ ?’’

 

‘‘ହଁ ତାତ ନିଶ୍ଚୟ, ଆମ୍ଭେମାନେ ଏହିପଥ ଦେଇ ଗଲେ ନିଶ୍ଚୟ ଆମ୍ଭେ ଆମ୍ଭମାନଙ୍କ ଗନ୍ତବ୍ୟ ସ୍ଥଳେ ଉପସ୍ଥିତ ହୋଇ ପାରିବା I”

 

ଏହା କହି ଦୁଇଜଣ ପୁଣି ଆଗେଇ ଚାଲିଲେ । ସେଠାରୁ ଚାଳିଶ ପଚାଶ ଗଜ ଦୂର ଯିବାପରେ ଏମାନଙ୍କ ନଜରକୁ ଆସିଲା ଗୋଟାଏ ବିରାଟ ପାୱାର ହାଉସ । ସତ୍ୟବ୍ରତ ବାବୁ ମହାନ୍ତି ବାବୁଙ୍କ ଆଡ଼କୁ ଚାହିଁ କହିଲେ–‘‘ଏଇ ଦେଖନ୍ତୁ ମହାନ୍ତି ବାବୁ, ସୈତାନ ବଳିଆର ସିଂ କିପରି ଗୋଟିଏ ପାୱାର ହାଉସ ଘର ମଧ୍ୟରେ ସ୍ୱତନ୍ତ୍ର ଭାବେ ତିଆରି କରିଛି । ଏହି ପାୱାର ହାଉସ ସାହାଯ୍ୟରେ ଏ ଘର ଓ ସମସ୍ତ ସ୍ଵୟଂଚାଳିତ ଅଟୋମେସିନଗୁଡ଼ିକ କାର୍ଯ୍ୟକାରୀ ହୁଏ । କେଉଁଠି ଆମେ ଯଦି ଉପରେ ଦେଖୁ ଦେଖ ପୁଣି ଯାଇଁ ତଳେ ଆଉ ଦେଖିବ ଯଦି କୌଣସି ଖୋଲା ଜାଗାରେ ଆମ୍ଭେମାନେ ଦଣ୍ଡାୟମାନ ଦେଖୁ ଦେଖୁ ପୁଣି ଅନ୍ଧାର କାରାଗାରରେ ପୁଣି ବନ୍ଦି, ବଳିଆର ସିଂ ଦସ୍ୟୁ ହେଲେବି ତା’ର ବୁଦ୍ଧିକୁ ପ୍ରଶଂସା ନକରି ରହିହେବନି, ତୁମେ ତାକୁ ପ୍ରଶଂସା କର କିମ୍ବା ନକର, ମୁଁ କିନ୍ତୁ ତା’ର ବୁଦ୍ଧିକୁ ଆନ୍ତରିକ ପସନ୍ଦ କରେ । ସେ ଖୁବ୍‍ ବୁଦ୍ଧିଜୀବୀ ଓ ଜ୍ଞାନୀ । ମୋର ମନେହୁଏ, ଏ ସବୁ ବୈଦ୍ୟୁତିକ ଯନ୍ତ୍ରପାତି ନିର୍ମାଣ କରିବାପାଇଁ ବାହାରୁ ବୈଜ୍ଞାନିକମାନଙ୍କୁ ଅଣାଯାଇଥିଲା ହେଲେ ଏହି ଆମ ଦେଶର ଗୋଇନ୍ଦା ବିଭାଗରେ ଥିବା ଲୋକମାନେ ସେତେବେଳେ କ’ଣ କରୁଥିଲେ ? ଏତେବଡ଼ ଗୋଟାଏ ସୁଡ଼ଙ୍ଗ କରି ଏତେଗୁଡାଏ ଯନ୍ତ୍ରପାତି ଆଣି ଗୋଟାଏ ନୂଆକରି ଆଡ୍‍ଡା ଘର ପ୍ରସ୍ତୁତ କଲା କେହି ଜାଣି ପାରିଲେ ନାହିଁ ? ଏଥିରୁ ପରିଷ୍କାର ଭାବେ ଜଣାଯାଏ ଗୋଇନ୍ଦାମାନଙ୍କ ବୁଦ୍ଧି ଅପେକ୍ଷା ଦସ୍ୟୁ ବଳିଆର ସିଂର ଯଥେଷ୍ଟ ଗୁଣରେ ବେଶୀ-

 

ଗଗନ ବାବୁ ତାଙ୍କରି କଥା ଉପରେ ସମ୍ମତି ସୂଚକ ପ୍ରକାଶ କରି ଆଗକୁ ଚାଲି ଯାଉଥିଲେ । ଠିକ୍‍ ସେହି ସମୟରେ ଉର୍ମିମାଳାର କରୁଣ ଚିତ୍କାର ତୁହାଇ ତୁହାଇ ଭାସି ଆସିଲା ସେ ଗୁମ୍ଫା ମଧ୍ୟରୁ ।

 

ଦୁହେଁ ଯେତେ ସେହି କରୁଣ ଚିତ୍କାର ଶୁଣିବାକୁ ପାଇଛନ୍ତି, ଅତ୍ୟନ୍ତ ବ୍ୟତିବ୍ୟସ୍ତ ହୋଇ ପଡ଼ିଲେ ସେମାନେ, କେଉଁ ସ୍ଥାନରୁ ସେ ଶବ୍ଦ ଆସୁଛି ଏମାନଙ୍କ ପକ୍ଷରେ ଜାଣିବା ବଡ଼ ଦୁରୂହ ହୋଇ ପଡ଼ିଥିଲା । ଜାଣିବେ ବା କିପରି ? ତେବେ ସୁଦ୍ଧା ମନର ବଳକୁ ସୁଦୃଢ଼ କରି ସତ୍ୟବ୍ରତ ବାବୁ ଠେକୁଆ ପରି କାନଡେରି ରହିଲେ । ହେଲେ ତାଙ୍କ ଅନୁମାନହିଁ ଠିକ୍‍ ହେଲା ଠିକ୍‍ ତାଙ୍କଠାରୁ ଦୁଇ ତିନିଟା କୋଠରୀର ଅପର ପ୍ରାନ୍ତରୁ ସେ କରୁଣ ବୁକୁଫଟା ଚିତ୍କାର ଭାସି ଆସୁଥିବାର ଅନୁମାନ କରିନେଲେ ଆଉ ମଧ୍ୟ ସେ ସ୍ପଷ୍ଟ ଶୁଣିବାକୁ ପାଇଲେ ନିର୍ମଳା କାନ୍ଦି କାନ୍ଦି କହୁଛି ତୁମେ ମୋତେ କ୍ଷମାକର । ବରଂ ମୋର ଜୀବନଟାକୁ ତୁମରି ଏହି ବଳିଷ୍ଠ ବାହୁରେ ବଳି ଦେଇ ଦିଅନ୍ତୁ ହେଲେ ତାହାହିଁ ମୋର ବର୍ତ୍ତମାନ କାମ୍ୟ, କିନ୍ତୁ ପଶୁ ଭଳି ବଳ ପ୍ରୟୋଗ କରି ମୋ ପରି ଜଣେ ଅସହାୟା ବାଳିକାର ସତୀତ୍ୱ ଉପରେ ଏପରି ଦୌରାତ୍ମ୍ୟ କରନ୍ତୁ ନାହିଁ । ଆପଣ କ’ଣ ଜାଣନ୍ତିନି, ନାରୀର ମହାନ ଧର୍ମ ହେଉଛି ସତୀତ୍ୱ । ମୋ କଥାମାନି ତୁମ୍ଭେ ଏପରି କୁକର୍ମ ପାଇଁ ଆଗଭର ହୁଅନ୍ତୁ ନାହିଁ । ଆପଣ ହେଉଛନ୍ତି ମୋର ଭାଇଙ୍କର ଅନ୍ତରଙ୍ଗ ବନ୍ଧୁ । ତୁମେ ମୋର ବଡ଼ ଭାଇ, ମୁଁ ତୁମର ଛୋଟ ଭଉଣୀ । ଛୋଟ ଭଉଣୀ ପ୍ରତି ବଡ଼ ଭାଇର ଏପରି କୁ-ବ୍ୟବହାର କେଡ଼େ ବଡ଼ ନିନ୍ଦନୀୟ । ଏ ଅପରାଧକୁ କ’ଣ କେବେ ଭଗବାନ ସହ୍ୟ କରିବେ ? ଆପଣ ଜଣେ ଉଚ୍ଚ ଶିକ୍ଷିତ । ବିଶାଳ ଐଶ୍ୱର୍ଯ୍ୟର ଅଧିକାରୀ ଏପରି ଶିକ୍ଷାବିଦ ହୋଇ ଏହି ଅନ୍ୟାୟ ପଥରୁ ଦୂରେଇ ଯାଆନ୍ତୁ । ମୋର ଆପଣଙ୍କୁ ଉପଦେଶ ନୁହେଁ ଅନୁରୋଧ । ତୁମେ ମୋତେ ଜୀବନରୁ ମାରିଦିଅ କିନ୍ତୁ..... ।

 

ହାଃ–ହାଃ–ହାଃ–ହାଃ– ।

 

ଭାସି ଆସିଲା ବଳିଆର ସିଂର ମୋଟା ଗଳାର ଭାରି ଆବାଜ ।

 

ବଳଆର ସିଂ କହୁଛି । ଏଯେ ତୁମ ପିତାଙ୍କର ପୂର୍ବ କର୍ମର ପ୍ରାୟଶ୍ଚିତ । ତୁମର ଅନୁରୋଧ ତ ଦୂରର କଥା । ତୁମେ ଯଦି ଏହି ସିମେଣ୍ଟ ଚଟାଣ ଉପରେ ମୁଣ୍ଡ ପିଟି ପିଟି ରକ୍ତର ନଦୀ ପ୍ରବାହିତ କର, ତେବେବି ମୋର ପ୍ରତିଜ୍ଞା ଅଟଳ, ଆଉ ମୋର ହୃଦୟ, ପଥରଠାରୁ ବି ଆହୁରି କଠିଣ । ଏ ପାଷାଣ ହୃଦୟ ତରଳିବା ସମ୍ପୂର୍ଣ୍ଣ ଅସମ୍ଭବ । ବୃଥାଟାରେ ଏତେ ଅନୁରୋଧ ତୁମେ କାହିଁକି କରୁଛ ଉର୍ମିମାଳା, ମୁଁ କେବେହେଲେ ମୋର କଳ୍ପିତ ଆଶାକୁ ଗୋଟିଏ ନାରୀର ଉଷ୍ମ ଅଶ୍ରୁରେ ଭୁଲି ଯିବିନି । କଳ୍ପନା କଳ୍ପିତ ଆଶା ନିଶ୍ଚୟ ପୂରଣ କରିବି । ତୁମରି ସାନିଧ୍ୟରେ ।

 

ତୁମକୁ ଅନେକ ଦିନ ହେଲା ସମୟ ଦେଇ ଆସିଛି । କିନ୍ତୁ ଆଜି ଆଉ ସେ ସମୟକୁ ଉପେକ୍ଷା କରି ହେବନି । ମୋର ଆଉ ବିଶେଷ ସମୟ ନାହିଁ । ଖୁବ୍‍ କମ୍‍ ସମୟ ମଧ୍ୟରେ ମୋତେ ଏ ସୁଡ଼ଙ୍ଗ ଛାଡ଼ି ବହୁ ଦୂରକୁ ଚାଲି ଯିବାକୁ ହେବ । ତେଣୁ ସେଥିପାଇଁ ତୁମେ ପ୍ରସ୍ତୁତ ହୋଇ ପଡ଼ । ନତୁବା, ଏପରି ସହଜରେ ନହେଲେ କୂଟନୀତି ପ୍ରୟୋଗ କରିବାକୁ ବାଧ୍ୟହେବି ।

 

‘‘ପିଶାଚ ! ଏପରି ଅବିଚାରକୁ କ’ଣ କେବେହେଲେ ଧର୍ମ ସହିବ ? ଜାଣୁନା ପର ସ୍ତ୍ରୀ ଅପହରଣରେ କି ଦଶା ତୁ’ତ ଗୋଟାଏ ଦସ୍ୟୁ, ନରରୂପୀ ପିଶାଚ । ଧର୍ମ ଅଧର୍ମ କ’ଣ ଜାଣୁନା । ପଢ଼ିଛ କେବେ ରାମାୟଣ, ମହାଭାରତ ? ପଢ଼ି ନ ଥିଲେ କ’ଣ ଶୁଣି ନାହଁ କାହାଠାରୁ । ସୀତା ଦେବୀଙ୍କୁ ରାବଣ ବଳତ୍କାରେ ହରି ନେଇଥିଲା ସମୂଳେ ବଂଶ ତା’ର ଧ୍ୱଂସ ହୋଇଗଲା । ଆଉ ମହାଭାରତରେ ଦ୍ରୌପଦୀଙ୍କୁ କୌରବମାନେ ତାହାର କେଶ ଆକର୍ଷଣ କରି ତାକୁ ଉଲଗ୍ନ କରିବାକୁ ସଭା ମଧ୍ୟକୁ ନେଇ ଆସିଥିଲେ । ଶେଷରେ ତାଙ୍କର ପରିଣାମ କ’ଣ ହେଲା ? କୌରବ ଶତଭାଇ ସମୂଳେ ନାଶଗଲେ । କିନ୍ତୁ ଏକଥା ତୁମେ ମନେରଖ ସେହି ଦେଶର ମୁଁ ବି ଜଣେ । ଏ ପିଣ୍ଡରେ ଯେତେବେଳ ପର୍ଯ୍ୟନ୍ତ ବାୟୁ ଗମନାଗମନ କରୁଥିବ, ସେତେବେଳ ପର୍ଯ୍ୟନ୍ତ ତୋପରି ଜଣେ ନୀଚ ଇତର, ମୋର ଦେହ ସ୍ପର୍ଶ କରିପାରିବନି ।

 

ପୁ’ଣି ଭାଷି ଆସିଲା ସେ ବିକଟାଳ ହସର ଲହରୀ ।

 

ତୁ, ଆଉ ମୋତେ ସେହି ରାମାୟଣ, ମହାଭାରତର ହିତ ଉପଦେଶ ଶୁଣାଅନା । ସେ ସବୁ ମୁଁ ଶୁଣିବାକୁ ଆଦୌ ଚାହେଁନା । ମୁଁ କେବଳ ଚାହେଁ..... । ହାଃ, ହାଃ, ହାଃ, ହାଃ ।

 

ହେ ଭଗବାନ ! ଦୟାମୟ, କରୁଣା ବାରିଧି । ଅସହାୟର ସହାୟକ ତୁମେ, ମୋତେ ଏହି ପିଶାଚ ହସ୍ତରୁ ରକ୍ଷା କର ।

 

ଏହା କହି ଉର୍ମିମାଳା ଖୁବ୍‍ ଜୋରରେ କାନ୍ଦିବାକୁ ଲାଗିଲା ।

 

ଭୟ ନାହିଁ ଉର୍ମିମାଳା, ମୋ ପହଞ୍ଚିବା ପର୍ଯ୍ୟନ୍ତ ତୁମର ସତୀତ୍ୱକୁ ଅକ୍ଷୁଣ୍ଣ ରଖ । ବରଂ ପ୍ରାଣଟା ଚାଲିଯାଉ, ହେଲେ ନାରୀର ଶ୍ରେଷ୍ଠ ଧର୍ମକୁ ଜଳାଞ୍ଜଳି ଦିଅନା । ବଳିଆର ସିଂର ଧମକ୍‌କୁ ଡରି ଜୀବନ ଲୋଭରେ ଯେପରି ଚନ୍ଦ୍ରମାରେ କଳଙ୍କ ଲେପନା । ମୁଁ ପଛରେ ଅଛି । ଆଉ ମଧ୍ୟ ଖୁବ୍‍ ଶୀଘ୍ର ଯାଇଁ ତୁମ ନିକଟରେ ପହଞ୍ଚୁଛି । ଭୟ କରନା, ମୁଁ ଥିବା ପର୍ଯ୍ୟନ୍ତ ଦସ୍ୟୁ ତୋ’ର କେଶାଗ୍ର ପର୍ଯ୍ୟନ୍ତ ସ୍ପର୍ଶ କରିପାରିବନି ।

 

ସତ୍ୟବ୍ରତ ବାବୁ ଏତକ ସିନା ଜୋର୍‍ କଣ୍ଠରେ କହି ପକାଇଲେ । ହେଲେ ଯାଇ ପାରୁଛନ୍ତି ବା କିପରି ? କଥାଗୁଡ଼ି ସିନା ଶୁଣିବାକୁ ମିଳୁଛି । ସେ ଯେ ଏଇନେ କେଉଁଠି ?

 

ଉର୍ମିମାଳା ଏହି ବିପଦ ମୁଖର ସମୟରେ ଯେତେବେଳେ ସତ୍ୟବ୍ରତ ବାବୁଙ୍କର ସାହାସ ବାଣୀ ଶୁଣିବାକୁ ପାଇଲେ, ହେଲେ ସେଥିରେ ସେ ଧୈର୍ଯ୍ୟଧରି ପାରିଲା ନାହିଁ ବରଂ ଆହୁରି ଅଧୈର୍ଯ୍ୟ ହୋଇପଡ଼ିଲା । ଆଉ ମଧ୍ୟ କାନ୍ଦି କାନ୍ଦି କହି ଉଠିଲା, ସତ୍ୟବ୍ରତ ବାବୁ ଆପଣ କେଉଁଠାରେ ଅଛ ମୋତେ ରକ୍ଷାକର । ମୁଁ ବର୍ତ୍ତମାନ ଦସ୍ୟୁ ବଳିଆର ସିଂର ତିରିଶ ନମ୍ବର କୋଠରି ମଧ୍ୟରେ ।

 

ହଠାତ୍‍ ଉର୍ମିମାଳାର କଥା କେଉଁଠାରେ ଧକ୍‌କା ଖାଇଲା ପରି ଅଟକିଗଲା । ଯେହେତୁ ବଳିଆର ସିଂ ପାଟିରେ ଗୋଟିଏ ଲୁଗା ଭର୍ତ୍ତିକରି ତାକୁ ଆକ୍ରମଣ କରିବାକୁ ଉଦ୍ୟତ ହେଉଥିଲା ।

 

ଠିକ୍‍ ସେହି ସମୟରେ ସତ୍ୟବ୍ରତ ବାବୁ ଓ ଗଗନ ବାବୁ ! ସେଇ ସ୍ଥାନରେ ପହଞ୍ଚିଯାଇଁ ଗର୍ଜଉିଠିଲେ, ବଳିଆର ସିଂ; ସାବଧାନ !!’’ ଆଉ ପାଦେ ଆଗକୁ ଅଗ୍ରସର ହେଲେ ତୁମପରି ଗୋଟାଏ ପଶୁ ପ୍ରବୃତ ଲୋକକୁ ଗୁଳିକରି ଦେବାକୁ ତିଳେହେଲେ ଆମର ପିସ୍ତଲ ପଶ୍ଚ୍ୟାଦପଦ ହେବନି ।

 

ସତ୍ୟବ୍ରତ ବାବୁ ଆଉ କିଛି ବୋଧହୁଏ କହିବାକୁ ଯାଉଥିଲେ । ହେଲେ ତାଙ୍କ କଥା ତାଙ୍କ ମୁହଁରେ ଅଟକିଗଲା । ସେ ଶୁଣିଲେ ବଳିଆର ସିଂ ତାଙ୍କୁ ବିଦ୍ରୂପ କରି କହୁଛି ସତ୍ୟବ୍ରତ ବାବୁ-! ମରିଚିକା ପଛରେ ଧାଇଁ ଧାଇଁ ଶେଷରେ ନିଜର ଅମୂଲ୍ୟ ଜୀବନଟାକୁ ଜଳାଞ୍ଜଳି ଦେବେ-। ଏଥିରେ ଲାଭ ହେବ କ’ଣ ? ବରଂ କ୍ଷତିର ପରିମାଣଟା ବେଶୀ, ତା’ପରେ ସେହି ବିଦ୍ରୂପର ହାସ୍ୟ-। ହାଃ ହାଃ ହାଃ ହାଃ ବଳିଆର ସିଂର ଲମ୍ବା ହସଟା ଭୂମିକମ୍ପପରି ସେ ଘରଟାକୁ ଥରାଇଦେଲା-। ହସର ଲହରି ଶେଷ ହେବା ପୂର୍ବରୁ ସେ ଦେଖିବାକୁ ପାଇଲେ, ଗୋଟିଏ କାନ୍ଥ ଆସ୍ତେ ଆସ୍ତେ ଦୁଇ ଭାଗରେ ବିଭକ୍ତ ହୋଇଯାଉଛି । ଆଉ ତାରି ମଧ୍ୟ ଦେଇ ବଳିଆର ସିଂ ତଳକୁ ତଳକୁ ଖସିବାକୁ ଲାଗିଛି ।

 

ସତ୍ୟବ୍ରତ ବାବୁଙ୍କ ପିସ୍ତଲଟା ଗର୍ଜି ଉଠିଲା । ହେଲେ ଲକ୍ଷ ତାଙ୍କର ଅବଶ୍ୟ ଭ୍ରଷ୍ଟ ହୋଇ ନଥିଲା । କିନ୍ତୁ ବଳିଆର ସିଂ ଦେହରେ ଗୁଳିଟି ବାଜି ପୁଣି ତା’ର ବିପରୀତ ଦିଗକୁ ଫେରି ଆସିଥିଲା-

 

ଏହା ଦେଖି ସତ୍ୟବ୍ରତ ବାବୁ ଓ ଗଗନ ବାବୁ ଏକବାରକେ ଆଶ୍ଚର୍ଯ୍ୟ ହୋଇଗଲେ । ଏ କ’ଣ ମଣିଷ ନା ଲୁହା ?

 

ସେ ଲୁହା ସତ୍ୟବ୍ରତ ବାବୁ ! ଉର୍ମିମାଳା କହିଲା ।

 

‘‘ଲୁହା !’’

 

‘‘ହଁ, ଲୁହା, ତା’ର ସମ୍ପୂର୍ଣ୍ଣ ଦେହଟା ଗୋଟିଏ ଲୌହ ନିର୍ମିତ ଫ୍ରେମ ମଧ୍ୟରେ ।’’

 

‘‘ଏହା ମଧ୍ୟରେ ବଳିଆର ସିଂ କେଉଁଆଡ଼େ ସେହି କ୍ଷଣକ ଭିତରେ ଅନ୍ତର୍ଧାନ ହୋଇଗଲା । ସତ୍ୟବ୍ରତ ବାବୁ ଗଗନ ବାବୁ ଲକ୍ଷ୍ୟ କରି କହିଲେ ଦେଖିଲ ଲୋକଟା କିପରି ବିଚକ୍ଷଣ !!’’

 

ଗଗନ ବାବୁ ତାଙ୍କ କଥା ଉପରେ ଉତ୍ତର ଦେଇ କହିଲେ–ଛାଡ଼ନ୍ତୁ ସେ କଥା !

 

କିନ୍ତୁ ସତ୍ୟବ୍ରତ ବାବୁଙ୍କ ମୁହଁରୁ ବାହାରି ଆସିଲା । ଧନ୍ୟ ବଳିଆର ସିଂ ଧନ୍ୟ ତୋର ଚାଲାକ ଓ ଚତୁରତା ।

 

ବଳିଆର ସିଂର, ପ୍ରଶଂସା ସତ୍ୟବ୍ରତ ବାବୁଙ୍କ ମୁହଁରୁ ଶୁଣି ଗଗନ ବାବୁ କହିଲେ–‘‘ଏ ସ୍ଥାନ ତ୍ୟାଗ କରି ଶୀଘ୍ର ଆମକୁ ପଳାଇ ଯିବାକୁ ହେବ । କାରଣ ଏଠାକାର ଆବହାୱା ସେପରି ସୁବିଧାଜନକ ନୁହେଁ । ବିଶେଷତଃ ପ୍ରଥମ କର୍ତ୍ତବ୍ୟ ଆମର ଉର୍ମିମାଳାକୁ ନେଇ ତା’ର ବାପାଙ୍କ ନିକଟରେ ସାକ୍ଷାତ କରାଇଲେ ଉର୍ମିମାଳାର ଉଦ୍ଧାର ଦୃଶ୍ୟଟି ଆମର ଶେଷ ହେବ ।

 

ଉର୍ମିମାଳା କେବଳ ସ୍ଥାଣୁପରି ଠିଆହୋଇ ସବୁ ଶୁଣୁଥାଏ ଆଉ ମଧ୍ୟ ଦେଖୁଥାଏ । ତା’ର ପାଟିରେ କଥାନାହିଁ, କିମ୍ବା ମୁଖରେ ହସ ନାହିଁ ।

 

ସତ୍ୟବ୍ରତ ବାବୁ ଉର୍ମିମାଳାକୁ ଯିବା ନିମନ୍ତେ ସଙ୍କେତ ଦେଇ ବାହାରିବା ସମୟରେ ଗୋଟିଏ ବୁଲେଟର ଶବ୍ଦ ହେଲା । ଆଉ ମଧ୍ୟ ସେତିକିବେଳେ ଖଣ୍ଡିଏ ଗ୍ରୀନ୍‍ ରଙ୍ଗର ଲଫାପା ଆସି ତାଙ୍କଠାରୁ ଚାରି ଛ’ଫୁଟ ଦୂରରେ ପଡ଼ିଲା । ଗୁଳିଟି ବ୍ଲାଙ୍କ ଏଟା ନିଃସନ୍ଦେହ, ଚିଠିଟି ଉପରେ କେଇଟା ବଡ଼ ବଡ଼ ଅକ୍ଷର ଲିପିବଦ୍ଧ ସି.ଆଇ.ଡି. ସତ୍ୟବ୍ରତ ବାବୁ । ନିଜର ନାଁଟିକୁ ଦେଖି ଅତି ଆଗ୍ରହ ସହକାରେ ତଳୁ ଉଠାଇ ଆଣିଲେ । କୌତୁକ ସହକାରେ ଖୋଲି ପକାଇ ପଢ଼ିବାକୁ ଲଗିଲେ, ଲେଖାଅଛି ।

 

ପ୍ରିୟ ସତ୍ୟବ୍ରତ ବାବୁ !

 

ଆପଣ ମୋର ସମସ୍ତ ସୁଡ଼ଙ୍ଗର ଚାବି କରଗତ କରି ସାରିଛନ୍ତି । ମୁଁ ଏହା ଅନେକ ପୂର୍ବରୁ ଜାଣି ସୁଦ୍ଧା ତାହାର ବିହିତ ପ୍ରତିକାର କରି ପାରିନି, ଏଣୁ ମୁଁ ଆନ୍ତରିକ ଦୁଃଖିତ, ଅବଶ୍ୟ ଚେଷ୍ଟା ନ କରିଥିଲି ତା’ ନୁହେଁ । ଚେଷ୍ଟା କରିଥିଲି, ଯେତେବେଳେ ମୁଁ ଆପଣଙ୍କୁ ନିରୁପାୟ କରି ଖାତାଟିକୁ ଆଣିବାପାଇଁ ଚେଷ୍ଟା କରିଥିଲି, ଠିକ୍‍ ସେତିକିବେଳେ ସେଠାରେ ଗଗନ ବାବୁଙ୍କର ହୁଏ ଆବିର୍ଭାବ, ସେ ମଧ୍ୟ ମୋତେ ମୋର ପଛପଟରୁ ଆକ୍ରମଣ କଲେ ।

 

ଉର୍ମିମାଳାକୁ ବିବାହ ବେଦୀରୁ ହରଣ କରିବା ଆଶା ମଧ୍ୟ ମୋର ସଫଳ ହେଲାନି । ସେଥିରୁ ବି ବଞ୍ଚିତ ହେଲି । ସେସବୁ ଆଶାକୁ ପରିତ୍ୟକ୍ତ କରି ବାଧ୍ୟ ହେଉଛି, ମୁଁ ମୋର ସ୍ଵଦେଶକୁ ଫେରିଯିବା ପାଇଁ ଯେଉଁଠି ମୋର ମାଆ ମୋତେ ଅନ୍ତଫାଡ଼ି ଜନ୍ମ ଦେଇଥିଲା ସେଇଠାକୁ ।

 

ହଁ, ଏହା ମଧ୍ୟ ମନେ ରଖିବେ, ଉର୍ମିମାଳାକୁ ନେଇ ତା’ର ସ୍ୱାମୀ ଘରେ ଛାଡ଼ି ଆସିବେ-। ଯଦି ତା’ର ସ୍ୱାମୀ ତାକୁ ଗ୍ରହଣ କରିବାକୁ ଅରାଜି ହୁଅନ୍ତି, ତାହାହେଲେ ତାଙ୍କୁ ବି ଏକଥା ଜଣାଇଦେବ, ଏହାର ବିହିତ ପ୍ରତିକାରର ବ୍ୟବସ୍ଥା ଦସ୍ୟୁ ବଳିଆର ସିଂ କରିବାକୁ ପଶ୍ଚ୍ୟାଦପଦ ହେବନି । ଏହାକୁ ଯେପରି ନ ଭୁଲନ୍ତି ଆପଣ ।

 

ଆହୁରି ଗୋଟିଏ କଥା ଭୁଲିବେନି । ମୋର ଏ ଯେଉଁ ଅଟ୍ଟାଳିକା ବହୁ ଅର୍ଥ ବ୍ୟୟରେ ଏହା ନିର୍ମାଣ କରାଯାଇଛି । ଏହାପାଇଁ ଭାରତ ବାହାରୁ ବହୁ ବୈଜ୍ଞାନିକ ଆସିଛନ୍ତି ବହୁତ ପଇସା ସେମାନେ ନେଇଛନ୍ତି ।

 

ଏଣୁ ଆପଣଙ୍କୁ ମୋର ଅନୁରୋଧ ଏହି କାରୁକାର୍ଯ୍ୟପୂର୍ଣ୍ଣ ଇଲେକ୍‌ଟ୍ରିକ୍‍ ସଂପୃକ୍ତ ଅଟ୍ଟାଳିକାଟିକୁ ଯେପରି ନଷ୍ଟକରି ନ ଦିଅନ୍ତି । ବରଂ ଏହାକୁ ଆହୁରି ଅଧିକରୁ ଅଧିକ ଉନ୍ନତଧରଣର କରିବା ବିଧେୟ । ଆପଣଙ୍କ ହାତରେ ତ ଏହାର ସମସ୍ତ ଚାବି ଅଛି । ତେଣୁ ଏହାର ରହସ୍ୟ ଖୋଜି ବାହାର କରିବାକୁ ବିଶେଷ କଷ୍ଟ ସ୍ୱୀକାର କରିବାକୁ ପଡ଼ିବନି । ମୁଁ ଯଦି ଆଉ କେତେ ଦିନ ତୁମର ଏହି ଆଖି ଦୁଇଟା ଫାଙ୍କିଦେଇ ରହିପାରି ଥାଆନ୍ତି ତା’ହେଲେ ଏହାକୁ ଆହୁରି ଉନ୍ନତଧରଣର କରିପାରି ଥାଆନ୍ତି କିନ୍ତୁ ଦୁର୍ଭାଗ୍ୟ ତାହା ହୋଇପାରିଲା ନାହିଁ । ମୁଁ ଚାଲିଲି, ମୋତେ ଖୋଜି ବାହାର କରିବାପାଇଁ ତୁମ ବହୁମୂଲ୍ୟ ସମୟଗୁଡ଼ିଏ ନଷ୍ଟ କରିବେନି । ଇତି ।

 

ବିଦାୟ, ବଳିଆର ସିଂ

 

ଚିଠିଟି ପଢ଼ିସାରିବା ପରେ ଦୁହିଁଙ୍କ ମୁହଁରୁ ଦୁଇଟି ଦୀର୍ଘନିଃଶ୍ୱାସ ବାହାରି ଆସି ବାୟୁମଣ୍ଡଳରେ ଲୀନ ହୋଇଗଲା । ସେଠାରେ ସେମାନେ ଆଉ କାଳ ବିଳମ୍ବ ନକରି ଉର୍ମିମାଳାକୁ ସଙ୍ଗରେ ଧରି ଶୀଘ୍ର ସେ ସ୍ଥାନ ପରିତ୍ୟାଗ କଲେ ।

 

X X X X

 

ଡାକ୍ତର ନିହାରକାନ୍ତ ମିଶ୍ରଙ୍କ ଅତିରିକ୍ତ ପରିଶ୍ରମ ଯୋଗୁଁ କର୍ମ ପ୍ରବୀଣ ସି.ଆଇ.ଡି. ମହେନ୍ଦ୍ର ବାବୁଙ୍କ ଜ୍ଞାନ ଫେରିଆସିଲା । ସେ ଆଖି ଖୋଲି ଚାହିଁ ଦେଖିଲେ ଠିକ୍‍ ତାଙ୍କ ଦକ୍ଷିଣ ଦିଗରେ ତାଙ୍କ ପାଖକୁ ଲାଗି ପ୍ରଥମ ଶ୍ରେଣୀର ସି.ଆଇ.ଡି. ସତ୍ୟବ୍ରତ ଚୌଧୁରୀ ବସି ରହିଛନ୍ତି ଓ ତାଙ୍କ ପାଖରେ ପୋଲିସ ଇନିସ୍ପେକ୍ଟର ଗଗନ ବାବୁ ଠିଆହୋଇଛନ୍ତି ନିହାରକାନ୍ତବାବୁକୁ କ’ଣ ପ୍ରଶ୍ନ କରୁଛନ୍ତି ।

 

ଆଉ ମଧ୍ୟ ଡାକ୍ତର ନିହାରକାନ୍ତବାବୁ ଗୋଟିଏ ଇଞ୍ଜେକ୍‌ସନ୍‍ ସିରିଞ୍ଜ ଧରି ନଇଁପଡ଼ିଛନ୍ତି ତାଙ୍କରି ବାହୁର ମଧ୍ୟ ଭାଗରେ ।

 

ମହେନ୍ଦ୍ର ବାବୁ ଭୟଙ୍କର ଯନ୍ତ୍ରଣା ଅନୁଭବ କଲେ ତାଙ୍କର ବାମ ପାଦରୁ । କ’ଣ ହୋଇଛି ଆଉ କେଉଁଥିପାଇଁ ଏପରି ଯନ୍ତ୍ରଣା ହେଉଛି ଜାଣିବାପାଇଁ ପାଦ ଉଠାନ୍ତେ ଗଗନ ବାବୁ ପାଦଟାକୁ ଚାପିରଖି କହିଲେ “କ’ଣ ଆପଣଙ୍କୁ କଷ୍ଟ ହେଉଛି ?” ଆପଣଙ୍କର ଏହି ପାଦଟା କ୍ଷଣକ ପୂର୍ବରୁ ବ୍ୟାଣ୍ଡେଜ କରାଯାଇଛି । ବର୍ତ୍ତମାନ ଏହିପରି ସାମାନ୍ୟ ଯନ୍ତ୍ରଣାକୁ ସହ୍ୟ କରିବାକୁ ପଡ଼ିବ । ଏଇନେ ଆପଣଙ୍କ ଦେହଟି କିପରି ଲଗୁଛି ?

 

ମହେନ୍ଦ୍ର ବାବୁ ଅସ୍ପଷ୍ଟ ସ୍ୱରରେ ଉତ୍ତର ଦେଲେ ସାରାସର୍ବାଙ୍ଗଟା ବ୍ୟଥା ହୋଇଯାଇଛି । ଗୋଡ଼ଟା ମଧ୍ୟ, ହଁ ଗଗନ ବାବୁ ମୋ ଗୋଡ଼ରେ କ’ଣ କୌଣସି ଆଘାତ ଲାଗିଥିଲା ? ବ୍ୟାଣ୍ଡେଜ ହୋଇଛି କାହିଁକି ?

 

ସେଇଠାରେ ଡାକ୍ତରବାବୁ ଠିଆ ହୋଇଥିଲେ, ମହେନ୍ଦ୍ର ବାବୁଙ୍କୁ ସାନ୍ତ୍ୱନା ଦେଇ କହିଲେ–ସାମାନ୍ୟ କ୍ଷତହୋଇ ଯାଇଥିଲା । ସେ ନେଇ ଆପଣ ଦୁଃଖ କରନ୍ତୁନି । ଅଳ୍ପଦିନ ମଧ୍ୟରେ ଆରୋଗ୍ୟ ହୋଇଯିବେ ।

 

ମହେନ୍ଦ୍ର ବାବୁ ଡାକ୍ତରବାବୁଙ୍କଠାରୁ ଆଶ୍ୱାସନା ବାଣୀ ଶୁଣି ଗୋଟିଏ ଦୀର୍ଘନିଃଶ୍ୱାସ ପକେଇ କଡ଼ ଲେଉଟାଇ ପଚାରିଲେ–“ମୋତେ କିଏ ଆଉ କିପରି ଭାବରେ ଏଠାକୁ ଆଣିଲା ?” ମୁଁ ଯେତେବେଳେ ଉପରୁ ତଳକୁ ଖସି ପଡ଼ିଲି ସେତେବେଳେ ଯେ ମୋର ଜୀବନରେ ପ୍ରାଣବାୟୁ ରହିବ ସେ ଆଶା ମୋର ଆଦୌ ନଥିଲା । ବଞ୍ଚିଲି ବା କିପରି ?

 

ଏହା ଶୁଣି ଗଗନ ବାବୁ କହିଲେ–‘‘ଅବଶ୍ୟ ବଞ୍ଚି ନଥାନ୍ତେ । ଏଟାହିଁ ଠିକ୍‍, କିନ୍ତୁ ମୋ’ପାଇଁ ଆପଣ ଓ ସତ୍ୟବ୍ରତ ବାବୁ ଦୁଇଜଣ ପ୍ରାଣ ପାଇଛନ୍ତି । ବୁଦ୍ଧିଟାକୁ ଯେ ପ୍ରତିକ୍ଷେତ୍ରରେ ମୋଟା କଲେ ଚଳେନା ମହେନ୍ଦ୍ର ବାବୁ ! ମୁଁ ପ୍ରଥମରୁ ଆପଣଙ୍କୁ କହି ଆସିଛି । ଆପଣଙ୍କୁ ସାହାଯ୍ୟ କରିବାପାଇଁ ଚାରି, ଛଅଜଣ କନେଷ୍ଟବଳ ସଙ୍ଗରେ ନେଇଯିବାକୁ । ମୋ କଥା ଆପଣମାନେ ଶୁଣିଲେ ନାହିଁ ଶେଷରେ ପରିଣାମ କ’ଣ ହେଲା ?’’

 

ମହେନ୍ଦ୍ର ବାବୁ ଥଙ୍ଗେଇ ଥଙ୍ଗେଇ ପ୍ରଶ୍ନ କଲେ–‘‘ଆପଣ ଆମ୍ଭମାନଙ୍କର ସନ୍ଧାନ ପାଇଲେ କିପରି ? ଓ କେତେବେଳେ ଗଲେ । ଏବଂ କି ଉଦ୍ଦେଶ୍ୟରେ ଯାଇଥିଲେ ?’’

 

ଗଗନ ବାବୁ ନିଜର କଥାଗୁଡ଼ିକ ଠିକେ ଠିକେ କହିଯିବାପାଇଁ ଆରମ୍ଭ କଲେ ।

 

ଆପଣ ଓ ସତ୍ୟବ୍ରତ ବାବୁ ଯେତେବେଳେ ଦୁହେଁ ମୋ କଥା ନମାନି ଚାଲିଗଲ ମୁଁ ସେତେବେଳେ ଭାବିଲି ସହଜତ ତୁମ ଦୁହିଁଙ୍କର ଅଳ୍ପ ବୟସ । ଭବିଷ୍ୟତ କ’ଣ ଜାଣନା । କେତେବେଳେ ବା କେଉଁ ମୁହୂର୍ତ୍ତରେ ବିପଦ ଆସି ମୁଣ୍ଡ ଉପରେ ଠିଆ ହେବ ସେ ଦିଗକୁ ଧ୍ୟାନ ନାହିଁ । ସେପରି ସ୍ଥଳେ ତୁମ୍ଭେମାନେ କ’ଣ କରିବ ?

 

ମୁଁ ସେତେବେଳେ, ମନେମନେ ସ୍ଥିର କରିନେଲି ତୁମ୍ଭମାନଙ୍କୁ ସାହାଯ୍ୟ କରିବା ପାଇଁ ଦଶଜଣ କନେଷ୍ଟବଳଙ୍କୁ ଧରି ତୁମ ପଛେ ପଛେ ଚାଲିଲି । କିଛିଦୂର ତୁମମାନଙ୍କ ପଛରେ ପଛରେ ଯିବା ପରେ ମୋ କାନରେ ବାଜିଲା ପିସ୍ତଲର ଗୁଡ଼ୁମ୍‍ ଶବ୍ଦ । ସେତେବେଳେ ମୁଁ ମୋ ବୁଦ୍ଧି ବଳରେ ଜାଣିବାକୁ ପାଇ ପାରିଲି ଯେ ଲତିକା ଉପରେ ଆକ୍ରମଣ ହୋଇଛି । ଠିକ୍‍ ସେତିକିବେଳେ ମୁଁ ଗୋଟିଏ ଗୁଳ୍ମଲତାର ଅନ୍ତରାଳରେ ରହି ସବୁ ଦେଖୁଥାଏ । ତା’ପରେ ସତ୍ୟବ୍ରତ ବାବୁଙ୍କ ଆଦେଶାନୁଯାଇ ତୁମେ ଲତିକାକୁ ନେଇଗଲ ଡାକ୍ତରଖାନାକୁ । ଅବଶ୍ୟ ତୁମେ ଗଲନି । ଦୁଇଜଣ କନେଷ୍ଟବଳଙ୍କ ହସ୍ତରେ ଲତିକାର ମୁମୂର୍ଷୁ ଶରୀରଟାକୁ ଦେଇ ତୁମେ ପୁଣି ଫେରି ଆସିଲ । ତୁମ ଆସିବା ପୂର୍ବରୁ ସତ୍ୟବ୍ରତ ବାବୁ ସୁଡ଼ଙ୍ଗ ମଧ୍ୟକୁ ପ୍ରବେଶ କରି ସାରିଥିଲେ । ଆଉ ଆପଣଙ୍କୁ କହିଗଲେ ତାଙ୍କ ଫେରିବା ପର୍ଯ୍ୟନ୍ତ ଗାର୍ଡ଼ ହୋଇ ଅପେକ୍ଷା କରିବାକୁ । ସେଇଠୁ, ଆପଣ ଗାର୍ଡ଼ ହୋଇ, ତାଙ୍କୁ ପ୍ରତୀକ୍ଷା କରି ରହିଲେ ଆସିବା ପଥକୁ ।

 

କ୍ରମାନ୍ୱୟେ ଘଣ୍ଟା ତା’ର ଆଗେଇ ଚାଲିଲା । ଦୁଇଟି ଘଣ୍ଟା ବିତି ଯିବାପରେ ସତ୍ୟବ୍ରତ ବାବୁ ଯେତେବେଳେ ନ ଫେରିଲେ, ଆପଣ ତାଙ୍କୁ ଖୋଜିବା ଉଦ୍ଦେଶ୍ୟରେ ସେ ସୁଡ଼ଙ୍ଗ ମଧ୍ୟକୁ ପ୍ରବେଶ କଲେ । ଏହାସବୁ ମୁଁ ପଦାରେ ଠିଆହୋଇ ଲକ୍ଷ୍ୟ କରୁଥାଏ ଏବଂ ପ୍ରମାଦ ଗଣୁଥାଏ ।

 

ଦୀର୍ଘ ସମୟ ମୋତେ ଗୋଟିଏ ଜାଗାରେ ଚୋରପରି ଲୁଚି ରହିବାକୁ ଆଦୌ ଭଲ ଲାଗିଲା ନାହିଁ । ତେଣୁ ମୋ ସହିତ ଯାଇଥିବା ଦେହରକ୍ଷୀ ବା ସାହାଯ୍ୟକାରୀ କନେଷ୍ଟବଳମାନଙ୍କୁ ନିର୍ଦ୍ଦେଶ ଦେଇଦେଲି । ସେମାନେ ଯାଇଁ ବଳିଆର ସିଂର ଅଟ୍ଟାଳିକାର ଚାରିପଟରେ ଖୁବ୍‍ ସତର୍କତା ସହକାରେ ପ୍ରହରା ଦେବାକୁ ଆଉ ମୁଁ ସେତେବେଳେ ଖୁବ୍‍ ଧୀରପଦରେ ଆଗେଇ ଚାଲିଲି, ବଳିଆର ସିଂର ବୈଠକଖାନା ପାଚେରୀ କଡ଼କୁ ।

 

ମୁଁ ସେହିପରି ଠିଆ ହୋଇଥାଏ । ଦୁଇଟି ଘଣ୍ଟା ବିତିଯିବା ପରେ ଶୁଣିବାକୁ ପାଇଲି କ’ଣ ଗୋଟାଏ ଦୁମ୍‍ କରି ପଡ଼ିଯିବାର ଶବ୍ଦ । ଯେଉଁ ଦିଗରୁ ଶବ୍ଦଟା ଆସିଥିଲା ମୁଁ ଖୁବ୍‍ ସତର୍କତା ସହିତ ସେ ଦିଗକୁ ଦୌଡ଼ିଗଲି ସେଇଠାରେ ଯାହା ଦେଖିଲି । ମୋର ଧୈର୍ଯ୍ୟଚ୍ୟୁତ ହୋଇଗଲା । ତୁମେ ଗୋଟାଏ ଖାଲୁଆ ଅନ୍ଧାରିଆ ଗର୍ତ୍ତ ମଧ୍ୟରେ ପଡ଼ି ରହିଚ । ସେ ଜାଗାଟା ପୁଣି ସୁଦ୍ ଭଙ୍ଗା ମଦ ବୋତଲରେ ଭର୍ତ୍ତି । ଆପଣଙ୍କର ଭାଗ୍ୟ ଓ ଭଗବାନଙ୍କର ଆଶୀର୍ବାଦରୁ ବଞ୍ଚିରହି ପାରିଛନ୍ତି । ତୁମେ ଯେଉଁଠାରେ ପଡ଼ି ଯାଇଥିଲ ସେଇଠାରେ କେତେଗୁଡ଼ାଏ ସିମେଣ୍ଟର ବସ୍ତା ପଡ଼ି ରହିଥିଲା, ଆପଣ ତାରି ଉପରେ ପଡ଼ି ଯାଇଥିଲେ ବୋଲି ମୋର ମନେହୁଏ । ନତୁବା ମୃତ୍ୟୁକୁ ନିଶ୍ଚୟ ବରଣ କରି ଥାଆନ୍ତେ । ଦୁଇଟି ଜାଗାରେ ଦୁହିଁଙ୍କୁ ଦୁଇଟା ବିପଦ ଦେଖା ଦେଇଥିଲା । ଗୋଟାଏ ହେଲା ଆପଣ ସିମେଣ୍ଟ ବସ୍ତା ପାଇଁ ଜୀବନ ପାଇଲେ । ଆଉ ଗୋଟିଏ ସତ୍ୟବ୍ରତ ବାକୁ ମଧ୍ୟ ସେହିପରି ବିପଦର ସମ୍ମୁଖୀନ ହୋଇ ଉଦ୍ଧାର ପାଇଗଲେ ।

 

ଏ ସମସ୍ତ ଘଟଣା ଶୁଣି ମହେନ୍ଦ୍ର ବାବୁ ଓ ସେଠାରେ ଉପସ୍ଥିତ ଥିବା କେତେଜଣ ଦର୍ଶକ ବଡ଼ ବିସ୍ମିତ ହୋଇଗଲେ ।

 

ମହେନ୍ଦ୍ର ବାବୁ ଆଉ କ’ଣ ପଚାରିବାକୁ ଯାଉଥିଲେ, କିନ୍ତୁ ତାଙ୍କ କଥା ଉପରେ ବାଧା ଦେଇ ସତ୍ୟବ୍ରତ ବାବୁ କହିଲେ–‘‘ଆଚ୍ଛା ମହେନ୍ଦ୍ର ବାବୁ ଆପଣ କହିପାରିବେ ? ବଳିଆର ସିଂର ଜନ୍ମସ୍ଥାନ କେଉଁଠି ?’’

 

କିଛି ସମୟ ଚିନ୍ତା କରି ମହେନ୍ଦ୍ର ବାବୁ ଉତ୍ତର ଦେଲେ–‘‘ମୋର ଠିକ୍‍ ମନେପଡ଼େ, ତା’ର ଜନ୍ମସ୍ଥାନ ଗୁଜୁରାଟର କେଉଁ ଗୋଟାଏ ଛୋଟ ସହରରେ । ମୁଁ ଯେତେବେଳେ ଗୁଜୁରାଟରେ ପ୍ରଥମେ ଥିଲି ବଳିଆର ସିଂ ମୋତେ ତା’ର ଜନ୍ମଦିନ ପାଇଁ ମୋ ନିକଟକୁ ଇନ୍‌ଭାଇଟ୍‍ କାର୍ଡ଼ ପଠାଇଥିଲା । ମୁଁ ମଧ୍ୟ ସେହି ଉତ୍ସବରେ ଯୋଗ ଦେଇଥିଲି । ଖୁବ୍‍ ସୁନ୍ଦର ବିରାଟ ପାଞ୍ଚ ମହଲା କୋଠା । ସମ୍ଭ୍ରାନ୍ତ ଓ ଧନୀ ପରିବାରରେ ତା’ର ଜନ୍ମ । ପିଲାଦିନୁ ସେ ସ୍ୱଦେଶ ଛାଡ଼ି ବିଦେଶରେ ବହୁଦିନ କଟାଇଲା ପରେ ପିତା ପୁତ୍ରଙ୍କ ହୁଏ ମନମାଳିନ । ତା’ପରେ କ’ଣ ହେଲା । ଆଉ ମୋତେ ଜଣାନାହିଁ । ମୁଁ ଚାଲି ଆସିଲି ସେଠାରୁ ବଦଳି ହୋଇ ଏହି ଆମ ଓଡ଼ିଶା ମାଟିକୁ ।

 

‘‘ଆପଣ କ’ଣ ତା’ହେଲେ ଭଲଭାବରେ ଜାଣନ୍ତି ତା’ ଘର ଗୁଜୁରାଟରେ ?’’

 

‘‘ହଁ, ଏହା ମୋର ସମ୍ପୂର୍ଣ୍ଣଭାବେ ମନେଅଛି । ଆଉ ମଧ୍ୟ ସେ ଅନେକ ସମୟରେ ମୋ ସହିତ ଦେଖାହେଲେ ମୁଁ ତାଙ୍କ ଘରର ପରିବାର କଥା ପଚାରିଲେ ସେ କୁହେ; ଏଇନେ ମଧ୍ୟ ତା’ ଘରେ ତା’ର ବାପା, ଭାଇ, ଭଉଣୀ ଇତ୍ୟାଦି ସମସ୍ତେ ଅଛନ୍ତି ।

 

ସତ୍ୟବ୍ରତ ବାବୁ ଏହାସବୁ ଶୁଣୁଥିଲେ ସୁଦ୍ଧା ମନେମନେ କ’ଣ ଚିନ୍ତା କରୁଥିଲେ । ଆଉ କ’ଣ ଚିନ୍ତା କରୁଥିଲେ ତାକୁହିଁ ଜଣା । ସେତେବେଳେ ତାଙ୍କର ଭ୍ରୂ’କୁଞ୍ଚିତ ହୋଇ ଉଠୁଥିଲା । ମୁଖର ଭଙ୍ଗିକୁ ବିକୃତ କରି ସେ କହି ଉଠିଲେ ନା, ମହେନ୍ଦ୍ର ବାବୁ ଏହା ମୋର ଆଦୌ ବିଶ୍ୱାସ ହେଉନି ।

 

ଗଗନ ବାବୁ ଏହା ଶୁଣି ପ୍ରଶ୍ନକଲେ–କାହିଁକି ?

 

ସତ୍ୟବ୍ରତ ବାବୁ କହିଲେ–‘‘କାହିଁକିର ପ୍ରଶ୍ନ ଏଠି ଉଠୁନାହିଁ । ବଳିଆର ସିଂ ହେଉଛି ଗୋଟାଏ ପ୍ରକାଣ୍ଡ ଦୁର୍ଦ୍ଦାନ୍ତ ଦସ୍ୟୁ । ଦସ୍ୟୁମାନେ ନିଜର ଜନ୍ମସ୍ଥାନ ନିଜର ନାମ, ବାପାଙ୍କ ନାମ, ନିଜର ପ୍ରକୃତିଗତ ସନ୍ତାନ ଇତ୍ୟାଦି ବାହାରକୁ ପ୍ରକାଶ ନ କରିବା ଅବଶ୍ୟମ୍ଭାବୀ । ତେବେ ସେ କିପରି କହି ପାରିଲା ତା’ର ପ୍ରକୃତ ଜନ୍ମସ୍ଥାନ । ତା’ଛଡ଼ା ସେ କଣେ ଗୁଜୁରାଟୀ । ଏହା ମୋର ଆଦୌ ବିଶ୍ୱାସ ହେଉନି ।’’

 

‘‘ତେବେ ଆପଣଙ୍କର କିପରି ବିଶ୍ୱାସ ହେବ କୁହନ୍ତୁ । ନ ହେଲେ ସେହି ବ୍ୟବସ୍ଥା କରାଯିବ ।”

 

‘‘ହେଉ ପରେ କହିବି–ସେ ସବୁ ବିଷୟ ନେଇ କ’ଣ କରାଯିବ । ବର୍ତ୍ତମାନ ଏ ଆଲୋଚନା ଏଠାରେ ନକରି ସ୍ଥଗିତ ରଖାଯାଉ ।”

 

ତା’ପରେ ସତ୍ୟବ୍ରତ ବାବୁ ଅପରଦିଗକୁ ମୁହଁ ଘୂରାଇ ଡାକ୍ତର ବାବୁଙ୍କୁ କହିଲେ–‘‘ବର୍ତ୍ତମାନ ଆମ୍ଭେମାନେ ଚାଲି ଯାଉଛୁ । କିନ୍ତୁ ମହେନ୍ଦ୍ର ବାବୁ କିପରି ଶୀଘ୍ର ଆରୋଗ୍ୟ ଲାଭ କରନ୍ତି ସେଥିପ୍ରତି ଆପଣ ବିଶେଷ ନଜର ଦେବେ । ହଁ, ଆମ୍ଭେମାନେ ଚାଲିଲୁ ।’’

 

ଏହା କହି ସତ୍ୟବ୍ରତ ବାବୁ ଓ ଗଗନ ବାବୁ ଡାକ୍ତରଖାନା ମଧ୍ୟରୁ ବାହରି ଆସି ଖଣ୍ଡିଏ ଟ୍ୟାକ୍‌ସି ଧରିଲେ ।

 

X X X X

 

ଜେଲର ଅଫିସ୍‍ ରୁମରେ ଖଣ୍ଡିଏ ଟେବୁଲ–ତା’ରି ଚାରିପଟରେ ଚାରାଖଣ୍ଡି ଷ୍ଟିଲ ଚେୟାର ପଡ଼ିଛି । ଉକ୍ତ ଚାରିଖଣ୍ଡି ଚେୟାରରେ କର୍ମପ୍ରବିଣ ଚାରିଜଣ ପୋଲିସ କର୍ମଚାରୀ ଉପବିଷ୍ଠ ଅଛନ୍ତି । ସେହି ଚାରିଜଣଙ୍କ ମଧ୍ୟରୁ ମୁଖ୍ୟ ସତ୍ୟବ୍ରତ ବାବୁ । ସତ୍ୟବ୍ରତ ବାବୁ ଖଣ୍ଡିଏ ଦାମୀ ସିଗାରେଟରୁ ଅଗ୍ନି ସଞ୍ଜୋଗ କରୁ କରୁ କହିଲେ–‘‘ଗଗନ ବାବୁ ! ମୋର ସନ୍ଦେହ ଦୂର କରିବା ନିମନ୍ତେ କୁମାରୀ ଲତିକାଠାରୁ କୌଣସି ତଥ୍ୟ ସଂଗ୍ରହ କରିବାର ଅଛି । ଆପଣ ଦୟାକରି ଲତିକାକୁ କିଛି ସମୟ ପାଇଁ ଏଇଠାକୁ ଆଣିବେ କି ?’’

 

‘‘ଏ ପ୍ରଶ୍ନ ପୁଣି ମୋତେ ପଚାରିବା ପର୍ଯ୍ୟନ୍ତ ଅପେକ୍ଷା କରୁଛନ୍ତି ! ନିଶ୍ଚୟ ଆସିବ । କିନ୍ତୁ ଲତିକା ଯେ ବଳିଆର ସିଂର ସଠିକ୍‍ ଜନ୍ମସ୍ଥାନ କହିବ ଏ ବିଶ୍ୱାସ ଆପଣଙ୍କର ଅଛି ? ଆଉ ତା’ କହିବା କଥାନୁଯାଇ ଆପଣଙ୍କର କ’ଣ ସନ୍ଦେହ ମୋଚନ ହେବ ? ସେ ଯଦି ପ୍ରକୃତ କଥା ଛପାଇ ରଖି ଗୁଜୁରାଟ ଅଥବା ଅନ୍ୟ କୌଣସି ସହର ନାମ କୁହେ, ତେବେ ?

 

‘‘ତେବେ କିଛି ନୁହେଁ–ପ୍ରକୃତ ସତକଥା ନ ବାହାରିବା ଯାଏ ଲତିକା ପ୍ରତି କଠୋର ଶାସ୍ତିବିଧାନ କରାଯିବ । ଆପଣ ଦୟାକରି ଲତିକାକୁ ଏଠାକୁ ଆଣିବାକୁ ଅନୁମତି ଦିଅନ୍ତୁ ।”

 

ଗଗନ ବାବୁ ସଙ୍ଗେ ସଙ୍ଗେ ଦୁଇଜଣ କନେଷ୍ଟବଳକୁ ଆଦେଶ ଦେଲେ ‘‘ଲତିକାକୁ ବନ୍ଦି ଅବସ୍ଥାରେ ଏଇଠାକୁ ନେଇଆସ ।’’

 

କନେଷ୍ଟବଳ ଦୁଇଜଣ ସଲାମ ପକାଇ ପରେଟ ଷ୍ଟାଇଲରେ ଚାଲିଗଲେ, ଜେଲର ଆଠ ନମ୍ବର ରୁମ୍‌କୁ । ଯେଉଁଠାରେ ଲତିକା ବନ୍ଦିନୀ ।

 

ଗଗନ ବାବୁ ପୁଣି କହିଲେ–‘‘ସତ୍ୟବ୍ରତ ବାବୁ ଲତିକା ଯେ ସମ୍ପୂର୍ଣ୍ଣ ସତକଥା ବ୍ୟକ୍ତ କରିବ ଏହା ମୋର ଆଦୌ ବିଶ୍ୱାସ ହେଉନି । ସେ ଯଦି ମାଡ଼ ଭୟରେ ସତକଥାଗୁଡିକ ଗୋପନ ରଖି ଛଳନାରେ ଅନ୍ୟ କୌଣସି ନାମ କହେ । ତାହାହେଲେ ? ତାରି କଥା ଉପରେ ଘୂରିବୁଲିବେ । ଶେଷରେ ଆପଣଙ୍କର ପରିଶ୍ରମ ବିଫଳ ହେବ ଆଉ ନିରାପଦରେ ଅନ୍ୟଠାରେ ଆତ୍ମଗୋପନ କରିବ ଦସ୍ୟୁ ବଳିଆର ସିଂ ।

 

ସତ୍ୟବ୍ରତ ବାବୁ କହିଲେ–‘‘ଲତିକା ସତକଥା ଛପାଇ ରଖି ମିଛର ଆଶ୍ରୟ ନେବ ? ନେଉ–କିନ୍ତୁ ମୋର ପୁଣି ତ ବିଚାର କରିବାର ଶକ୍ତି ଭଗବାନ ଦେଇଛନ୍ତି । ଆଉ ସେହି ଶକ୍ତି ସାହାଯ୍ୟରେ ଯଦି ତା’ର କହିବା କଥା ହୃଦୟଙ୍ଗମ ହୁଏ, ତେବେ ସେ ଯାହା କହିବ ତାହାହିଁ ସତ । ନତୁବା......

 

ଗଗନ ବାବୁ ତାଙ୍କ ପାଟିରୁ କଥା ଛଡ଼ାଇ ନେଇ କହିଲେ–‘‘ଆପଣଙ୍କ ହୃଦବୋଧ ହେବ-। ଆଉ ବିଶ୍ୱାସ ଦୃଢ଼ୀଭୂତ ହେବା ସଙ୍ଗେ ସଙ୍ଗେ ଏହାର ଦାୟିତ୍ୱ ଆପଣଙ୍କ ଉପରେ ନ୍ୟସ୍ତ କରାଗଲା । ଲତିକାଠାରୁ ସତକଥା ଆଦାୟ ଆପଣ କରିବେ । ବର୍ତ୍ତମାନ ବନ୍ଦିନୀ ଲତିକା ଆସି ଆପଣଙ୍କ ପଛ ପାଖରେ ଠିଆହୋଇ ରହିଛି । ଯାହା ପଚାରିବାର ଅଛି, ତାହାହିଁ ପଚାରନ୍ତୁ ।’’

 

ସତ୍ୟବ୍ରତ ବାବୁ ପଛକୁ ମୁହଁ ବୁଲାଇ କହିଲେ–‘‘ଲତିକା ତୁମକୁ ମୁଁ ଯାହା ପଚାରିବି ତୁମେ ସବୁ ସତ କହିବ ?’’

 

ଗମ୍ଭୀର ସ୍ୱରରେ ଉତ୍ତର ମିଳିଲା–ହଁ, ଆପଣ ଯାହା ପଚାରିବା ପାଇଁ ମନସ୍ଥ କରିଛନ୍ତି ପଚାରନ୍ତୁ ମୁଁ ସବୁ ଅକୁଣ୍ଠିତ ଚିତ୍ତରେ ସତ, ସତ କଥା ଉତ୍ତର ଦେବି ।

 

‘‘ତୁମକୁ ବର୍ତ୍ତମାନ ପାଇଁ ଦୁଇଟି ପ୍ରଶ୍ନ । ଏ ଦୁଇଟି ଯଦି ସନ୍ତୋଷଜନକ ଉତ୍ତର ନଦିଅ, ତାହାହେଲେ ତୁମ ଉପରେ ଆଦୌ ମୋର ଦୟାର ଚିହ୍ନ ପର୍ଯ୍ୟନ୍ତ ରହିବନି ।’’

 

ମୁଖ ମଧ୍ୟରେ କ୍ଷୀଣ ହାସ୍ୟ ରେଖାଟିଏ ଦେଖାଇ କୁମାରୀ ଲତିକା କହିଲା–ଲତିକା କାହାରିଠାରୁ ଦୟା ଓ ସୁପାରିସ୍‍ ଭିକ୍ଷା କରିବାକୁ ଚାହେଁନା । ସତ୍ୟବ୍ରତ ବାବୁ ! ଆପଣଙ୍କର ଯାହା ପଚାରିବାର ଅଛି ପଚାରନ୍ତୁ ? ବନ୍ଦିନୀ ସତ କହିବାକୁ ବାଧ୍ୟ ।

 

‘‘ସୁନ୍ଦର, ତେବେ କୁହ ତୁମ ଦଳର ଦସ୍ୟୁ ସର୍ଦ୍ଦାର ବଳିଆର ସିଂର ଜନ୍ମସ୍ଥାନ କେଉଁଠି-?’’

 

‘‘ସର୍ଦ୍ଦାରଙ୍କର ଜନ୍ମସ୍ଥାନ ଗୁଜୁରାଟରେ, ସେ ମୋର ଭାଇ ହେଲେ ମୋର ଜନ୍ମସ୍ଥାନ ଏହି ଓଡ଼ିଶାରେ । ଏହା ମଧ୍ୟ ମହେନ୍ଦ୍ର ବାବୁ ଓ ଗଗନ ବାବୁ ଜାଣନ୍ତି ତାକୁ ମଧ୍ୟ ପଚାରିଲେ ସେ କହିବେ-।’’

 

‘‘ଲତିକା ! ତୁମେ ମୋ ନିକଟରେ ମିଛ କହିଲ କୁହ, ସତ କୁହ । ସତ କହିବାପାଇଁ ଏଇନେପରା ପ୍ରତିଶ୍ରୁତି ଦେଇଥିଲ ?’’

 

‘‘ଆଜ୍ଞା ମୋ’କଥା ସତ କି ମିଛ ଏଇନେ ମହେନ୍ଦ୍ର ବାବୁଙ୍କ ପାଖକୁ ଲୋକ ପଠାଇ ବୁଝିପାରନ୍ତି ।’’

 

‘ମୋତେ ଏହା ଶିଖାଇବାକୁ ହେବନି କୁମାରୀ । ବହୁତ ଆଗରୁ ବୁଝି ରଖିଛି । ତୁମେ ସତ କହିଛ କି ?’

 

‘‘ହଁ ।’’

 

ସତ୍ୟବ୍ରତ ବାବୁ ଗର୍ଜି ଉଠି ଲାଲଲାଲ ଆଖିରେ ପଚାରିଲେ । ତୁମେ କ’ଣ ତାହାହେଲେ ମୋ କଥାର ସଠିକ୍‍ ଉତ୍ତର ଦେବନି ଲତିକା ?

 

ଲତିକା, ସତ୍ୟବ୍ରତ ବାବୁଙ୍କ ନାଲି ଆଖିକୁ ନ ଡରି ଉତ୍ତର ଦେଲା ଏହା ମୋର ନିରାଟ ସତକଥା ।

 

ସତ୍ୟବ୍ରତ ଦେଖିଲେ ନାଲିଚକ୍ଷୁ ଏଠାରେ ଶୋଭା ପାଏନା ତେଣୁ ସେ ନରମ ଗଳାରେ ବୁଝେଇଲା ପରି କହିଲେ–‘‘କାହିଁକି, ବୃଥାଟାରେ ଲାଠିର ପ୍ରହାରକୁ ଡାକିହାକି ବରଣ କରୁଛ, ସତକଥା କହିଦେଲେ କ’ଣ ଭଲ ହୁଅନ୍ତାନି?’’

 

‘‘ମୁଁ କ’ଣ ଯାହା କହିଲି ସେ ସତ ନୁହେଁ, ମିଛ ? ମିଛ ବୋଲିବା ଆପଣ ଜାଣୁଛନ୍ତି କିପରି ?? ଯଦିବା ଜାଣ ମୋତେ ପଚାରୁଛନ୍ତି ତାହାହେଲେ କାହିଁକି ??? ତେବେ ମୁଁ ଜାଣିଶୁଣି ଯଦି ଗୋଟାଏ ନିପଟ ମିଛ କଥା ଆଣି ତୁମ ଆଖି ଆଗରେ ରଖେ ତାଙ୍କ ଘର ଏହି କଟକରେ ? ଏଥର ତାହାହେଲେ କ’ଣ ମୋ କଥା ଉପରେ ବିଶ୍ୱାସ ହେବ ???’’

 

‘ତୁମେ କ’ଣ ତାହାହେଲେ ମୋ ସହିତ ଥଟ୍ଟା କରୁଛ ଲତିକା !’ କ୍ରୋଧରେ ଜର୍ଜରିତ ହୋଇ କହିଲେ ସତ୍ୟବ୍ରତ ବାବୁ ।

 

ଥଟ୍ଟା, ହସି ଉଠିଲା ଲତିକା ।

 

ତାହେଲେ କ’ଣ ତୁମେ...... ।

 

ଲତିକା ହସି ହସି କହିଲା–‘‘ଆଜ୍ଞା ସେ କେବେ ସମ୍ଭବ, ସତ ନ କହି ମିଛର ଆଶ୍ରୟ କେବେ ନେଇପାରେ । ତା’ଛଡ଼ା ତୁମେ ଯେଉଁସବୁ ଶାସ୍ତି ଦେବାପାଇଁ ମନେମନେ ସ୍ଥିର କରିଛ ବନ୍ଦିନୀତ ନେବାପାଇଁ ସବୁ ସମୟରେ ବାଧ୍ୟ ।

 

ସାବଧାନ ଏଟା ପରିହାସର ସ୍ଥାନ ନୁହେଁ କିଏ ଅଛ । ସତ୍ୟବ୍ରତ ବାବୁ ଡାକିଲେ ।

 

‘‘ଆଜ୍ଞା ଉତ୍ତର ଆସିଲା, ମୁଁ ତେପନ ନମ୍ବର । ଆଣ ତ ମୋର ରୋଳବାଡ଼ି ଆଉ ଇଲେକ୍‌ଟ୍ରିକ୍‍ ସୁଇଚ୍‍ ।

 

ସତ୍ୟବ୍ରତ ବାବୁଙ୍କ ଆଦେଶ ପ୍ରତି ସଙ୍ଗେ ସଙ୍ଗେ ରୋଲବାଡ଼ି ଓ ଇଲେକ୍‌ଟ୍ରିକ୍‍ ସୁଇଚ୍‌ ଧରି ତେପନ ନମ୍ବର କନେଷ୍ଟବଳଟି ଟେବୁଲ ନିକଟରେ ଠିଆ ହେଲା ।

 

ସତ୍ୟବ୍ରତ ବାବୁ ତାକୁ ଆଦେଶ ଦେଲେ ତୁମେ ଆଗ ତାକୁ ଗଣି ଗଣି ପଚାଶ ପ୍ରହାର କର ସେଥିରେ ସେ ଯଦି ସତକଥା ନ କହେ ତାହାହେଲେ ତା’ ଦେହରେ ଇଲେକ୍‌ଟ୍ରିକ୍‍ ସୁଇଚି ଲଗାଇବ ଦେଖିବି ସେ କେତେବେଳେ ପର୍ଯ୍ୟନ୍ତ ମିଛର ଆଶ୍ରୟ ନେଉଛି । ଯେତେବେଳ ପର୍ଯ୍ୟନ୍ତ ସତ ନ କହିଥିବ ତା’ ଉପରେ ଏହିପରି କଠୋର ବ୍ୟବସ୍ଥା ଅବଲମ୍ବନ କରାଯିବ ।

 

ସତ୍ୟବ୍ରତ ବାବୁଙ୍କ ଆଜ୍ଞାକୁ ଅବଜ୍ଞା କରିବା ଶକ୍ତି କନେଷ୍ଟବଳର ଆସିବ କୁଆଡ଼ୁ ? ସତ୍ୟବ୍ରତ ବାବୁଙ୍କ ଆଦେଶାନୁଯାଇ ଏକ, ଦୁଇ, ତିନି, ଚାରି, ଗଣି ଗଣି ପଚାଶ ପ୍ରହାର କରିସାରିବାପରେ, ସେ ଯେପରି ତା’ର ସମସ୍ତ ଶକ୍ତି ଏକାବେଳକେ ହରାଇ ବସିଛି ବୋଲି ଅନୁଭବ କଲା । ଆଉ କ୍ଳାନ୍ତ ବୋଧକରି କାନ୍ଥକୁ ଆଉଜି କ୍ଷଣକାଳ ଠିଆହେଲା ।

 

ହେଲେ, ବନ୍ଦିନୀ ଲତିକା ସେହିପରି ପୂର୍ବବତ୍‍ ଗମ୍ଭୀର ଭାବରେ ଠିଆହୋଇ ରହିଥାଏ ।

 

ସତ୍ୟବ୍ରତ ବାବୁ ଲତିକା ଆଡ଼କୁ ଲକ୍ଷକରି କହିଲେ ‘କୁହ ସତକୁହ ?’

 

‘‘ମୁଁ ଯାହା କହୁଛି, ସମ୍ପୂର୍ଣ୍ଣ ସତକଥା । ଏହା ବ୍ୟତୀତ ଅନ୍ୟ କୌଣସି କଥା ମୋ ପକ୍ଷରେ କହିବା ସମ୍ଭବ ନୁହେଁ ।’’

 

‘‘କ’ଣ କହିଲ ? ଏହା ବ୍ୟତୀତ ତୁମେ ସତକଥା କହିବାକୁ... ।’’

 

‘‘ମୁଁ ତ ଯାହା କହିଲି ଏହା ନିରାଟ ସତ ।” ଏଁ ତେପନ ନମ୍ବର ଆହୁରି ପଚାଶ ପ୍ରହାର ଲଗାଅ । ଅତି କ୍ରୋଧାନ୍ୱିତଭାବେ କହିଲେ ସତ୍ୟବ୍ରତ ବାବୁ ।

 

ସଙ୍ଗେ ସଙ୍ଗେ ପ୍ରସ୍ତୁତ ହୋଇପଡ଼ିଲା ତେପନ ନମ୍ବର କନେଷ୍ଟବଳ । ପ୍ରହାର ଉପରେ ପ୍ରହାର । ଏକ ଦୁଇ କରି ପଚାଶ ଲଗାଇଦେଲା ।

 

କିନ୍ତୁ ଏ ପ୍ରହାର କୁମାରୀ ଲତିକା ପକ୍ଷରେ ସହ୍ୟକରା ଏକାନ୍ତ ଅସମ୍ଭବ ହୋଇ ପଡ଼ିଲା-। ଦେହସାରା ଫାଟି ଯାଇ ରକ୍ତ ବହିବାକୁ ଲାଗିଲା । ସେ ଯନ୍ତ୍ରଣାରେ ଛଟପଟ ହେବାକୁ ଲାଗିଲା-

 

ହେଲେ, ସତ୍ୟବ୍ରତ ବାବୁଙ୍କ କଠିଣ ହୃଦୟ ଟିକିଏ ହେଲେବି ତରଳିଲା ନାହିଁ; ତା’ରି ଉପରେ ପୁଣି ରାଗାନ୍ୱିତ କଣ୍ଠେ ପ୍ରଶ୍ନକଲେ, କ’ଣ ତୁମେ ସତକଥା କହିବନି ? ଆହୁରି... ।

 

‘‘ମୁଁ ପରା ଥରେ କହିଛି, ମୁଁ ଯାହା କହିଛି ତାହା ସମ୍ପୂର୍ଣ୍ଣ ନିର୍ଭୁଲ ଓ ସତକଥା । ମୋତେ ଯଦି ଗୋଟିଏ କଥା ଉପରେ ଦୋଷୀ ବୋଲି ସାବ୍ୟସ୍ତ କରି ପିଟି ପିଟି ମୋତେ ଜୀବନରୁ ଶେଷ କରିଦିଅ ତେବେ ସୁଦ୍ଧା ମୋ’ଠାରୁ ଶୁଣିବ ସେହି ଗୋଟିଏ କଥା ଭାଇଙ୍କ ଘର ଗୁଜୁରାଟ ।’’

 

ଏହା ଲତିକା ଖୁବ୍‍ କ୍ଷୀଣ ସ୍ଵରରେ କହିଲା ।

 

ସତ୍ୟବ୍ରତ ବାବୁ ସେତେବେଳକୁ ରାଗରେ ଲାଲ ପଡ଼ି ଯାଇଥିଲେ । ସେହି ରାଗ ଜର୍ଜରିତ ମୁଖରେ ପୁନଶ୍ଚ ଆଦେଶ ଦେଲେ ହୁଁ, ତେପନ ତୁମେ ଇଲେକ୍‌ଟ୍ରିକ୍‍ ସୁଇଚି ଟିପିଦିଅ, ଆଉ ପ୍ଲକ୍‍ଟା ଆଣି ଲତିକା ଦେହରେ ଲଗାଇ ଧର !

 

ତେପନ ନମ୍ବର ତାହାହିଁ କରିବାପାଇଁ ପ୍ରସ୍ତୁତ ହୋଇପଡ଼ିଲା ଓ ସଙ୍ଗେ ସଙ୍ଗେ ସୁଇଜଟା ଡାଉନ କରିଦେଇ ଲତିକା ଦେହରେ ଯେତେବେଳେ ଥରଟିଏ ଲଗାଇ ଦେଇଛି, ଲତିକା ଚିତ୍କାର କରି ଉଠିଲା । ଆଉ କହିଲା–‘‘ସତ୍ୟବ୍ରତ ବାବୁ ମୋତେ କ୍ଷମାକର, ରକ୍ଷାକରେ । ମୁଁ ସମସ୍ତ ଘଟଣା ସତ ସତ କହିବି । ଓଃ ଭଗବାନ–ମରିଗଲି !”

 

ସତ୍ୟବ୍ରତ ବାବୁ ପୂର୍ବପରି ଟେବୁଲ ଉପରେ ମୁହଁରଖି କହିଲେ–‘‘ଆଗେ ତୁମେ ସତକଥା ବ୍ୟକ୍ତକର, ତା’ପରେ ତୁମକୁ ଏ କଠୋର ଶାସ୍ତିରୁ ମୁକ୍ତି ମିଳିବ । ନତୁବା ତୁମେ ଆଜୀବନ ଏହିପର ଦାରୁଣ ଯନ୍ତ୍ରଣାର ସମ୍ମୁଖୀନ ହେବାକୁ ପଡ଼ୁଥିବ ।

 

ଲତିକା ଥଙ୍ଗ, ଥଙ୍ଗ, ଗଳାରେ ଉତ୍ତର ଦେଲା, “ଖଣ୍ଡଗିରିର ବାମପଟ ଶିଖରରେ..... ।’’

 

ସତ୍ୟବ୍ରତ ବାବୁ ଆନନ୍ଦରେ ଶିହରି ଉଠିଲେ ଆଉ ମଧ୍ୟ କହି ପକାଇଲେ ହସି ହସି ତା’ହେଲେ ଏତେଦିନ ପର୍ଯ୍ୟନ୍ତ ଛଦ୍ମବେଶରେ ରହି ସେ ଆମ ଆଖିରେ ଧୂଳି ଦେଇଥିଲା ?

 

ଆଚ୍ଛା ତେପନ ନମ୍ବର ତୁମେ ୟାକୁ ନେଇଯାଅ ଜେଲର ହସପିଟାଲକୁ, ଆଉ ଡାକ୍ତରଙ୍କୁ କୁହ ଶୀଘ୍ର ଯେପରି ଏହାର ଆରୋଗ୍ୟ ଚେଷ୍ଟା ଚଳାନ୍ତୁ । ସାମାନ୍ୟ ଟିକିଏ ଆରୋଗ୍ୟ ଲାଭ ପରେ ପୁଣି ଦ୍ୱିତୀୟ ପ୍ରଶ୍ନର ଉତ୍ତର ଦେବ ।

 

ଲତିକାକୁ ନେଇ ତେପନ ନମ୍ବର କନେଷ୍ଟବଳଟି ତା’ କର୍ତ୍ତବ୍ୟରେ ଆଗେଇ ଗଲା ।

 

ଗଗନ ବାବୁ କ’ଣ ଗୁଡ଼ାଏ ବସି ବସି ଚିନ୍ତା କରୁଥିଲେ ହଠାତ୍‍ ଚିନ୍ତା ରାଇଜରୁ ଫେରିଆସି ଗୋଟିଏ ପ୍ରଖର ନିଃଶ୍ୱାସ ତ୍ୟାଗକରି ପ୍ରଶ୍ନକଲେ–‘‘ସତ୍ୟବ୍ରତ ବାବୁ ! ଆପଣ କ’ଣ ଲତିକାର ଉତ୍ତରରେ ସନ୍ତୁଷ୍ଟ ହେଇଛନ୍ତି ?’’

 

ଗଗନ ବାବୁଙ୍କ କଥାରେ ଉତ୍ତର ଦେଇ ସତ୍ୟବ୍ରତ ବାବୁ କହିଲେ–‘‘ହଁ, ମୋର ତା’କଥା ଉପରେ ସାମନ୍ୟ ଅବଶ୍ୟ ବିଶ୍ୱାସ ଜନ୍ମିଛି ।”

 

‘ମୋର କିନ୍ତୁ ତା’କଥା ଉପରେ ଆଦୌ ବିଶ୍ୱାସ ହେଉନି । ଆପଣ ବା କପରି ବିଶ୍ୱାସ କରୁଛନ୍ତି ସେ କଥା କେବେଳ ମାତ୍ର ଆପଣହିଁ ଜାଣନ୍ତି ।’

 

ଏ ସବୁ ପ୍ରଶ୍ନର ଉତ୍ତର ମୁଁ ଏଇନେ ଦେଇପାରୁ ନାହିଁ । ଆପଣଙ୍କର ଯେଉଁଥିରେ ବିଶ୍ୱାସ ମୁଁ ତାହାକୁହିଁ ବିଶ୍ୱାସ କରିବି ଓ ତା’ରି ଦ୍ୱାରା ଦୃଢ଼ୀଭୂତହେବି ଏହାର ଗୋଟାଏ କିଛିମାନେ ନାହିଁ । ମୋର ମଧ୍ୟ ହିତାହିତ ଜ୍ଞାନ ସହ ବିଚାର କରିବାର ଶକ୍ତି ଅଛି । ଏହା ମୁଁ ବହୁତବାର ପୂର୍ବରୁ ମଧ୍ୟ ଜଣାଇଛି ଆପଣଙ୍କୁ । ଏହି ସମସ୍ୟା ମାଧ୍ୟମରେ ଯେତେଦୂର ମୁଣ୍ଡ ଖେଳାଇଛି, ତା’ଦ୍ୱାରା ମୋର ବିଶ୍ୱାସ ହେଉଛି ଲତିକାର ଶେଷକଥା ପଦକ ନିରାଟ ସତ ଅଟେ ।

 

‘‘ଲତିକା, ଯଦି ପ୍ରାଣ ବିକଳରେ ମିଥ୍ୟା ପ୍ରୟୋଗ କରିଥାଏ । ପ୍ରଥମେ ସେ ଯେପରି କହିଥିଲା ବଳିଆର ସିଂର ଜନ୍ମସ୍ଥାନ ଗୁଜୁରାଟରେ ।’’

 

‘‘ତେବେ ଆପଣ କ’ଣ କହିବାକୁ ଚାହୁଁଛନ୍ତି ଗଗନ ବାବୁ ?’’

 

‘ନା, ମୋର ଅବଶ୍ୟ କିଛି କହିବାର ନାହିଁ ତେବେ ଲତିକାର କଥାରେ ବିଶ୍ୱାସ କରି ମରିଚିକା ପଛରେ ଧାଇଁବା ମୋ ପକ୍ଷରେ.....’

 

‘‘କ’ଣ ଠିକ୍‍ ନୁହେଁ ?’’

 

‘ନା, ତା’ ବି ମୁଁ କାଟି ଦେଉନି ।’

 

‘‘ଆଉ ତେବେ ?’’

 

‘ମୋ ମତରେ ଅନୁସନ୍ଧାନ ଚଳାଇବା ପୂର୍ବରୁ ଆଉଥରେ ଲତିକାକୁ ପଚାରି ବୁଝିବା କ’ଣ ଠିକ୍‍ ହେବନି ?’

 

ମୃଦ୍ୟୁ ହାସ୍ୟ ରେଖାଟିଏ ମୁଖମଣ୍ଡଳରେ ସୃଷ୍ଟିକରି ସତ୍ୟବ୍ରତ ବାବୁ କହିଲେ–ଆପଣଙ୍କ କଥା ଅବଶ୍ୟ ଯୁକ୍ତିଯୁକ୍ତ, କିନ୍ତୁ ଏହାର ଯଥାର୍ଥ ପ୍ରମାଣ ମୁଁ ଏହି ସପ୍ତାହକ ମଧ୍ୟରେ ଆଣିଦେବି । ଘରେ ବା ଅଫିସରେ ବସି ରହିଲେତ କେହି ଆସି ଆମ ନିକଟରେ ତାଙ୍କ ଦଳର ପ୍ରକୃତ ସନ୍ଧାନ ଦେଇଯିବ ନାହିଁ । ଆମ୍ଭମାନଙ୍କର କର୍ତ୍ତବ୍ୟ ଅନୁସନ୍ଧାନ ସାମାନ୍ୟ ଗୋଟିଏ ଚେରପାଇ ତା’ରି ସାହାଯ୍ୟରେ ମୂଳ ଧରିବା ଆମ୍ଭମାନଙ୍କର ବିଶେଷତ୍ୱ ।

 

ଏହା କହିବାବେଳେ ସତ୍ୟବ୍ରତ ବାବୁଙ୍କ ମୁଖମଣ୍ଡଳରେ ବିରକ୍ତି ଭାବର ରେଖା ସୃଷ୍ଟି କରୁଥିଲା । କିନ୍ତୁ ସେ ଯଥାସାଧ୍ୟ ଚେଷ୍ଟାକରି ତାହା ଛପାଇ ରଖି ଚେୟାରରୁ ଉଠିଲାବେଳେ ଗଗନ ବାବୁ କହିଲେ–‘ଲତିକା ପ୍ରତି ସାବଧାନ ହେବାକୁ ପଡ଼ିବ । ସେ ଯେପରି ଆତ୍ମହତ୍ୟା ନ କରେ । ଅଥବା ନ ଖାଇ ନ ପିଇ ନ ମରେ ଯେପରି । ସେଥିପ୍ରତି ସମସ୍ତଙ୍କର ଦୃଷ୍ଟିଦିଆ ଏକାନ୍ତ ପ୍ରୟୋଜନ-।’

 

ସତ୍ୟବ୍ରତ ବାବୁ ଏହା ଶୁଣି ନ ହସି ରହିପାରିଲେ ନାହିଁ । ଆଉ ମଧ୍ୟ ଅନୁସନ୍ଧାନରେ ଯିବା ନିମନ୍ତେ ପ୍ରସ୍ତୁତ ହୋଇ ପଡ଼ିଲେ । ସେ ଘରତ୍ୟାଗ କରିବା ପୂର୍ବରୁ ପୁଣି ଥରେ ସୂଚାଇ ଦେଇଗଲେ–ହଁ ମୋ କଥାମତ କାର୍ଯ୍ୟ ହୁଏ ଯେପରି, କାରଣ ଲତିକାଠାରୁ ଅନେକ କିଛି ତଥ୍ୟ ଆବିଷ୍କାର କରିବାର ଅଛି ।

 

ସତ୍ୟବ୍ରତ ବାବୁ ଅନୁସନ୍ଧାନରେ ବାହାରିବା ବେଳେ ସେ ଗୃହଟି କରତାଳି ଓ ହର୍ଷ ଧ୍ୱନିରେ ମୁଖରିତ ହୋଇ ଉଠିଥିଲା ।

 

ପୋଲିସ ଇନିସ୍ପେକ୍ଟର ଗଗନ ବାବୁ ସତ୍ୟବ୍ରତ ବାବୁଙ୍କୁ ଅନ୍ତରର ଶୁଭେଚ୍ଛା ଜଣାଇ କହିଲେ–‘‘ଆପଣଙ୍କର ଲତିକା କଥାରେ ଦୃଢ଼ବିଶ୍ୱାସ ଓ ଆପଣଙ୍କର ଏ ବିଷୟରେ ଅଲୌକିକ ନିପୁଣତା ଦେଖି ମୁଁ ମୋର ଅନ୍ତରର ଧନ୍ୟବାଦ ଦେଉଛି । ଆଉ ମଧ୍ୟ ଆଶୀର୍ବାଦ କରୁଛି ତୁମରି ଏହି ଯାତ୍ରାପଥ ନିରାପଦ ହେଉ ।’’

 

ଏହା ଶୁଣି ସମସ୍ତେ ଏକା ସାଙ୍ଗରେ ହସି ଉଠିଲେ ।

 

ତା’ପରେ ସେ ସ୍ଥାନଟିକୁ ନିସ୍ତବ୍ଧତା ଢାଙ୍କି ରଖିଥିଲା ।

 

X X X X

 

କ୍ରମାନୁକ୍ରମେ ଚାରୋଟି ଦିନ ବିତିଗଲାଣି । ଏହା ମଧ୍ୟରେ ସତ୍ୟବ୍ରତ ବାବୁ ଛଦ୍ମବେଶରେ ସେ ଖଣ୍ଡଗିରିର ପଶ୍ଚିମ ପଟରେ ଥିବା ଶିଖରି ଶିଖର ତିନିବାର ବୁଲି ଆସିଲେଣି । କିନ୍ତୁ କୌଣସିଠାରେ ଦସ୍ୟୁର ଆଡ୍‍ଡା ସ୍ଥଳୀର ସନ୍ଧାନ ନପାଇ ମନଟି ତାଙ୍କର ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଛି । କାରଣ ସେ ସେଦିନ ଗଗନ ବାବୁଙ୍କ ନିକଟରେ ଦୃଢ଼କଣ୍ଠରେ ପ୍ରତିଜ୍ଞା ଘୋଷଣା କରିଥିଲେ, ଦସ୍ୟୁର ପ୍ରକୃତ ଆଡ୍‍ଡା ସେ ଆସି ତାଙ୍କୁ ଏହି ଚାରି ପାଞ୍ଚଦିନ ମଧ୍ୟରେ ନିଶ୍ଚୟ କହିବେ-। କିନ୍ତୁ କାହିଁ କିଛିତ ପ୍ରମାଣ ପାଇପାରୁ ନାହାନ୍ତି । ମନେମନେ ସ୍ଥିରକଲେ ପୁଣି ଥରେ ସେ ଖଣ୍ଡଗିରି ପଥେ ଅଭିଜାନ ସୁର୍‍ କରିବେ । ସେଠାରୁ ଯଦି ନିରାନନ୍ଦ ବା ନିଷ୍ଫଳରେ ଫେରନ୍ତି ତେବେ ଗଗନ ବାବୁଙ୍କ କଥା ଅକ୍ଷରେ ଅକ୍ଷରେ ସତବୋଲି ଧରିନେବାକୁ ପଡ଼ିବ । ପିଶାଚି ଲତିକା ତାଙ୍କୁ ମିଥ୍ୟା କଥାରେ ପ୍ରବର୍ତ୍ତାଇଛି ବୋଲି ଧରି ନେବାକୁ ପଡ଼ିବ । ସେ ଜୀବନର ଓ ମାଡ଼ ଭୟରେ ମିଛ କହିଛି-।”

 

ଏପରି କେତେ କ’ଣ ଗୁଣୁ ଗୁଣୁ ହୋଇ ଭାବୁଛନ୍ତି । ହଠାତ୍‍ ତାଙ୍କ ପଛପଟରୁ ଆସି ତାଙ୍କର ସହଧର୍ମିଣୀ କଅଁଳ କଣ୍ଠରେ ଡାକିଦେଲେ ଓ କହିଲେ–‘‘କାହା ସଙ୍ଗେ କଥା ହେଉଛନ୍ତି କି-?’’

 

‘‘ଓଃ ତୁମେ !! ଆଉ କାହା ସଙ୍ଗେ କଥା ହେବି ମନକୁ ମନ ପଚାରୁଥିଲି ।”

 

‘‘କ’ଣ ଉତ୍ତର ପାଇଲେ ?’’

 

‘‘ହଁ, ଏକାହିଁ ସେହି ମନମୋହିତ ଉତ୍ତର ଦେଉଥିଲା ।’’

 

ହସି ଉଠିଲେ ସ୍ତ୍ରୀ ତାଙ୍କର ।

 

ସ୍ତ୍ରୀଙ୍କ ହସ ତାଙ୍କୁ ଯେପରି ଅତ୍ୟନ୍ତ ଖରାପ ଲାଗୁଥିଲା । କିନ୍ତୁ ତା’ରି ମଧ୍ୟରେ ସେ କହି ଉଠିଲେ–‘‘ତୁମେ କ’ଣ ସମ୍ମୁଖକୁ ଆସି ଯାହା ତୁମର ପଚାରିଥିଲେ କ’ଣ ହୋଇ ନ ଥାଆନ୍ତା ?’’

 

ହସକୁ ଚାପିରଖି ସ୍ତ୍ରୀ ଉତ୍ତର ହେଲେ–‘‘କାହିଁକି, କ’ଣ ହେଲା କି ?’’

 

‘‘ହୁଅନ୍ତା ଆଉ କ’ଣ ତୁମ କୀର୍ତ୍ତିରେ ଚମକି ପଡ଼ିଲି ଯେ ।’’

 

‘‘ଏଇଟା ଅବଶ୍ୟ ମୋର ଦୋଷ ନୁହଁ ଆପଣ କ’ଣ କହୁଛନ୍ତି ଚମକି ପଡ଼ିଲେ ବୋଲି, ମୁଁ କେତେଦିନ ହେଲା ମର୍ମେ ମର୍ମେ ଅନୁଭବ କରୁଛି ଆପଣ ଏଣୁ ତେଣୁ କଥାଗୁଡ଼ାଏ ରଖି ମୁଣ୍ଡଟାକୁ ଖରାପ କରିବାକୁ ବସିଲେଣି । ଏହାଦ୍ୱାରା ପାଗଳ ହୋଇଯିବାର ମଧ୍ୟ ସମ୍ଭାବନା ଅଛି ।”

 

‘‘ଥାଉ ତୁମର ସେହି ହିତ ଉପଦେଶ ! ମୁଁ ତୁମର ହିତ ଉପଦେଶକୁ ଆଦୌ ପସନ୍ଦ କରେନା, ତୁମେ ଦୟାକରି କିଛି ନ କହି ଏଠାରୁ ଚାଲିଯାଅ ।’’ ବେଦନାପୂର୍ଣ୍ଣ ମୁଖରେ ସ୍ତ୍ରୀ କହିଲେ–‘‘ମୁଁ ଦେଖୁଛି ଆପଣ କେତେଦିନ ହେଲା, ସବୁ ସମୟରେ ମୋ ଉପରେ ବିରକ୍ତି ଭାବ ପ୍ରକାଶ କରୁଛନ୍ତି । କାହିଁକି ତୁମ ମୁଖରୁ କ’ଣ ମିଠା କଥା ଶୁଣିବା ମୋ ଭାଗ୍ୟରେ ନାହିଁ ?”

 

‘‘ମିଠା କଥା କହିବାକୁ ତୁମେ ମୋତେ କେବେ ସେପରି ସୁଯୋଗ ଦେଇ ନାହଁ । ଶୁଣିବ ବା କିପରି ? ଏଣିକି ଯଦି ତୁମର କୁ ଅଭ୍ୟାସଟା ବଦଳାଇ ଦିଅ, ହୁଏତ ତାହାହେଲେ...... ।’’

 

ଦୁଇଟି ହାତ ଏକ ହୋଇଗଲା । ହାତଟି କାଢ଼ିଆଣି ସତ୍ୟବ୍ରତ ବାବୁ ସ୍ତ୍ରୀଙ୍କ ନରମ ଗାଲରେ କଅଁଳ ଗାଲରେ ଚାପୁଡ଼ାଟାଏ ମାରି ତାଙ୍କର ମନ ମଧ୍ୟରେ ଆତ୍ମଗୋପନ କରିଥିବା ଦସ୍ୟୁ ବଳିଆର ସିଂର ଅନୁସନ୍ଧାନର କଥା, ସମସ୍ତ ତାଙ୍କୁ ଗୋଟି ଗୋଟି କରି ବୁଝାଇ କହିଲେ ।

 

ଏହାଶୁଣି ସ୍ତ୍ରୀ ତାଙ୍କର କହିଲେ–‘‘ଆପଣ ପରା ଏଇନେ କହୁଥିଲେ ମୁଁ ତୁମର ମୁଣ୍ଡଟାକୁ ଖରାପ କରି ଦେଉଥିଲି ? ତୁମ ପୁରୁଷ ଜାତିଟା ଏଡ଼େ ଦୁର୍ବଳ ?’’

 

ସତ୍ୟବ୍ରତ ବାବୁ ଚେୟାରରୁ ଉଠିପଡ଼ି ସିଗାରେଟ ଖଣ୍ଡିଏ ଅଗ୍ନି ସଂଯୋଗ କରି କହିଲେ–‘‘ହେଉ ତୁମର ଦୁଷ୍ଟାମି ଏଇବାର ରଖିଦିଅ । ମୁଁ ଏଇନେ ଖଣ୍ଡଗିରି ପଥେ ବାହାରି ଯାଉଛି ହୁଏତ ଫେରିବା ବିଳମ୍ବ ହୋଇପାରେ ତୁମେ ମୋ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବ ନାହିଁ ଖାଇପିଇ ଶୋଇ ପଡ଼ିବ ।

 

X X X X

 

କଟକର ରେଳ ଷ୍ଟେସନ ଲେବଲ କ୍ରସିଂ ନିକଟବର୍ତ୍ତୀ ଗୋଟିଏ ପାନଦୋକାନରେ ଠିଆହୋଇ ସତ୍ୟବ୍ରତ ବାବୁ କାହାକୁ ଯେପରି ପ୍ରତୀକ୍ଷା କରିଥାଆନ୍ତି । ମନେହୁଏ ଖଣ୍ଡଗିରି ଅଭିମୁଖେ ଯାଉଥିବା, ବସ୍‌କୁ ଅପେକ୍ଷା କରିଥାନ୍ତି, ବୋଧହୁଏ, ଠିକ୍‍ ଏତିକିବେଳେ ଲେବଲ କ୍ରସିଂର ରେଡ଼ ଲାଇଟ ଜଳିଉଠିଲା ଓ ସଙ୍ଗେ ସଙ୍ଗେ ବିପଦ ଘଣ୍ଟି ବାଜି ଉଠିଲା । ସେତେବେଳକୁ ରାତି ଆଠଟା ବାଜି ତେଇସି ମିନିଟ୍‍ ହୋଇଥାଏ । ପୁରୀ ହାଉଡ଼ା ଏକ୍‌ସପ୍ରେସ ଆସିବାର ସମୟ ।

 

ସତ୍ୟବ୍ରତ ବାବୁ ବସ୍‌ଷ୍ଟାଣ୍ଡକୁ ଯାଇ ଅପେକ୍ଷା କଲେ ଖଣ୍ଡଗିରି ବସ୍‌କୁ । ଠିକ୍‍ ଏତିକିବେଳେ ତାଙ୍କର ଆଖି ଆଗଦେଇ ଖଣ୍ଡିଏ ନାଲିରଙ୍ଗର ଆମ୍ବାସାଡ଼ୋର କାର୍‍ ଖୁବ୍‍ ଦ୍ରୁତଗତିରେ ଆସି ଲେବଲ କ୍ରସିଂ ନିକଟରେ ବ୍ରେକକଲା । କାର୍‍ ଚାଳକ ଥରେ ଦୁଇଥର ବାହାର ଆଡ଼କୁ ଚାହିଁ ତାଙ୍କ ସାଥିରେ ଆସିଥିବା ଅନ୍ୟ ଜଣେ ଭଦ୍ରଲୋକ ଆଡ଼କୁ ଅନାଇ ଖୁବ୍‍ ଚାପାଗଳାରେ କେଇପଦ କଥାବାର୍ତ୍ତା ହେବାର ଅନୁମେୟ ହେଲା ।

 

ତା’ପରେ ଦୁଇଜଣ କାର୍‍ଖଣ୍ଡି ପଛକୁ ଫେରାଇଆଣି ଗୋଟିଏ ସାଇଟ କରିଦେଲେ । ଦୁହେଁ କାର୍‍ମଧ୍ୟରୁ ଓହ୍ଲାଇପଡ଼ି ଚାରିଆଡ଼କୁ ଟିକିଏ ସତର୍କ ଦୃଷ୍ଟି ନିକ୍ଷେପ କରି ଚାଲିଲେ, ନିକଟରେ ଥିବା ହୋଟେଲେ ଆଡ଼େ ।

 

ଏ ଦୁଇଜଣଙ୍କ ଗତିବିଧି ଯେପରି ସତ୍ୟବ୍ରତ ବାବୁଙ୍କ ମନରେ ଏକପ୍ରକାର ସନ୍ଦେହ ସୃଷ୍ଟି କଲା । ସେ ମଧ୍ୟ ତାଙ୍କ ପଛେ ପଛେ ସେ ହୋଟେଲ ଆଡ଼କୁ ଗଲେ, ହୋଟେଲ ସମ୍ମୁଖରେ ଥିବା ଗୋଟିଏ ପାନ ଦୋକାନରେ ଠିଆହୋଇ ଚାରିଖଣ୍ଡି ପାନ ବରାଦ କଲେ । ଆଖିଦୁଇଟା କିନ୍ତୁ ଠିକ୍‍ ଯଥାସ୍ଥାନରେ ସୀମାବଦ୍ଧ ଥାଏ । କାର୍‍ରୁ ଓହ୍ଲାଇ ଯାଇଥିବା ଦୁଇଜଣ ହୋଟେଲ ମଧ୍ୟରେ ବସି ବୟକୁ ଆଦେଶ ଦେଲେ ରୁଟି ଆଉ ମାଂସ, ବୟଟି ଆଦେଶ ପ୍ରାପ୍ତି ସଙ୍ଗେ ସଙ୍ଗେ ମଧ୍ୟ ତା’ କାମରେ ସେ ଲାଗିପଡ଼ିଲା ।

 

ଦୁହେଁ ଖୁବ୍‍ ଆନନ୍ଦ ମନରେ ଖାଇବାରେ ବ୍ୟସ୍ତ ଇତ୍ୟବସରେ ସତ୍ୟବ୍ରତ ବାବୁ ପୂର୍ବର ଘଟଣାଗୁଡ଼ି ଗୋଟି ଗୋଟି କରି ମନେପକାଇଲେ । ଠିକ୍‍ ତାଙ୍କର ମନେଅଛି ସେ ଯେଉଁ ଦିନ ଶୂନ୍ୟରୁ ତଳକୁ ଖସିପଡ଼ିଲେ ବଳିଆର ସିଂର ସେହି ଗୁପ୍ତ ଅଟ୍ଟାଳିକା ମଧ୍ୟରୁ ଏହାକୁହିଁ ସେ ପ୍ରଥମକରି ଦେଖିବାକୁ ପାଇଥିଲେ, ହେଲେ ଏରୂପରେ ନୁହେଁ ଅନ୍ୟ ରୂପରେ କିନ୍ତୁ ଆଜି ଏ ରୂପର ପରିବର୍ତ୍ତନ କାହିଁକି ? ଆଉ ଅନ୍ୟ ଜଣକ ତାଙ୍କୁ ସେ କେବେ କୌଣସି ଦିନ ଦେଖିନାହାନ୍ତି ମନେମନେ ଭାବିଲେ ଏ ହୁଏତ ବଳିୟାର ସିଂର କୌଣସି ଆତ୍ମୀୟ କିମ୍ବା ସାହାଯ୍ୟକାରୀ ତା’ ନହେଲେ ଏମାନଙ୍କର ମୁହଁରେ ଯେଉଁ ଦାଢ଼ି ଦି ଗୋଛା ଅଛି ସେ ଯେପରି କୃତ୍ରିମ ପରି ଅନୁମେୟ ହୁଏ ।

 

ମନ ମଧ୍ୟରେ ସନ୍ଦେହ ତାଙ୍କର ଆହୁରି ଘନିଭୂତ ହେବାକୁ ଲାଗିଲା । ଲୋକ ଦୁଇଜଣଙ୍କ ଉପରେ ସମ୍ପୂର୍ଣ୍ଣଭାବେ ନଜର ରଖି ତାଙ୍କର ଗତିବିଧିକୁ ଲକ୍ଷକଲେ, ସେଇଠାରେ ଠିଆହୋଇ କିଞ୍ଚିତ ସମୟ କଟିଯିବା ପରେ ସେ ସେଠାରୁ ଚାଲି ଆସିଲେ ଉକ୍ତ କାର୍‍ ନିକଟକୁ । କାର୍‍ ନିକଟରେ କିଛି ସମୟ ଠିଆହୋଇ ଲତିକାର କହିଥିବା କଥା ଗୋଟି ଗୋଟି ଭାବି ସ୍ଥିର କଲେ ଲତିକା ଯାହା କହିଥିଲା ତାହା ହୁଏତ ସମ୍ପୂର୍ଣ୍ଣ ସତ ଏମାନଙ୍କର ଆଡ୍‍ଡାସ୍ଥଳ ସେହି ଖଣ୍ଡଗିରିର ଶିଖରୀ ମଧ୍ୟରେ ।

 

ମନଟା ଅତ୍ୟନ୍ତ ଆନନ୍ଦରେ ଆତ୍ମହରା ହୋଇପଡ଼ିଲା ଯେତେଦିନ ସେ ଜୀବନକୁ ଉତ୍ସର୍ଗ କରି ଯାହାକୁ ଖୋଜି ଖୋଜି କେତେ ଯେ ବିପଦର ସମ୍ମୁଖୀନ ହୋଇଥିଲେ ସେ ଆଜି ଆସି ନିଜକୁ ନିଜେ ଧରାଦେଇଛି ।

 

ସେତେବେଳେ ତାଙ୍କ ନିକଟରେ ପ୍ରତ୍ୟେକ ଦରକାରୀ ଜିନିଷଗୁଡ଼ିକ ପ୍ରସ୍ତୁତ ଥାଏ କୌଣସି ଯଦି ବିପଦ ପଡ଼େ ସେଥିପାଇଁ ତାଙ୍କର ଆଦୌ ଭୟ ନଥିଲା ମନେମନେ ଭାବୁ ଥାଆନ୍ତି । ରେଲଓୟେ ପୋଷ୍ଟ ଅଫିସକୁ ଯାଇ ଗଗନ ବାବୁଙ୍କ ନିକଟକୁ ଫୋନଦ୍ୱାରା ସମସ୍ତ କଥା ଜଣାଇ ଦେବେ । ହେଲେ ପରମୁହୂର୍ତ୍ତରେ ଭାବୁଥାନ୍ତି ସେ ଯଦି ଫୋନକଲା ମୁହୂର୍ତ୍ତରେ କାର୍‍ ନେଇ ପଳାଇଯାଏ ତାହାହେଲେ... । ନା, ତାକୁହିଁ ସେଇଠାରେ ଅପେକ୍ଷା କରିବାକୁ ପଡ଼ିବ ଭାବି ଆଉ ଟିକିଏ କାର୍‍ ନିକଟକୁ ଆଗେଇଗଲେ । କାରରେ ଜିନିଷ ରହିବା ସ୍ଥାନରେ ନିଜକୁ ଲୁଚାଇ ଦେବେ ଭାବି ସେ ଦିଗକୁ ଦୃଷ୍ଟିଦେଲେ । ସେଠାରେ ଚାବିପଡ଼ିଛି । କୃତ୍ରିମ ଉପାୟ ତାଲାଟି ଖୋଲିଦେଇ ଚାରିଆଡ଼କୁ ଥରେ ସୁତୀକ୍ଷ୍‌ଣ ଦୃଷ୍ଟିକୁ ଘୂରାଇ ଆଣି ତା’ ମଧ୍ୟକୁ ପଶିବାକୁ ଅଗ୍ରସର ହେବା ସଙ୍ଗେ ସଙ୍ଗେ ତାଙ୍କ କାନରେ ବାଜିଲା ଗୋଟିଏ ଲୋକ ଯେପରି ଅତି ଦାରୁଣ ଆଘାତରେ ସମ୍ମୁଖୀନ ହୋଇ ଯେପରି ଯନ୍ତ୍ରଣା ଅନୁଭବ କରେ ତା’ ମଧ୍ୟରେ ସେହିପରି ଗୋଟିଏ ଶବ୍ଦ ହେଉଛି ।

 

କାର୍‍ର ପଛପଟଟା ସମ୍ପୂର୍ଣ୍ଣ ଅନ୍ଧକାର ଥାଏ ତନ୍ମଧ୍ୟେ କ’ଣ ଅଛି ଦେଖିବା ସମ୍ଭବପର ନହେବା ସତ୍ତ୍ୱେ ତାଙ୍କ ପକେଟରେ ଥିବା ଖଣ୍ଡିଏ ଛୋଟ ଟର୍ଚ୍ଚ ବାହାରକରି ଭିତରଟା ଯାହା ଦେଖିଲେ, ତା’ଦ୍ୱାରା ହଠାତ୍‍ ଚମକି ଉଠି ପୁନରାୟ ଦରଜାଟା ବନ୍ଦ କରିଦେଲେ । କିନ୍ତୁ ପୁଣି କ’ଣ ଭାବିଲେ କେଜାଣି ମନମଧ୍ୟରେ ସମସ୍ତ ସଞ୍ଚୟକରି ଦରଜା ଖୋଲି ଦେଖିଲେ ଜଣେ ମଧ୍ୟ ବୟସ୍କ ଲୋକ ହସ୍ତପଦ ବନ୍ଧନ ହୋଇ ତନ୍ମଧ୍ୟରେ ପଡ଼ିରହିଛି । ଏହା ଦେଖି ସେ ଅସହାୟ ନିରୁପାୟ ବନ୍ଦିକୁ କ’ଣ ଯେପରି ପ୍ରଶ୍ନ କରିବାକୁ ଯାଉଥିଲେ, ତାଙ୍କ କଥାକୁ ଅଟକାଇ ରଖି ବନ୍ଦିଜଣଙ୍କ କାରୁଣ୍ୟ କଣ୍ଠରେ କହି ଉଠିଲା–‘‘ହେ ଭାଇ ! ମୋତେ ତୁମେ ମାରନା କିମ୍ବା ହତ୍ୟା କରନା । ମୁଁ ତୁମର ପାଦତଳେ ପଡ଼ୁଛି ।’’

 

ଏହାଶୁଣି ସତ୍ୟବ୍ରତ ବାବୁ ଖୁବ୍‍ ବିସ୍ମିତ ହୋଇଗଲେ ଓ ଭାବିଲେ “କିଏ, ଏଇ ଲୋକ ! କ’ଣ ସେ ଗୁଡ଼ାଏ ଏପରି ଭାବରେ କହି ଯାଉଛି ! ଜଣାଯାଏ ହୁଏତ ସୈତାନ ଦସ୍ୟୁ ବଳିଆର ସିଂ ଏହା ଉପରେ କୌଣସି ଅତ୍ୟାଚାର କରିଛି କାହିଁକି ?’’ କେଉଁଥି ପାଇଁ ଏ ଅବା ତା’ର କି ଅପରାଧ କରିଥିବ ।

 

ହେ, ଦୟାମୟ, କରୁଣାନିଧି, ଏହିକି ତୁମର କରୁଣା ? ଯେ ଦସ୍ୟୁ, ନରହନ୍ତା, ଦେଶଦ୍ରୋହୀ, ନୃଶଂସ । ସେହି ବଳିଆର ସିଂ ଉପରେ ଏତେ ଦୟା ଏତେ ମମତା ? ତା’ରି ଲୋକକୁ ଆଶୀଷ କରି ତୁମର ଏହି ପବିତ୍ର ଧରା ପୃଷ୍ଠରେ ସ୍ଥାନ ଦେଇଛନ୍ତି କିପରି ?

 

ବଳିଆର ସିଂ ! ଏପରି ନୃଶଂସ ତୁ !! ତୋର ଏହି ସୀମାହୀନ କାର୍ଯ୍ୟକଳାପ ଦେଖି ମୋର ବକ୍ଷ ବିଦୀର୍ଣ୍ଣ ହୋଇଯାଉଛି । ତୁମର କଲାକର୍ମର ଉପଯୁକ୍ତ ଶାସ୍ତି ଏହି ଶୁଭମୁହୂର୍ତ୍ତରେ ଯୋଗାଡ଼ କରି ଦିଅନ୍ତୁ, ତୋହର କହିବାନୁଯାୟି କିନ୍ତୁ ତୋ ପ୍ରତି ମୋର କର୍ତ୍ତବ୍ୟ ବାଧା ଦେଉଛି । କାରଣ ମୁଁ, ମୁଁ ତ କେବଳ ତୋତେ ଚାହେଁନା ଚାହେଁ ତୋ ସହିତ ଆଉ ଗୋଟିଏ ନୂଆ ଆଡ୍‍ଡାର ସନ୍ଧାନ । ଲତିକା ଶେଷକଥା ପଦକ ସମ୍ପୂର୍ଣ୍ଣ ସତ । ନିଶ୍ଚୟ ଖଣ୍ଡଗିରିର ସେହି ଶିଖରୀ ଶିଖରରେ ତୁମର ନୂଆ ଆଡ୍‍ଡାସ୍ଥଳ ଏ ନିଃସନ୍ଦେହ । ଏହାର ଉପଯୁକ୍ତ ଶାସ୍ତି ଆଉ ବେଶୀଦିନ ନାହିଁ । ପ୍ରାଏ ସମୟ ଖୁବ୍‍ ନିକଟ ହୋଇ ଆସିଛି ଅପେକ୍ଷା କର ।

 

ଏହା ମନକୁମନ ଭାବୁଥିବା ବେଳେ ବୁକୁଥରାଇ ଗୋଟିଏ ଉଷ୍ମ ନିଃଶ୍ୱାସ ବାହାରି ଯାଇଁ ବାୟୁମଣ୍ଡଳରେ ବିଲୀନ ହୋଇଗଲା । ଭାବନା ରାଇଜରୁ ଫେରିଆସି କହିଲେ–‘‘ତୁମେ ଭୟକରନା ବନ୍ଦି ମୁଁ ତୁମର ଅନିଷ୍ଟକାରୀ ନୁହଁ ସାହାଯ୍ୟକାରୀ, ଦସ୍ୟୁ ବଳିଆର ସିଂ ପରି ମୋ ଦେହରେ କାହାରି ଅନିଷ୍ଟ କଲାପରି ମନଭାବ ନାହିଁ । ଆପଣ କ’ଣ ତାହାହେଲେ ନିଜକୁ ମୁକ୍ତି ଚାହାନ୍ତି ।’’

 

କାନ୍ଦି କାନ୍ଦି ଅତି ବ୍ୟଥାଭରା କଣ୍ଠେ ଉତ୍ତର ଦେଲା ବନ୍ଦି, “ହେ ପୂଜ୍ୟ ତୁମେ କ’ଣ ମୋତେ ଏହି ଦସ୍ୟୁ ବଳିଆର ସିଂର କଠୋର ନିର୍ଯାତନାରୁ ମୁକ୍ତି ଦେଇ ପାରିବ ? ନା, ଏ ସ୍ୱପ୍ନ ଏ କେବେ ସତ୍ୟତାରେ ପରିଣତ ହୋଇପାରେନା ?? ମୋର ମୁକ୍ତି ଆଉ ଏ ଜୀବନରେ ହେବ ସେ ଆଶା ମୋର ଆଦୌ ନାହିଁ ।

 

ସତ୍ୟବ୍ରତ ବାବୁ ତାଙ୍କୁ ପ୍ରବୋଧନା ଦେଇ କହିଲେ–“ସେ ପାଇଁ ବନ୍ଦି ତୁମେ ଆଦୌ ଚିନ୍ତା କରନା ଯେତେବେଳେ ମୋ ଆଖି ଆଗକୁ ଆସିଛି ନିଶ୍ଚୟ ତୁମର ମୁକ୍ତି ଅବସମ୍ଭାବି । ତୁମେ ନିର୍ଭୟ ରୁହ ଅଳ୍ପ ସମୟ ପରେ ତୁମକୁ ମୁକ୍ତି କରିଦେବାର ପଥ ସ୍ଥିର କରି ଆସୁଛି ।

 

ସତ୍ୟବ୍ରତ ବାବୁ ଏହାକହି ଦ୍ରୁତ ପଦରେ ନିକଟରେ ଡିୟୁଟି ଦେଉଥିବା ଗୋଟିଏ କନେଷ୍ଟବଳଟି ଡାକିଆଣି ତାକୁ କହିଲେ–‘‘ତୁମେ ଏହି ଲୋକଟିକୁ ନେଇ ପୋଲିସ ଇନିସ୍ପେକ୍ଟର ଗଗନ ବାବୁଙ୍କ ନିକଟରେ ପହଞ୍ଚାଇ ଦିଅ । ହଁ ଏ ଚିଠି ଖଣ୍ଡି ମଧ୍ୟ ଖୁବ୍‍ ସାବଧାନ ସହକାରେ ଯେପରି ଯାଅ । କାରଣ ଏ ନେଇ ଗୋଟିଏ ବିରାଟ ଚକ୍ରବ୍ୟୂହ ଦସ୍ୟୁ ବଳିଆର ସିଂ ପ୍ରସ୍ତୁତ କରି ରଖିଛି । କେତେବେଳେ ଅବା କେଉଁ ମୁହୂର୍ତ୍ତରେ ତା’ର ଦଳର ଲୋକ ଯଦି କେହି ଦେଖିପାରନ୍ତି, ତାହାହେଲେ ଆମ୍ଭମାନଙ୍କର ଅବସ୍ଥା କ’ଣ ହେବ ତା’ ଭଗବାନ ଜାଣନ୍ତି ।

 

ଏହା କହି ସତ୍ୟବ୍ରତ ବାବୁ ଆମ୍ବାସାଡ଼ୋରର ଗୁଡ଼୍‌ସ ରୁମରୁ ବାହାରକରି ରେକ୍‌ସାରେ ବସାଇଲାବେଳେ ତାଙ୍କ ହାତକୁ କ’ଣ ଯେପରି ଓଦା ଓଦା ଲାଗୁଥିବାର ଅନୁଭବ କଲେ । ଓଦା ଲଗିବାଟା କ’ଣ ଜାଣିବାପାଇଁ ଟର୍ଚ୍ଚ ଜଳାଇଲେ ସେହି ଟର୍ଚ୍ଚ ଆଲୋକ ସାହାଯ୍ୟରେ ଦେଖିଲେ ରକ୍ତ, ବିସ୍ମିତର ସୀମା ରହିଲା ନାହିଁ । ଧୀର ଗଳାରେ ପ୍ରଶ୍ନ କଲେ–‘‘ରକ୍ତ କେଉଁଠୁ ଆସିଲା ?”

 

ବନ୍ଦି ଉତ୍ତର ଦେଲା–‘‘ଆଜ୍ଞା, ପିଠି ମୋର ଫାଟି ଯାଇଛି ।’’

 

ସତ୍ୟବ୍ରତ ବାବୁ ଏହାଶୁଣି ବଡ଼ ବିଚଳିତ ହୋଇ ପଡ଼ିଥିଲେ ସୁଦ୍ଧା ମନର ଭାବନାକୁ ମନରେ ଚାପି ରଖି କନେଷ୍ଟବଳକୁ କହିଲେ–‘‘ଦେଖ ଏକଥା ଯେପରି ଅନ୍ୟ କୌଣସିଠାରେ ପ୍ରକାଶ ନପାଏ ।’’ ବନ୍ଦି ଆଡ଼କୁ ନିର୍ଦ୍ଦେଶ କରି କହିଲେ ସତ୍ୟବ୍ରତ ବାବୁ ତୁମେ ଆଉ ଚିନ୍ତା କରନା ତୁମକୁ ଏଇନେ ଖୁବ୍‍ ନିରାପଦ ସ୍ଥାନକୁ ପଠାଇ ଦିଆଯାଉଛି, ଯେଉଁଠି କି ବଳିଆର ସିଂର ହାତ ନାହିଁ । ହଁ ଆଉ ମଧ୍ୟ ଏକଥା ମନେରଖ ତୁମକୁ ହୁଏତ ସେଠାରେ କେହି ଯଦି କିଛି ନା କିଛି ପ୍ରଶ୍ନ କରେ ତୁମେ ତା’ର ପ୍ରଶ୍ନର ଉତ୍ତର ଯେପରି ସତ ସତକରି କୁହ । ଏଥିରେ ତୁମର ମଙ୍ଗଳହେବା ସଙ୍ଗେ ଦେଶ ଓ ଜାତିର ମଙ୍ଗଳ ହେବ ।

 

ଏହା ଶୁଣି ଆହାତ ବ୍ୟକ୍ତି ସମ୍ମତି ସ୍ଵୀକାର କରିବାରୁ ରେକ୍‌ସା ଚାଳକକୁ ଅର୍ଡ଼ର ଦେଲେ–‘‘ସାମନା ପରଦା ପକାଇବେ । ଆଉ ମଧ୍ୟ ଶୀଘ୍ର ଏଠାରୁ ପଳାଇ ଯା ।’’

 

ସତ୍ୟବ୍ରତ ବାବୁଙ୍କ ଆଦେଶାନୁଯାୟି ରେକ୍‌ସା ଚାଳକଟି ରେକ୍‌ସାର ସାମନା ପରଦାଟି ଲମ୍ବାଇ ଦେଇ ସେ ସ୍ଥାନ ପରିତ୍ୟାଗ କରି ଅଦୃଶ୍ୟ ହୋଇଗଲା ।

 

ରେକ୍‌ସାଟି ଚାଲିଯିବାପରେ ସତ୍ୟବ୍ରତ ବାବୁ ଭାବିଲେ, ଯଦି ସେ ଆହାତ ବ୍ୟକ୍ତିଠାରୁ ତା’ର ସମ୍ପୂର୍ଣ୍ଣ ପରିଚୟଟା ଆଣିପାରିଥାଆନ୍ତେ ତାହାହେଲେ କେତେକାଂଶରେ ଭୁଲ୍‍ ହୋଇଥାନ୍ତା । ସେ କାହିଁକି ଏପରି ବିପଦର ସମ୍ମୁଖୀନ ହେଲେ ଏଇକଥାଟି ବାରମ୍ବାର ତାଙ୍କର ମନ ମଧ୍ୟରେ ଘୁର୍ଣ୍ଣିବାୟୁପରି ଘୂରିବାକୁ ଲାଗିଲା ।

 

ସମୟର ଅଭାବ ହେତୁ ତାଙ୍କର ଆଶା ଆଶାରେହିଁ ମିଳାଇ ଗଲା ।

 

ସାମାନ୍ୟ କେତୋଟି ମିନିଟ୍‍ ସେଇଠାରେ ଠିଆହୋଇ ବିତେଇ ଦେବାପରେ ତାଙ୍କର ସନ୍ଦିହାନ ଚକ୍ଷୁ ଯୋଡ଼ାକ ଖାଲି ଏପାଖ ସେପାଖ ଦୁଇଥର ଘୂରାଇ ଆଣି ସେହି କାର୍‍ର ଗୁଡ଼୍‍ସ ରୁମ୍‍ ମଧ୍ୟରେ ନିଜେ ପଶିଗଲେ । ଉପର ଢାଙ୍କଣା ବନ୍ଦ କରିବା ନିମନ୍ତେ ଖଣ୍ଡିଏ ସରୁ ତା’ର ଆଣି ଦରଜାରେ ଥିବା ବାହାର ହେଣ୍ଡଲରେ ବାନ୍ଧି ଭିତରେ ଥାଇ ତାରଟିକୁ ସଜୋରେ ଟାଣି ଧରିଲେ । ଦରଜାଟି ବନ୍ଦ ହୋଇ ଯିବାପରେ ସେ ତା’ ମଧ୍ୟରେ ଯାକିଯୁକି ହୋଇ ବସି ରହିଲେ ଆଉ ଅପେକ୍ଷା କରି ଚାହିଁ ବସିଲେ ଆଗତ ଭବିଷ୍ୟତ ଦୁର୍ଘଟଣାକୁ ।

 

ଦଶଟି ମିନିଟ୍‍ ଅତିକ୍ରମ କଲାପରେ ତାଙ୍କୁ ଜଣାଗଲା କାର୍‍ଟା ଯେପରି ଦୁଇଥର ହଲି ଗଲା । ମନରେ ଭାବିଲେ ହୁଏତ ଦସ୍ୟୁ କାର୍‍ ନିକଟକୁ ଫେରି ଆସିଛି ତା’ପରେ ଷ୍ଟାଟ । କାର୍‍ ଚାଲିଲା ବହୁତ ଦ୍ରୁତ ଗତିରେ । କାର୍‍ଟା ଚାଲୁଥିବାରୁ ସେ ବସି ବସି ଅନୁମାନ କରୁଥିଲେ । କାର୍‍ଟା ଯେ କେଉଁପଥ ଦେଇ ଗତି କରୁଛି ତାକୁ ଜାଣିବା ସମ୍ପୂର୍ଣ୍ଣ ଭାବରେ ଦୁରୂହ । କାରଣ ସେ ଏପରି ଅବସ୍ଥାରେ ଯାକିଯୁକି ହୋଇ ବସି ରହିଥିଲେ ଯେ ବାହାର ଜଗତର କୌଣସି ଦୃଶ୍ୟ ତାଙ୍କ ଆଖି ଆଗକୁ ଆସିପାରିବ ନାହିଁ ।

 

ଧାବମାନ କାର୍‍ଟି ପ୍ରାୟ ଦ୍ରୁତଗତିରେ ଅଧଘଣ୍ଟାଏ ଚାଲିବା ପରେ କ୍ରମାନ୍ୱୟେ ଗତି ତା’ର ମନ୍ଥର ହୋଇ ଆସୁଥିବାର ଅନୁମାନ କଲେ ସେ ।

 

କାର୍‍ଟି ଆସି ପ୍ରାୟ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ବ୍ରେକ୍‍ କଲା ବୋଲି ଅନୁମେୟ ହେଲା ।

 

ଅନୁମାନହିଁ ଠିକ୍‍ କାର୍‍ର ଦରଜା ଖୋଲିବାର ଖର୍ଚ୍ଚ କରି ଆବାଜ ହେବା ସଙ୍ଗେ ସଙ୍ଗେ ଗାଡ଼ିଟା ଟିକିଏ ହଲିଗଲା ।

 

ଦୁଇ ତିନି ମିନିଟ୍‍ କଟିଯିବା ପର୍ଯ୍ୟନ୍ତ ସତ୍ୟବ୍ରତ ବାବୁ ଅପେକ୍ଷା କରି ରହିଲେ ତା’ପରେ ଆସ୍ତେ ଆସ୍ତେ ଗୁଡ଼୍‌ସର ଢାଙ୍କଣାଟି ଟେକି ବାହାରକୁ ବାହାରି ଆସିଲେ । ସେ ସ୍ଥାନଟି ସମ୍ପୂର୍ଣ୍ଣ ଗୁଳ୍ମ ଲତାରେ ପରିପୂର୍ଣ୍ଣ ନିଜକୁ ଛପାଇ ଦେବା ତାଙ୍କ ପକ୍ଷେ ଏତେଟା ସୁବିଧାଜନକ ହେଲା ଯେ, ସେ ଏହା ଦେଖି ଆତ୍ମହରା ହୋଇପଡ଼ିଲେ ।

 

କ୍ଷଣକାଳ ନିଜକୁ ଲୁଚାଇ ରଖିବାପରେ ଦୃଷ୍ଟି ରଖିଥିବା କାର୍‍ ନିକଟରେ ଗୋଟିଏ କଳା ପୋଷାକଧାରୀ ଲୋକଟିକୁ ଦେଖିବାକୁ ପାଇଲେ । ଏହାଦେଖି ମନେମନେ ସ୍ଥିର କରିନେଲେ ଯେ ଦସ୍ୟୁ ବଳିଆର ସିଂ ହୁଏତ ସେ ଲୋକଟିକୁ ପଠାଇଲା । ଯେଉଁ ଲୋକଟିକୁ ମୁମୂର୍ଷୁ ଅବସ୍ଥାରେ ତା’ ମଧ୍ୟରେ ହାତ ପାଦ ବନ୍ଧାଇ ପକାଇ ରଖିଥିଲା ତାକୁ ନେଇଯିବା ପାଇଁ କିନ୍ତୁ ପିଞ୍ଜରା ଯେ ଶୂନ୍ୟ । ଚଢ଼େଇକୁ ଉଡ଼େଇ ଦିଆଯାଇଛି ଏ ଖବର ଯେତେବେଳେ ଦସ୍ୟୁ ବଳିଆର ସିଂ ଶୁଣିବ ସେ ଗୋଖର ସାପପରି ଗର୍ଜି ଉଠିବ, ହେଲେ ପାଇବ ବା କେଉଁଠୁ । ଉକ୍ତ ଲୋକଟି ଗାଡ଼ିର ଗୁଡ଼୍‌ସ ଢାଙ୍କଣାଟି ଟେକି ଗୋଟିଏ ଆଲୋକ ତା’ ମଧ୍ୟକୁ ନିକ୍ଷେପ କଲା । ତା’ପରେ ଖୁବ୍‍ ଦ୍ରୁତ ଗତିରେ ଯେଉଁ ଆଡ଼ୁ ଆସିଥିଲା ସେହି ଆଡ଼କୁ ଦୌଡ଼ିଗଲା ।

 

ଇତ୍ୟବସରେ, ସତ୍ୟବ୍ରତ ବାବୁ ତାରି ପଛେ ପଛେ ଖୁବ୍‍ ସତର୍କ ସହିତ ଚାଲିଗଲେ । ଉକ୍ତ ଲୋକଟି ଯାଇଁ ସେହି ଅନ୍ଧକାର ମଧ୍ୟରେ ଗୋଟିଏ ଗଛ ମୂଳରେ ଠିଆହୋଇ ଖଣ୍ଡିଏ ପଥର ଉଠାଇ ତା’ ମଧ୍ୟରେ ହାତ ଭରିଲା ।

 

ଯେଉଁଠାରେ ସତ୍ୟବ୍ରତ ବାବୁ ଠିଆହୋଇଥିଲେ ଠିକ୍‍ ତାଙ୍କଠାରୁ ଦଶ ପନ୍ଦର ଫୁଟ୍‍ ଦୂରରେ ଗୋଟିଏ ଶବ୍ଦ ଶୁଣିବାକୁ ମିଳିଲା । ସେ, ସେଦିଗକୁ ଲକ୍ଷକଲେ ଅନ୍ଧକାରରେ ଅବଶ୍ୟ ଦେଖିବାକୁ କିଛି ନ ମିଳୁ ଥିଲେ ବି ସେ ଅନୁଭବ କରୁଥିଲେ, ନିଶ୍ଚୟ ସେଇଠାରେ କୌଣସି ଗୁପ୍ତଦ୍ୱାର ଅଛି । ତେଣୁ ସେହି ଶବ୍ଦ ଆସିଥିବା ଆଡ଼କୁ ଆସ୍ତେ ଆସ୍ତେ ଆଗେଇଗଲେ । ଖୁବ୍‍ ନିକଟ ହୋଇଯିବା ସଙ୍ଗେ ସଙ୍ଗେ ଦେଖିଲେ ଯେଉଁ ଲୋକଟି ମଟର ପାଖରେ ଠିଆହୋଇ ଗୁଡ଼୍‍ସ କଭରଟା ଉପରକୁ ଟେକି କାହାରିକୁ ନପାଇ ଫେରି ଯାଉଥିଲା । ସେ ସେହି ପଥଦେଇ ଭିତରକୁ ପଶିଗଲା ।

 

ସତ୍ୟବ୍ରତ ବାବୁ ଏହା ଦେଖି ତାରି ପଛେ ପଛେ ଚାଲିବାକୁ ଲାଗିଲେ । କିଛି ଦୂର ଯାଇଛନ୍ତି ଲୋକଟା ହଠାତ୍‍ ଠିଆହୋଇଗଲା । ତା’ପରେ ପଛ ଆଡ଼କୁ ଅନାଇ ପୁଣି ଆଗକୁ ବଢ଼ିବାକୁ ଲାଗିଲା ।

 

ସତ୍ୟବ୍ରତ ବାବୁ ଦେଖିଲେ ଯେଉଁ ପଥ ଦେଇ ସେ ଭିତରକୁ ଆସିଲେ । ସେଇ ପଥଟି ଆସ୍ତେ ଆସ୍ତେ ବନ୍ଦହୋଇଯାଉଛି, ଲକ୍ଷକଲେ ସେ ଦରଜାଟା କିପରି ବନ୍ଦ ହେଲା । ହଠାତ୍‍ ସେ ପଛଆଡ଼ୁ ମୁହଁ ଘୂରାଇ ନେଇ ଦେଖିଲେ ଯେଉଁ ଲୋକଟି ତାଙ୍କ ଆଗେ ଆଗେ ଯାଉଥିଲା ସେ ଗୋଟିଏ ଜାଗାରେ ତା’ର ବାମ ହାତଟା ମାରିଦେଇ ଚାଲିଗଲା ।

 

ସତ୍ୟବ୍ରତ ବାବୁ ସେ ଲୋକଟି ଯେଉଁଠାରେ ଠିଆହୋଇ ହାତ ମାରିଦେଇ ଚାଲିଯାଇ ଥିଲା, ସେ ସେଇଠାରେ ଯାଇଁ ଠିଆହୋଇ ଲକ୍ଷକଲେ ଦୁଇଟି ଇଲେକ୍‌ଟ୍ରିକ୍‍ ସୁଇଜ୍‍ କେଉଁଟା ଉପରେ ସେ ହାତ ଦେବେ ଭାବି ଠିକ୍‍କରି ପାରିଲେ ନାହିଁ । କାରଣ ଯଦି ପ୍ରକୃତ ସୁଇଜ୍‍ ଉପରେ ହାତ ନଦେଇ ଅନ୍ୟ ସୁଇଜ୍‍ ଉପରେ ହାତଦେଇ ଦିଅନ୍ତି ତାହାହେଲେ ସେ ସୁଇଜ୍‍ କାମ କ’ଣ ? ଯଦି ଓଲଟା ହୋଇଯାଏ ତାହାହେଲେ ସେ ହୁଏତ ଧରାପଡ଼ିଯାଇ ପାରନ୍ତି, ଏଣୁ କୌଣସି ସୁଇଜରେ ହାତ ନଦେଇ ପୁଣି ସେ ଲୋକଟିକୁ ଲକ୍ଷକରି କ’ଣ ତା’ ପଛେ ପଛେ ଚାଲିଲେ । ପୁଣି ଦଶ, ପଚାଶ ଫୁଟ୍‍ ଯିବାପରେ ସେ ଲୋକଟା ହଠାତ୍‍ ଠିଆ ହୋଇଗଲା, ଠିଆ ହେବା ସଙ୍ଗେ ସଙ୍ଗେ ଗୋଟିଏ ପଚିଶ ପାୱାରର ବଲ ଜଳି ଉଠିଲା । ସତ୍ୟବ୍ରତ ବାବୁ କ’ଣ କରିବେ କିଛି ଠିକ୍‍ କରିପାରିଲେ ନାହଁ । ଯଦି ସେ ବ୍ୟକ୍ତିଟି ହଠାତ୍‍ ଥରେ ପଛକୁ ଫେରି ଚାହିଁ ଦେଇ ଥାଆନ୍ତା । ତାହାହେଲେ ତାଙ୍କର ଏତେ ପରିଶ୍ରମ ପଣ୍ଡହୋଇ ଯାଆନ୍ତା । ନିର୍ଦ୍ୱନ୍ଦ୍ୱରେ ସେ ବନ୍ଦିତ୍ୱ ସ୍ୱୀକାର କରିଥା’ନ୍ତେ । ହୁଏତ ଈଶ୍ୱରଙ୍କ କରୁଣା କିମ୍ବା ଜନସମାଜର ଆଶୀର୍ବାଦରୁ ସେତିକି ସେ କରିନାହିଁ । ଏକ ପଥେ ଓ ଏକ ଧ୍ୟାନରେ ଛୁଟି ଚାଲିଛି । ଆଶା, ତା’ର ପ୍ରଭୁ ବଳିଆର ସିଂକୁ ଜଣାଇ ଦେବ, ବନ୍ଦି ନାହିଁ । ବନ୍ଦି ପଳାଇ ଯାଇଛି ।

 

X X X X

 

ସୁସଜ୍ଜିତ ଗୋଟିଏ ବିଜୁଳି ଆଲୋକ ପରି ବେଷ୍ଟିତ ରୁମ୍‍ ମଧ୍ୟରେ ଅଫିସିଆଲ ଷ୍ଟାଇଲି ଭଳି କେତେଗୁଡ଼ିଏ ଚିୟାର ଓ ଗୋଟିଏ ଗୋଲ ଟେବୁଲ ପଡ଼ି ରହିଛି । ରୁମ୍‌ଟି ମଧ୍ୟରେ ଅବଶ୍ୟ ସେତେବେଳେ କେହି ନଥିଲେ ।

 

ସତ୍ୟବ୍ରତ ବାବୁ ସେ ଗୃହଟିର ସମ୍ମୁଖସ୍ଥ ଗୋଟିଏ ନିରାପଦ ଜାଗାରେ ନିଜକୁ ଲୁଚାଇ ରଖି କାହାକୁ ଯେପରି ପ୍ରତୀକ୍ଷାକରି ରହିଲେ । କେତୋଟି ମିନିଟ୍‍ ଗତ ହୋଇ ଯିବାପରେ ସେହି ଘର ମଧ୍ୟରେ ଗୋଟିଏ ନାଲି ଆଲୋକ ଜଳି ଉଠିଲା । ସେହି ଆଲୋକ ଉପରେ ଇଂରାଜୀରେ କେଇଟା କ୍ୟାପିଟେଲ ଲେଟର ଡେଞ୍ଜର । ସେହି ଆଲୋକଟି ମୁହୂର୍ତ୍ତେ ରହି ଲିଭିଯିବା ସଙ୍ଗେ ସଙ୍ଗେ ଠିକ୍‍ ସେହି ସ୍ଥାନରେ ଆଉ ଗୋଟିଏ ଗ୍ରିନ ଲାଇଟ୍‍ ଜଳି ଉଠିଲା ପର ପର ଦୁଇ ଚାରିଜଣ ସେହି ଘର ମଧ୍ୟକୁ ପଶିଗଲେ । ଆଉ ମଧ୍ୟ ସମସ୍ତେ ଯାଇଁ ଖଣ୍ଡିଏ ଖଣ୍ଡିଏ ଚିୟାର ଅଧିକାର କରି ବସି ପଡ଼ିଲେ ।

 

ତା’ପରେ ଜଣେ ବିରାଟ ବପୁଧାରିଙ୍କର ହୁଏ ଆଗମନ । ସେ ଘର ମଧ୍ୟକୁ ପଶିଯିବା ସଙ୍ଗେ ସଙ୍ଗେ ବସିଥିବା ବ୍ୟକ୍ତିମାନେ ସମସ୍ତ ଠିଆ ହୋଇ ପଡ଼ିଲେ । ଘରଟି କିଛିକ୍ଷଣ ପାଇଁ ନିରବତା ବିରାଜମାନ କଲା ।

 

ଆଗନ୍ତୁକ ଜଣଙ୍କ ଚାରିଆଡ଼କୁ ଥରେ ଆଖି ଦୁଇଟା ଘୂରାଇ ଦେଇ କର୍କଶ ସ୍ୱରରେ କହି ଉଠିଲେ ।

 

‘‘ଏତେବେଳଯାଏ ମୋହନ କ’ଣ ଫେରିନି ?”

 

ବସି ରହିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ଉଠିପଡ଼ି ଖୁବ୍‍ ଧୀର ସ୍ୱରରେ ଉତ୍ତର ଦେଲା–‘‘ଆଜ୍ଞା ନା, ?’’

 

‘‘ତେବେ ସେ ଏତେବେଳ ପର୍ଯ୍ୟନ୍ତ କାର୍‍ ନିକଟରେ କ’ଣ କରୁଛି ?’’

 

ହୁଁ ତୁମେ, ଗଲ, ରାଜେଶ ଦେଖିବ ମୋହନ ସେଠାରେ କ’ଣ କରୁଛି ?

 

ରାଜେଶ ଚାଲିଯିବା ପରେ ପରେ ପୁଣି ଆଗନ୍ତୁକ ଜଣକ ଗର୍ଜି ଉଠିଲା । ‘‘ବିରେନ ତୁମକୁ ଯେଉଁ ଦାୟିତ୍ୱ ଦେଇଥିଲି ତୁମେ ତାହାର ବ୍ୟବସ୍ଥା କ’ଣ କଲ ?’’ ଚାରୋଟି ଦିନ ବିତିଗଲା ସାମାନ୍ୟ ଗୋଟାଏ ସି.ଆଇ.ଡିକୁ ମୋ ନିକଟକୁ ଧରିଆଣି ପାରିଲ ନାହିଁ ? ତୁମପରି ଗୋଟିଏ ଅଯୋଗ୍ୟ ସାହାଯ୍ୟକାରୀର ବଞ୍ଚି ରହିବା କୌଣସି ପ୍ରୟୋଜନ ନାହିଁ । ତେଣୁ ତୁମର ମୃତ୍ୟୁହିଁ ଶ୍ରେୟ ।

 

ଏହା କହୁ କହୁ ଆଗନ୍ତୁକ ହାତରେ ଥିବା ରିଭଲ୍‌ବରଟି ସଜୋରେ ଗର୍ଜି ଉଠିଲା ଆଉ ସେହି ସଙ୍ଗେ ସଙ୍ଗେ ବିରେନର ପ୍ରଶସ୍ଥ ବକ୍ଷରୁ ବାହାରି ଆସିଲା କେଇ ଝଲକ ଉଷ୍ମ ତାଟକା ରକ୍ତ ।

 

ରାଜେଶ ଓ ମୋହନ ଦୁହେଁ ଫେରି ଆସିଲେ ।

 

ଦୁହିଁକୁ ଦେଖି ଛଦ୍ମବେଶଧାରୀ ବ୍ୟକ୍ତି ଜଣଙ୍କ ହଠାତ୍‍ କହି ଉଠିଲେ । –‘‘ବନ୍ଦି ?’’

 

‘‘ବନ୍ଦି..... । ବନ୍ଦି ନାହିଁ, ଆଜ୍ଞା ।”

 

“ଏଁ, ବନ୍ଦି ନାହିଁ ତାହାହେଲେ ବନ୍ଦି ଗଲା କୁଆଡ଼େ ?’’

 

‘‘ଆଜ୍ଞା ମୁଁ ଯେତେବେଳେ ଗାଡ଼ିର ଗୁଡ଼୍‌ସ ରୁମ୍‍ର ଢାଙ୍କଣା ଖୋଲେ, ଦେଖିଲି ତା’ ମଧ୍ୟରେ କେହି ନାହାନ୍ତି, ତେଣୁ ଏପଟ ସେପଟ ଅନେକ ଆଡ଼େ ଖୋଜିଲି ହେଲେ କାହାରିକୁ ଦେଖିବାକୁ ପାଇଲି ନାହିଁ ।’’

 

‘‘କାହାରିକୁ ଦେଖିବାକୁ ପାଇଲ ନାହେଁ । ତାହାହେଲେ ବନ୍ଦି କ’ଣ ଉଡ଼ିଗଲା ?’’

 

ମୋହନ ମୁଖରେ ଭାଷା ନ ଥିଲା । ସେତେବେଳେ ସେ ଥିଲା ନିରୁତ୍ତର ।

 

ହଠାତ୍‍ ଲାଇଟଗୁଡ଼ିକ ଲିଭିଗଲା । ଆଗନ୍ତୁକ ଛଦ୍ମବେଶଧାରୀ ଚିତ୍କାର କରି ଉଠିଲେ–‘‘ତୁମେମାନେ ସତର୍କ ହୋଇପଡ଼ ସି.ଆଇ.ଡି ସତ୍ୟବ୍ରତ ଆମ ଆଡ୍‍ଡା ମଧ୍ୟରେ । ହଁ, ସଙ୍କେତ ଘଣ୍ଟା ବଜାଇ ଦିଅ, ପ୍ରତ୍ୟେକ ଗେଟରେ ପହରାବାଲା ଯେପରି କାହାରିକୁ ବାହାରକୁ ନ ଛାଡ଼ନ୍ତି ଓ କୌଣସି ବ୍ୟକ୍ତିକୁ ଆସିବାକୁ ନ ଦିଅନ୍ତି ।

 

ତାହାହିଁ ହେଲା ଆଡ୍‍ଡାର ପ୍ରତ୍ୟେକ ଘଣ୍ଟା ଏକା ସଙ୍ଗରେ ବାଜି ଉଠିଲା । ତା’ପରେ ଘରଟା କଛି ସମୟ ପାଇଁ ଅନ୍ଧକାର ଓ ନିରବତାରେ ବୁଡ଼ି ରହିଲା ।

 

X X X X

 

ଦିବା ଦଶଘଟିକା, ଆଡ୍‍ଡାର ପ୍ରତ୍ୟେକ ଗୁପ୍ତଦ୍ୱାର ରୁଦ୍ଧ । କେହି କାହାରି କୌଣସି କର୍ତ୍ତବ୍ୟରୁ ଅବହେଳା କରି ନାହାନ୍ତି । ସମସ୍ତେ ନିଜ ନିଜର କାର୍ଯ୍ୟରେ ବ୍ୟସ୍ତ ।

 

ହଠାତ୍‍ ରିଭଲବାରର ଶବ୍ଦ ଘନ ଘନ ଶିହରି ଉଠିଲା ।

 

ଦସ୍ୟୁ ବଳିଆର ସିଂର ଛାତିଟା ଯେପରି ଏକ ଅଜଣା ଭୟରେ ଶିହରି ଉଠିଲା । ସଙ୍ଗେ ସଙ୍ଗେ ଗୋଟାଏ ସୁଇଜ୍‍ ଉପରେ ବାମ ହାତର ବୃଦ୍ଧାଙ୍ଗୁଠିକୁ ଖୁବ୍‍ ଜୋରରେ ଚାପି ଦେଲା । ଠିକ୍‍ ରଥ ଚକପରି ସେ ରୁମ୍‍ଟି ଥରେ ଘୂରି ଆସି ପୁଣି ସ୍ଥିର ହୋଇଗଲା । ଖାଲି ସ୍ଥିର ହୋଇଗଲା ତା’ ନୁହେଁ; ତା’ ମଧ୍ୟରେ ଗୋଟିଏ ବିରାଟ ଗୁପ୍ତପଥ ପରିଲକ୍ଷିତ ହେଲା । ଦସ୍ୟୁ ବଳିଆର ସିଂ ବ୍ୟାଘ୍ରପରି ତା’ ମଧ୍ୟକୁ କୁଦି ପଡ଼ିଲେ । ହେଲେ ଯାଉଛନ୍ତି ଯେ କୁଆଡ଼େ । ପୁଲିସ ଆଉ ସେଦିନ ପରି ନିର୍ବୋଧ ନାହାନ୍ତି । ଘରର କାହିଁକି ସାରା ପାହାଡ଼ଟାକୁ ଚାରି ପଟରୁ ଚକ୍ର ଚିହ୍ନପରି ବିହ୍ୱ ସୃଷ୍ଟି କରିଛନ୍ତି । ଗୋଟିଏ ଛୋଟ ମୂଷା ଛୁଆଟା ବି ଚାଲିଯିବା ବଡ଼ କଷ୍ଟକର ।

 

କିଂକର୍ତ୍ତବ୍ୟବିମୂଢ଼ ପରି ଦସ୍ୟୁ ବଳିଆର ସିଂ ସହିତ ଯେତେ ଯିଏ ଯେଉଁଠାରେ ଥିଲେ ଗୋଟି ଗୋଟି କରି ପୋଲିସଙ୍କ ଦ୍ଵାରା ଲୁହାକଡ଼ି ପିନ୍ଧି ଥାନାକୁ ଆସିଲେ ।

 

ବିଚାରାଳୟ । ଲୋକେ ଲୋକାରଣ୍ୟ । ଦୁର୍ଦ୍ଦାନ୍ତ ଦସ୍ୟୁ ବଳିଆର ସିଂ ଏତେଦିନ ଧରି ପୋଲିସ ଆଖିରେ ଧୂଳି ଫିଙ୍ଗି ଆତ୍ମଗୋପନ କରି, ଲୁଚି ରହିଥିଲା, ଖଣ୍ଡଗିରିରେ ଆଜି ତା’ର ହେବ ବିଚାର ।

 

ବିଚାର ହେଲା ହାକିମ ଆଦେଶ ଦେଲେ, ବଳିଆର ସିଂକୁ, କାଠଗଡ଼ାକୁ ନେଇ ଅସିବାପାଇଁ । କଡ଼ା ପୋଲିସ ପ୍ରହରାରେ ଦସ୍ୟୁ ବଳିଆର ସିଂ ଆସି କାଠଗଡ଼ା ଉପରେ ଠିଆହେଲା ।

 

ଶେଷରେ ଦସ୍ୟୁ ବଳିଆର ସିଂଙ୍କୁ ମିଳିଲା ଯାବତଜୀବନ କାରାଦଣ୍ଡ । ଆଉ ତାହାର ସାହାଯ୍ୟକାରୀ ଯଥା–ମୋହନ, ନରେନ, ବିରେନ, ରାଜେଶ ଇତ୍ୟାଦିଙ୍କୁ ତେରବର୍ଷ ଜେଲ୍‍ ଦଣ୍ଡ ସହିତ ପାଞ୍ଚ ହଜାର ଟଙ୍କା ଜୋରିମାନା ।

 

ଏହା ଶୁଣି ଦସ୍ୟୁ ବଳିଆର ସିଂ ଖୁବ୍‍ ଜୋରରେ ଥରେ ହସି ଉଠିଲା ଆଉ ସେହି ହସଟା ଥିଲା ସେତେବେଳେ ତା’ର ଖୁବ୍‍ ଭୟଙ୍କର ।

Image